Sunday, August 2, 2026
30.4 C
Odisha

    ପରକୀୟା ପ୍ରୀତି ପାଇଁ ଛୁଆଙ୍କୁ ତାୱା ଚେଙ୍କ: ରାକ୍ଷସୀ ସାଜିଥିବା ମା’ ଓ ପ୍ରେମିକ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପରକୀୟା ପ୍ରୀତିର ନିଶାରେ ଅନ୍ଧ ଓ ଅମଣିଷ ପାଲଟି ଥିବା ମା’ ଓ ତା’ର ପ୍ରେମିକ ଗିରଫ ହୋଇଛନ୍ତି। ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମହିଳା ଜଣକ ନିଜଘରେ ପ୍ରେମିକ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା। ପୂର୍ବରୁ ଏସବୁ ଚାଲିଥିଲେ ହେଁ ଏଥର ସେ ଦୃଶ୍ୟକୁ ମହିଳାଟିର ଦୁଇ ନାବାଳକ ପୁଅ ଓ ଝିଅ ଦେଖି ଦେଇଥିଲେ। ‌ଭୟ ଦେଖାଇ ସେମାନଙ୍କ ମୁହଁ ବନ୍ଦ କରିବା ପାଇଁ ମହିଳା ପ୍ରେମିକ ସହିତ ମିଶି ନିଜ ଜନ୍ମକଲା ଛୁଆଙ୍କ ଦେହରେ ତତଲା ତାଉଆରେ ଚେଙ୍କ ଲଗାଇଥିଲା। କେବଳ ସେତିକି ନୁହେଁ, ସେମାନଙ୍କୁ ମାରିବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଦୁଇ ନାବାଳକ ବାପା ଘରକୁ ଫେରିବାପରେ ତାଙ୍କ ଆଗରେ ମା’ର ସେ କଳା କାରନାମା ଖୋଲି କହିଦେଲେ। ବାପା ରୋଶନ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ମୈତ୍ରୀବିହାର ଥାନା ପୁଲିସ ହତ୍ୟା ଉଦ୍ୟମ ଭଳି ଦଫାରେ ନିଷ୍ଠୁର ମା’ ସୁମିତ୍ରା ମହାପାତ୍ର ଓ ତା’ର ପ୍ରେମିକ ରାଜୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାଟି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

    ସୂଚନା ଅନୁସାରେ, ସୁମିତ୍ରାର ପରକୀୟା ପ୍ରୀତିକୁ ନେଇ ପୂର୍ବରୁ ସ୍ବାମୀ ରୋଶନଙ୍କ ସହିତ ତା’ର ବେଶ୍‌ ଝଗଡ଼ା ହେଉଥିଲା। ରୋଶନଙ୍କ ଅନୁପସ୍ଥିତିରେ ମହାବୀରବସ୍ତିରେ ରହୁଥିବା ରାଜୁ ନାୟକ ତାଙ୍କ ଘରକୁ ଆସୁଥିଲା। ରୋଶନ ଏ ମାମଲାରେ ସନ୍ଦେହ କରୁଥିଲେ। ରୋଶନ ଅନୁଗୁଳରେ ଚାକିରି କରୁଥିବାରୁ ଘ‌ରଠୁ ଦୂରରେ ରହୁଥିଲେ। ଏହାର ସୁଯୋଗ ନେଇ ସୁମିତ୍ରା ଓ ପ୍ରେମିକର ସଂପର୍କ ବଢ଼ି ଚାଲିଥିଲା। ଏ ବିଷୟରେ ତାଙ୍କର ଦୁଇ ନାବାଳକ ପୁଅ ଝିଅ ଜାଣୁଥିଲେ। ସେ କଥା କାହାରିକୁ ନକହିବାକୁ ମା’ ସେମାନଙ୍କୁ ବାରଣ କରି ଧମକଚମକ ଦେଉଥିଲା। ତେବେ ଗତ ବୁଧବାର ଦିନ ପ୍ରେମିକ ସହିତ ନିଜ ମା’କୁ ପିଲାଦୁହେଁ ଅନୈତିକ କାର୍ଯ୍ୟରେ ଲିପ୍ତଥିବା ଅବସ୍ଥାରେ ଦେଖି ଦେଇଥିଲେ। ତା’ପରେ ମା’ ଓ ପ୍ରେମିକ ମିଶି ଏ ବିଷୟରେ କାହାରିକୁ କିଛି ନଜଣାଇବାଲାଗି ପିଲା ଦୁହିଁଙ୍କୁ ଧମକ ଦେବା ସହିତ ଭୟ ଦେଖାଇବାଲାଗି ଗରମ ତାୱାରେ ଉଭୟଙ୍କ କଅଁଳ ଦେହରେ ଏକାଧିକ ଚେଙ୍କ ଦେଇଥିଲେ। ଜୀବନରୁ ମାରିଦେବାକୁ ବି ଧମକ ଦେଇଥିଲେ। ଫଳରେ ନାବାଳକ ଦୁହେଁ କାନ୍ଦି କାନ୍ଦି ଘରୁ ବାହାରକୁ ପଳାଇଥିଲେ। ଗତକାଲି ବାପା ରୋଶନ ଅନୁଗୁଳରୁ ଫେରିବାପରେ ଦିଆଯାଇଥିବା ଧମକ ସତ୍ତ୍ବେ ପିଲାମାନେ ମା’ର କଳାକାରନାମା ତାଙ୍କ ଆଗରେ ପ୍ରକାଶ କରି ଦେଇଥିଲେ। ରୋଶନ ଦୁଇ ଛୁଆଙ୍କୁ ନେଇ ମୈତ୍ରୀବିହାର ଥାନାରେ ମା’ ଓ ତା’ର ପ୍ରେମିକ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଆଗରେ ଦୁଇ ନାବାଳକ ମଧ୍ୟ ସବୁକଥା କହିଥିଲେ। ପ୍ରମାଣ ମିଳିବାପରେ ମାମଲା ରୁଜୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.4 ° C
    30.4 °
    30.4 °
    74 %
    1.8kmh
    100 %
    Sun
    30 °
    Mon
    31 °
    Tue
    31 °
    Wed
    29 °
    Thu
    29 °

    ସମ୍ବନ୍ଧିତ