Saturday, February 21, 2026
33.5 C
Odisha

    କ୍ଷତିପୂରଣରେ ଭାଗଚାଷୀଙ୍କ ଭାଗ କେତେ? ଭୁଲିଗଲେଣି ୨୦୧୭ର ସରକାରୀ ରିପୋର୍ଟ

    ଆଗକୁ ପଢନ୍ତୁ

    ତଳି ପକାଇବାଠାରୁ ଆରମ୍ଭ କରି ବିଲରେ ଧାନରୁଆ, ସାର, କୀଟନାଶକ ପ୍ରୟୋଗ ଯାଏଁ, ସବୁଥିରେ ଝାଳବୁହା ପରିଶ୍ରମ ଓ ଅର୍ଥଖର୍ଚ୍ଚ। ଚାଷ ପାଇଁ କିଏ ଉଚ୍ଚ ସୁଧରେ ଅର୍ଥଲଗାଣକାରୀ ସଂସ୍ଥା, ସାହୁକାରଠାରୁ ଋଣ ଆଣିଥିଲେ ତ ଆଉ କିଏ ସ୍ତ୍ରୀ’ର ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ବନ୍ଧା ପକାଇଥିଲା। ହାତୀ ଓ ବନ୍ୟଜନ୍ତୁଙ୍କଠାରୁ ସୁରକ୍ଷା ପାଇଁ ଶୀତ କାକରରେ ରାତି ଉଜାଗର ରହି ଫସଲ ବି ଜଗିଥିଲେ। ଆଶା କରିଥିଲେ ଆଉ କିଛି ଦିନ ପରେ ଉତ୍ପାଦିତ ଫସଲ ବିକ୍ରି କରି ଋଣ ପରିଶୋଧ କରିବା ସହିତ ପରିବାରର ସ୍ବପ୍ନ ଏବଂ ଆବଶ୍ୟକତାକୁ ପୂରଣ କରିବେ। କିନ୍ତୁ ଅଦିନିଆ ବର୍ଷା ସେଥିରେ ପାଣି ଫେରିଦେଇଛି। ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ବାସନା ଦିଆଯାଇଛି। ଯଥାଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆସରିଲାଣି। କିନ୍ତୁ ଏହି କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଏଭଳି ଏକ ବର୍ଗ ଅଛନ୍ତି ଯେଉଁମାନେ ମାଟି ସହିତ ମାଟି ହୋଇ ଚାଷ କରିଥିଲେ ମଧ୍ୟ ସମସ୍ତ ପ୍ରକାର କ୍ଷତିପୂରଣ, ଇନ୍‌ପୁଟ୍‌ ସବସିଡି ଏବଂ ବୀମା ବ୍ୟବସ୍ଥାରୁ ବାଦ୍‌ ପଡ଼ିବା ନିଶ୍ଚିତ। କାରଣ ସେମାନେ ଭାଗଚାଷୀ।
    ରାଜ୍ୟର କୃଷି ବ୍ୟବସ୍ଥାରେ ସେମାନେ ସବୁଠି ଅଛନ୍ତି, ହେଲେ ସରକାରୀ ଦସ୍ତାବିଜ୍‌ରେ କେଉଁଠି ବି ଏମାନଙ୍କର ଚିହ୍ନବର୍ଣ୍ଣ ନାହିଁ। ୨୦୧୭ ମସିହାରେ ରାଜସ୍ବ, କୃଷି ଏବଂ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାଗଚାଷୀଙ୍କୁ ମାନ୍ୟତା ପାଇଁ ସୁପାରିସ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ଦୂରେ ଥାଉ, ଉକ୍ତ ରିପୋର୍ଟକୁ ସମସ୍ତେ ଭୁଲି ଯାଇଛନ୍ତି। ଜମି ମାଲିକଙ୍କଠାରୁ ଅନୁମତି ନେଇ ଭାଗଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରିବେ। ଜମି ମାଲିକଙ୍କ ସହଯୋଗ ରହିଲେ ପ୍ରାକୃତିକ ବିପର୍ଯ୍ୟୟରେ ସେମାନେ ସହାୟତା ଟଙ୍କା ପାଇପାରନ୍ତି। ମାତ୍ର ତାହା ମଧ୍ୟ ଅନେକ ସମୟରେ ବାସ୍ତବ ରୂପ ନେଇ ପାରେନାହିଁ। ୨୦୧୭ ମସିହାରେ ଅଦିନିଆ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।
    ଭୁଲିଗଲେଣି ୨୦୧୭ର ସରକାରୀ ରିପୋର୍ଟ
    ଝାଳବୁହା ପରିଶ୍ରମ ପରେ ମଧ୍ୟ ଜମିମାଲିକଙ୍କ ହାତଟେକାକୁ ଅପେକ୍ଷା

    ଏଥିରେ ଆତ୍ମହତ୍ୟା କରିଥିବା ଅଧିକାଂଶ ଚାଷୀ ଥିଲେ ଭାଗଚାଷୀ। ଏହାକୁ ନେଇ ଚାଷୀ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବା ସହ ସମଗ୍ର ଦେଶରେ ଆଲୋଚ୍ୟ ବିଷୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, କୃଷି ମନ୍ତ୍ରୀ ଦାମୋଦର ରାଉତ ଏବଂ ସମବାୟ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଦାଖଲ ରିପୋର୍ଟରେ ଭାଗଚାଷୀ ଆଇନ ସଂଶୋଧନର ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ଜମି ମାଲିକଙ୍କ ମାଲିକାନା ସ୍ବତ୍ବକୁ ଅକ୍ଷୁଣ୍ଣ ରଖି ଭାଗଚାଷୀଙ୍କୁ ସରକାରୀ ସୁବିଧା ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆଶା କରାଯାଉଥିଲା ୨୦୧୯ ନିର୍ବାଚନ ପୂର୍ବରୁ ସରକାର କିଛି ପଦକ୍ଷେପ ନେବେ। ଅଥଚ ୨୦୧୯ ନିର୍ବାଚନରେ ବିଜୟୀ ହେଲା ପରେ ମଧ୍ୟ ପୂର୍ବ ସରକାର ବିଲ୍‌ ଆଣିଲେ ନାହିଁ।

    ସହରୀକରଣ ବଢ଼ିବା ସହିତ ଓଡ଼ିଶାରେ ଭାଗଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ଜମି ମାଲିକ ସହରରେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି। ଗାଁ ଜମିକୁ ସେମାନେ ଭାଗଚାଷ ସୂତ୍ରରେ ଦେଉଛନ୍ତି। ଯିଏ ଚାଷରେ ସବୁ ଖର୍ଚ୍ଚ ସହିତ ପରିଶ୍ରମ କରନ୍ତି। ଉତ୍ପାଦନ ବିକ୍ରି ପରେ ଚୁକ୍ତିନାମା ଅନୁଯାୟୀ ମାଲିକଙ୍କ ସହିତ ବିକ୍ରି ମୂଲ୍ୟ ଭାଗ କରନ୍ତି। ଓଡ଼ିଶାରେ କାହିଁ କେତେ ବର୍ଷ ହେଲା ଏହି ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟରେ ୧୯୭୬ ମସିହାର ସଂଶୋଧନ ପରେ ଆଇନଗତ ଦୃଷ୍ଟିରୁ ରାଜ୍ୟରେ ଭାଗଚାଷ ଏକ ବେଆଇନ କାର୍ଯ୍ୟ କରି ଦିଆଗଲା। ଜମି ମାଲିକାନା ଚାଲିଯିବା ଭୟରେ ସ୍ବାଭାବିକ ଭାବରେ ଜମି ମାଲିକ ଭାଗଚାଷୀଙ୍କୁ ସହାୟତା ଟଙ୍କା ଦେବା ପାଇଁ ନିଜ ଖାତା ନମ୍ବର ଏବଂ ପ୍ଲଟ୍‌ ନମ୍ବର ଦିଅନ୍ତି ନାହିଁ। ତେଣୁ ଭାଗଚାଷୀ ପ୍ରକୃତ ଚାଷୀ ହୋଇ ମଧ୍ୟ ସମବାୟ ବ୍ୟାଙ୍କରୁ ସୁଧମୁକ୍ତ ଋଣ, ରିହାତିରେ ବିହନ, ସାର କିମ୍ବା କୀଟନାଶକ ପାଆନ୍ତି ନାହିଁ। ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ଜମି ମାଲିକ ନ ଚାହିଲେ ସେମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ‘ନିତି’ ଆୟୋଗ ପକ୍ଷରୁ ଭାଗଚାଷୀମାନଙ୍କୁ ଆଇନଗତ ଅଧିକାର ଦେବା ପାଇଁ ନିର୍ଦ୍ଦେଶନାମା ସହିତ ନମୁନା ଜମି ଲିଜ୍‌ ଆଇନ ଆସିବା ପରେ ତତ୍କାଳୀନ ବିଜେଡି ସରକାର ତତ୍ପର ହୋଇ ଉଠିଥିଲେ। ଏଥିପାଇଁ ବିଭିନ୍ନ ସ୍ଥାନରେ ଜମି ମାଲିକ ଏବଂ ଭାଗଚାଷୀଙ୍କ ମତାମତ ନେବା ପାଇଁ ବୈଠକ ମଧ୍ୟ ହୋଇଥିଲା। ଏଥିରେ ଭାଗଚାଷୀଙ୍କୁ ପ୍ରକୃତ ଚାଷୀର ମାନ୍ୟତା ଦିଆଗଲା। ସେମାନଙ୍କୁ ଚିହ୍ନଟ ପାଇଁ ଆର୍‌ଆଇ ଏବଂ ଅମିନଙ୍କୁ ନିର୍ଦ୍ଦେଶ ଦିଆଗଲା। ହେଲେ ଏହା ବିଶେଷ ଫଳପ୍ରଦ ହେଲାନି କି କମିଟି ରିପୋର୍ଟ କାର୍ଯ୍ୟକାରୀ ହେଲା ନାହିଁ। ୨୦୧୭ର ଅଦିନିଆ ବର୍ଷା ପରେ ଯେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଥିଲା, ୨୦୨୪ର ଅଦିନିଆ ବର୍ଷା ପରେ ତାକୁ ସରକାର କେତେ ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ