Sunday, March 22, 2026
32.5 C
Odisha

    ୧୩୫ବର୍ଷ ଧରି ଭଡ଼ାଘରେ ପାଣିପାଗ ଅଫିସ୍‌

    ଆଗକୁ ପଢନ୍ତୁ

    ଚାନ୍ଦବାଲି: ନିକଟରେ ବାତ୍ୟା ‘ଦାନା’ ଯୋଗୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍‌ ପ୍ରଭାବିତ ହୋଇଥିଲା। ଏହି ବ୍ଲକ୍‌ ଅଞ୍ଚଳ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏଠାରେ ଥିବା ପାଣିପାଗ କାର୍ଯ୍ୟାଳୟ ୧୩୫ ବର୍ଷ ହେଲା ଭଡ଼ାଘରେ ଚାଲୁଛି। ବାତ୍ୟା ସମୟରେ ପବନର ବେଗ, ବର୍ଷା ପରିମାଣ ଏବଂ ଗ୍ରୀଷ୍ମରେ ତାପମାତ୍ରା ବୃଦ୍ଧି ସମ୍ପର୍କରେ ତଥ୍ୟ ଯୋଗାଇବାରେ ପାଣିପାଗ କାର୍ଯ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ୧୮୬୨ ମସିହାରେ ପ୍ରଥମେ ପାଣିପାଗ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଚାନ୍ଦବାଲି ପୋର୍ଟ ଅଫିସ ପକ୍ଷରୁ ସେତେବେଳର ସବୁଠୁ ଉଚ୍ଚସ୍ଥାନ ଚାନ୍ଦବାଲି ଥାନା ପରିସରରେ କାର୍ଯ୍ୟାଳୟ ଖୋଲାଯାଇଥିଲା। ଟେଲିଗ୍ରାମ୍‌ ମାଧ୍ୟମରେ କୋଲକାତା ଅଲ୍ଲୀପୁରକୁ ତଥ୍ୟ ଦିଆଯାଉଥିଲା। ଫଳରେ, ପବନର ଗତି, ବେଗ ସମ୍ପର୍କରେ ସୂଚନା ପାଇ କୋଲକାତାରୁ ଜାହାଜ ବିନା ଅସୁବିଧାରେ ଚାନ୍ଦବାଲିରେ ପହଞ୍ଚୁଥିଲା। ଏହାର କିଛିବର୍ଷ ପରେ ଅର୍ଥାତ୍‌ ୧୮୮୯ ମସିହାରେ ଏକ ଭଡ଼ାଘରେ ପାଣିପାଗ ଅଫିସ୍‌ ଖୋଲାଯାଇଥିଲା। ସେବେଠାରୁ ଏହା ଭଡ଼ାଘରେ ଚାଲିଛି। ଭଡ଼ାଘରେ ଚାଲୁଥିବା ଏହି କାର୍ଯ୍ୟାଳୟ ୨୦୧୮ ମସିହାରେ ଦେଶର ‘ଶ୍ରେଷ୍ଠ ପାଣିପାଗ ଅଫିସ’ ଭାବରେ ଖ୍ୟାତି ଅର୍ଜନ କରିଥିଲା। ତେବେ, ଏଠାରେ ଥିବା ବ୍ୟୁଫୋର୍ଟ ସ୍କେଲ୍‌ ସମ୍ମୁଖ ଓ ପଛ ପାଖରେ ବଡ଼ବଡ଼ ଗଛ, ସୁଉଚ୍ଚ ଅଟ୍ଟାଳିକା ଥିବାରୁ ପବନର ବେଗ, ଗତି ଓ ତାତିର ସଠିକ୍‌ ପରିମାପ ରେକର୍ଡ ହୋଇପାରୁନି।

    ୨୦୧୮ରେ ଦେଶର ‘ଶ୍ରେଷ୍ଠ ପାଣିପାଗ ଅଫିସ’ ସମ୍ମାନ ପାଇଥିଲା
    ଜମି, ଅର୍ଥ ମଞ୍ଜୁର ପରେ ବି ସିପିଡବ୍ଲୁଡିର ମଞ୍ଜୁରି ମିଳୁନି
    ଠିକ୍‌ ସମୟରେ ନିର୍ଭୁଲ ତଥ୍ୟ ଦେବାରେ ବିଫଳ

    ଅନ୍ୟପକ୍ଷରେ, ଏ ପର୍ଯ୍ୟନ୍ତ ପାଣିପାଗ ଅଫିସ୍‌ ପାଇଁ ସ୍ଥାୟୀ ଗୃହ ନିର୍ମାଣ କରାଯାଇନାହିଁ। ସୂଚନା ଅନୁସାରେ, ୨୦୧୮ ମସିହାରେ ଚାନ୍ଦବାଲି ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ୍‌ ସନ୍ନିକଟ ୧.୫ ଏକର ଏକ ସରକାରୀ ଜାଗାରେ ପାଣିପାଗ ଅଫିସ୍‌ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ୫କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଇତିମଧ୍ୟରେ ୬ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ ମାଟି ମୁଠେ ପଡ଼ିନାହିଁ। ସ୍ଥାନ ନିରୂପଣ ଓ ଅର୍ଥ ମଂଜୁର ସରିଥିଲେ ବି କାହିଁକି କାମ ଆରମ୍ଭ ହୋଇନି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶିଷ୍ଟ ପାଣିପାଗ ବିଜ୍ଞାନୀ ରମେଶ ଚନ୍ଦ୍ର ଗରଡ଼ିଆଙ୍କ କହିବା କଥା, ଲଘୁଚାପର ଗତିବିଧି ସହିତ ତାପମାତ୍ରାର ତଥ୍ୟ ସଂଗ୍ରହ ପାଇଁ ଚାନ୍ଦବାଲି ପାଣିପାଗ ଅଫିସ ଦେଶର ଶ୍ରେଷ୍ଠ ପାଣିପାଗ ଅଫିସ ଭାବରେ ଖ୍ୟାତି ଅର୍ଜନ କରିଥିଲା। ଏବେ କିନ୍ତୁ ନିର୍ଭୁଲ୍‌ ତଥ୍ୟ ଦେବା ପାଇଁ ଏଠାରେ ଉପଯୁକ୍ତ ପରିବେଶ ନାହିଁ। ଏଥିପାଇଁ ଆମେ ବୈତରଣୀ ନଦୀକୂଳରେ ଥିବା ସ୍ଥାନକୁ ଚୟନ କରିଥିଲୁ। ତେବେ, ସେଣ୍ଟ୍ରାଲ୍‌ ପବ୍ଲିକ୍‌ ୱାର୍କସ୍‌ ଡିପାର୍ଟମେଣ୍ଟ (ସିପିଡବ୍ଲୁଡି) ଏହି ସ୍ଥାନକୁ ମଞ୍ଜୁରି ପ୍ରଦାନ କରିନଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରିନି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ଚାନ୍ଦବାଲିବାସୀ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ