ଭାରତବର୍ଷର ଏକ ବିଶେଷତ୍ବ ହେଉଛି ଅନେକତାରେ ଏକତା। ଏହି ବିଶେଷତ୍ବ ଭାରତରେ ପାଳିତ ହେଉଥିବା ପର୍ବପର୍ବାଣିଗୁଡ଼ିକରେ ମଧ୍ୟ ଦେଖାଯାଏ। ଦୀପାବଳି ଦିନ ମୁଖ୍ୟତଃ ଦୀପଦାନ ମୁଖ୍ୟ ହୋଇଥିଲେ ମଧ୍ୟ ଏହାର ପ୍ରଥା ଏବଂ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ।
ଭାରତବର୍ଷରେ ପ୍ରାନ୍ତ ବିଶେଷରେ ପୂର୍ଣ୍ଣିମାନ୍ତ ଅମାବାସ୍ୟାନ୍ତ ଅନୁସାରେ ଧାର୍ମିକ ମାସ ପ୍ରଚଳନ ଭିନ୍ନ ଭିନ୍ନ ହୋଇଥାଏ। ଓଡ଼ିଶା ସମେତ ଅନେକ ରାଜ୍ୟରେ ପୂର୍ଣ୍ଣିମାରେ ମାସଶେଷ ହୋଇ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ନୂତନ ମାସ ଆରମ୍ଭ ହୋଇଥାଏ। ଗୁଜୁରାଟ ରାଜସ୍ଥାନ ଆଦି ପ୍ରାନ୍ତରେ ଏବଂ ଦକ୍ଷିଣ ଭାରତର କିଛି ପ୍ରାନ୍ତରେ ଅମାବାସ୍ୟାରେ ମାସ ଶେଷ ହୋଇ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମାସର ଆରମ୍ଭ ହୋଇଥାଏ।
ଭାରତବର୍ଷରେ ଦୀପାବଳିର ମହତ୍ବ ସହିତ ବହୁ କିଂବଦନ୍ତି ଏବଂ ଶାସ୍ତ୍ର ପୁରାଣ ମତ ଜଡ଼ିତ ରହିଛି। ପଶ୍ଚିମ ଭାରତ ଯଥା ଗୁଜରାଟ, ରାଜସ୍ଥାନ ଆଦି ପ୍ରାନ୍ତରେ ଦୀପାବଳି ଅମାବାସ୍ୟାର ମହତ୍ବ ଭିନ୍ନ। ଗୁଜରାଟରେ ପ୍ରଚଳିତ ପଞ୍ଜିକା ଅନୁସାରେ ଦୀପାବଳି ଅମାବାସ୍ୟା ହେଉଛି ବର୍ଷର ଅନ୍ତିମ ଦିବସ। ଦୀପାବଳି ପରଦିନଠାରୁ (କାର୍ତ୍ତିକମାସ ଶୁକ୍ଳପକ୍ଷ ପ୍ରତିପଦା ତିଥ୍ୟ ଠାରୁ) ଗୁଜରାଟରେ ନୂତନବର୍ଷର ଆରମ୍ଭ ହୋଇଥାଏ। ପୁନଶ୍ଚ ମା’ ଲକ୍ଷ୍ମୀ ଏହିଦିନ ସମୁଦ୍ର ମନ୍ଥନରୁ ଆବିର୍ଭୂତ ହୋଇଥିଲେ। ଏହି ପ୍ରାନ୍ତମାନଙ୍କରେ ଏହି ଦିନ ମା’ ଲକ୍ଷ୍ମୀ, ଅଗ୍ରପୂଜ୍ୟ ଶ୍ରୀଗଣେଶ, ଧନଦେବତା କୁବେର ଏବଂ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କର ପୂଜାର୍ଚ୍ଚନା ସହିତ ବ୍ୟବସାୟ ପ୍ରତିଷ୍ଠାନ ପୂଜା, ଖାତା ପୂଜା ସହିତ ଉତ୍ସବ ପାଳନ କରାଯାଏ।
ଅଯୋଧ୍ୟା ପ୍ରାନ୍ତରେ ଦୀପାବଳିର ମହତ୍ବ ଏବଂ ଅନୁଷ୍ଠାନ ସାମାନ୍ୟ ଭିନ୍ନ। ପ୍ରଭୁ ଶ୍ରୀରାମ ରାବଣ ବଧପରେ ମାତା ସୀତାଙ୍କୁ ଉଦ୍ଧାରକରି ୧୪ ବର୍ଷ ବନବାସ ପରେ ଦୀପାବଳି ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି ସମୟରେ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ୱଳନ କରି ମହୋତ୍ସବ ପାଳନ କରିଥିଲେ। ଏହି ଦିବସକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଦୀପାବଳିରେ ଦୀପ ଜଳାଯାଏ। ଅଜ୍ଞାନ, ଅସତ୍ୟ, ଅନ୍ଧକାର ଉପରେ ଜ୍ଞାନ, ସତ୍ୟ, ତଥ୍ୟର ବିଜୟ ପ୍ରତୀକ ସ୍ବରୂପ ଦୀପ ଜଳାଯାଏ। ଅକ୍ଟୋବର ୩୧ ଦିବା ୩ଟା ୫୩ମିନିଟ୍ ପରଠାରୁ ଅମାବାସ୍ୟା ତିଥି ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ସଂଧ୍ୟା ୬ଟା୧୭ ମିନିଟ୍ ପର୍ଯ୍ୟନ୍ତ ରହୁଥିବାରୁ, ଶ୍ରୀରାମଚନ୍ଦ୍ରଙ୍କ ବିଜୟ ଓ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟରେ ହେଉଥିବା ଉତ୍ସବ ମୁଖ୍ୟତଃ ଅକ୍ଟୋବର ୩୧ ତାରିଖ ଗୁରୁବାର ଅନୁଷ୍ଠିତ ହେବା ସହିତ ନଭେମ୍ବର ୧ ତାରିଖ ଶୁକ୍ରବାରରେ ଅମାବାସ୍ୟା ତିଥ୍ୟ ସୂର୍ଯ୍ୟୋଦୟଠାରୁ ପ୍ରଦୋଷ ପର୍ଯ୍ୟନ୍ତ ରହୁଥିବାରୁ ଏହା ନଭେମ୍ବର ୧ରେ ମଧ୍ୟ ପାଳନ କରାଯିବ।
ଶ୍ରୀଲକ୍ଷ୍ମୀ ଗଣେଶ ପୂଜା:-
ଶାସ୍ତ୍ର ମତରେ ଅମାବାସ୍ୟା ପ୍ରଦୋଷ ବ୍ୟାପିନୀ ସମୟରେ ଶ୍ରୀ ଲକ୍ଷ୍ମୀ ଗଣେଶ ପୂଜାର କର୍ମକାଳ ଅଟେ। ଯଦି ଅମାବାସ୍ୟା ଦୁଇଦିନ ପ୍ରଦୋଷ ସମୟକୁ ରହିଲେ କର୍ମକାଳ ପରଦିନ ହେବା ଉଚିତ। ପଶ୍ଚିମ ତଥା ଉତ୍ତର ଭାରତର କିଛି ପ୍ରାନ୍ତରେ ନଭେମ୍ବର ୧ତାରିଖ ସୂର୍ଯ୍ୟାସ୍ତ ପରେ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁନଥିବାରୁ ତଥା କିଛି ପ୍ରାନ୍ତରେ ଅତି ସ୍ୱଳ୍ପ ସମୟକୁ ରହୁଥିବାରୁ ସେହି ସ୍ଥାନମାନଙ୍କରେ ଏବଂ ସେହି ସ୍ଥାନର ସଂପ୍ରଦାୟମାନେ ଶ୍ରୀଲକ୍ଷ୍ମୀ ଗଣେଶ ପୂଜା ଅକ୍ଟୋବର ୩୧ତାରିଖ ଗୁରୁବାର ପାଳନ କରିବେ। ମାତ୍ର ପୂର୍ବ ଭାରତ ତଥା ଯେଉଁ ପ୍ରାନ୍ତରେ ଯେଉଁଠାରେ ଅମାବାସ୍ୟା ନଭେମ୍ବର ୧ତାରିଖ ପ୍ରଦୋଷ ସମୟକୁ ରହୁଛି ସେଠାରେ ଅକ୍ଟୋବର ୩୧ ତାରିଖ ଗୁରୁବାର ଦିବା ୩ଟା ୫୩ ମିନିଟ୍ ଠାରୁ ନଭେମ୍ବର ୧ତାରିଖ ଶୁକ୍ରବାର ସଂଧ୍ୟା ୬ଟା୧୭ ମିନିଟ୍ ମଧ୍ୟରେ ଲକ୍ଷ୍ମୀ, ଗଣେଶ, କୁବେର ପୂଜା ନୂତନ ଖାତା ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନ ଆଦି ପୂଜା କରାଯିବା ବିଧେୟ। ଏଣୁ ଓଡ଼ିଶାରେ ଏହି ପୂଜା ଅକ୍ଟୋବର ୩୧ ତାରିଖ ଗୁରୁବାର ଦିବା ୩ଟା୫୩ ମିନିଟ୍ ଠାରୁ ନଭେମ୍ବର୧ତାରିଖ ଶୁକ୍ରବାର ସଂଧ୍ୟା ୬ଟା୧୭ ମିନିଟ୍ ମଧ୍ୟରେ କରଣୀୟ।
ବର୍ତ୍ତମାନ ପୂର୍ବଭାରତ ତଥା ଓଡ଼ିଶା କଥା ବିଚାର କଲେ ଜଣାଯାଏ ଯେ, ଓଡ଼ିଶା ତଥା ପୂର୍ବଭାରତର କିଛି ପ୍ରାନ୍ତରେ ଦୀପାବଳିକୁ ମୁଖ୍ୟତଃ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ ବଡ଼ବଡୁଆ ଡାକ, ପୟାଶ୍ରାଦ୍ଧ ତଥା ଚଉରା ପୂଜା ଏବଂ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହିତ ପିତୃପୁରୁଷ ଏବଂ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ। ପିତୃପୁରୁଷ ପିତୃପକ୍ଷ ବା ଆଶ୍ୱିନ କୃଷ୍ଣପକ୍ଷରେ ପିତୃଲୋକ ପରିତ୍ୟାଗ କରି ଧରାବତାରଣ କରନ୍ତି ଏବଂ କାର୍ତ୍ତିକ ଅମାବାସ୍ୟାରେ ପୁନଶ୍ଚ ପିତୃଲୋକ ପ୍ରତ୍ୟାବର୍ତ୍ତନ କରନ୍ତି।
ଶାସ୍ତ୍ରରେ ଶ୍ରାଦ୍ଧକାଳ ମଧ୍ୟାହ୍ନ ଏବଂ ଅପରାହ୍ଣ ବ୍ୟାପିନୀ ହୋଇଥିବାରୁ ଦୀପାବଳି ଅମାବାସ୍ୟାରେ କରାଯାଉଥିବା ପିତୃଶ୍ରାଦ୍ଧ ବା ପୟାଶ୍ରାଦ୍ଧ ନଭେମ୍ବର ୧ତାରିଖ ଶୁକ୍ରବାର କରାଯିବ। ଚଳିତବର୍ଷ ଅକ୍ଟୋବର ୩୧ତାରିଖ ଗୁରୁବାର ଚତୁର୍ଦ୍ଦଶୀ ତିଥି ଦିବା ୩ଟା ୫୩ ମିନିଟ୍ ପର୍ଯ୍ୟନ୍ତ ରହୁଛି । ଏହାପରଠାରୁ ନଭେମ୍ବର ୧ ତାରିଖ ସଂଧ୍ୟା ୬ଟା୧୭ ମିନିଟ୍ ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହିଛି। ଶାସ୍ତ୍ରମତରେ ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ପୟାଶ୍ରାଦ୍ଧ ପାଇଁ ଉପଯୁକ୍ତ କର୍ମକାଳ ନୁହେଁ। ପୁନଶ୍ଚ ଅକ୍ଟୋବର ୩୧ରେ ଅମାବାସ୍ୟା ପ୍ରଦୋଷ ବ୍ୟାପିନୀ ଏବଂ ନଭେମ୍ବର ୧ରେ ଅମାବାସ୍ୟା ତିଥି ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ଅପରାହ୍ଣ ଏବଂ ପ୍ରଦୋଷ ସମୟକୁ ଭୋଗ ହେଉଅଛି। ପୁନଶ୍ଚ ଶାସ୍ତ୍ର ମତରେ ଉଭୟ ଦିନ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିଲେ କେବଳ ଦ୍ବିତୀୟ ଦିବସରେ ବା ପରଦିନ ପୟାଶ୍ରାଦ୍ଧ, ସଂଧ୍ୟାରେ ବଡ଼ବଡୁଆ ଡାକ, ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସହିତ ଦୀପ ପ୍ରଜ୍ଜ୍ୱଳନ କରିବା ଶାସ୍ତ୍ର ସମ୍ମତ।
ଉତ୍କଳ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ଦୀପାବଳି, ପୟାଶ୍ରଦ୍ଧ ଆଦି ଅନେକ ନୀତିକାନ୍ତି ନଭେମ୍ବର ୧ତାରିଖ ଶୁକ୍ରବାର ପାଳିତ ହେଉଅଛି।
ଏଣୁ ସର୍ବସମ୍ମତ ଭାବରେ ଓଡ଼ିଶାରେ ପୟାଶ୍ରାଦ୍ଧ, ଦୀପାବଳି ନଭେମ୍ବର ୧ତାରିଖରେ ପାଳନ କରାଯିବ। ସେହିପରି ଜୈନଧର୍ମାବଲମ୍ବୀଙ୍କ ମତରେ ଏହି ଦିବସରେ ଚତୁର୍ବିଂଶ ତୀର୍ଥଙ୍କର ମହାବୀର ନିର୍ବାଣ ପ୍ରାପ୍ତ ହୋଇଥିଲେ। ସେହିପରି ବୌଦ୍ଧ ସଂପ୍ରଦାୟ ତଥା ଦକ୍ଷିଣ ଭାରତର କିଛି ପ୍ରାନ୍ତରେ ଦୀପାବଳିରେ ଦୀପ ଜଳାଗଲେ ମଧ୍ୟ ଉଦ୍ଦେଶ୍ୟ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଥାଏ।
ଉପରୋକ୍ତ ବିଷୟକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ଜଣାଯାଏ ଯେ ଦୀପାବଳି ଭାରତବର୍ଷର ଗୋଟିଏ ମହାନ୍ ପର୍ବ । ଏହା ପ୍ରାନ୍ତ, ସଂପ୍ରଦାୟ ଓ ଧର୍ମ ଗୋଷ୍ଠୀ ଭେଦରେ ପାଳନର ଉଦ୍ଦେଶ୍ୟ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଥାଏ। ଚଳିତ ବର୍ଷ ଅମାବାସ୍ୟା ତିଥି ଦୁଇଦିନକୁ ବ୍ୟାପ୍ତ ରହୁଥିବାରୁ ଭିନ୍ନ ଭିନ୍ନ ପ୍ରାନ୍ତ ସଂପ୍ରଦାୟ ଭେଦରେ ପାଳନ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଛି। ଏଣୁ ଦୀପାବଳି ପାଳନ ଉଦ୍ଦେଶ୍ୟ ଭେଦରେ ଦ୍ବିମତ ବା ମତାନ୍ତର ନାହିଁ। ଏଣୁ ଦୀପାବଳି ଯେଉଁମାନେ ଯେଉଁ ଉଦ୍ଦେଶ୍ୟରେ ପାଳନ କରିବେ ସେମାନେ ସେହି ଦିବସରେ ଏବଂ ସେହି କର୍ମକାଳରେ ପାଳନ କରିବେ। ଏଥିରେ ମତାନ୍ତର ବା ଦ୍ବିମତ ନାହିଁ।
ସର୍ବଶେଷରେ ପ୍ରାନ୍ତ ସଂପ୍ରଦାୟ ଗୋଷ୍ଠୀ ଭେଦରେ ଦୀପାବଳି ପାଳନ ଦିବସ ବା କର୍ମକାଳରେ ପାର୍ଥକ୍ୟ ପରିଲକ୍ଷିତ ହେଲେ ମଧ୍ୟ ଏହା ସର୍ବସମ୍ମତ ଯେ ଦୀପାବଳି ଏକ ମହାନ ମହୋତ୍ସବ। ଏହା ଭାରତର ଅନେକତାରେ ଏକତାର ପ୍ରତୀକ। ସର୍ବୋପରି ଅନ୍ଧାର, ଅଜ୍ଞାନ, ଅସତ୍ୟ ଉପରେ ଆଲୋକ, ଜ୍ଞାନ ଓ ସତ୍ୟର ବିଜୟର ପ୍ରତୀକ। ଜୟ ଜଗନ୍ନାଥ
ଶ୍ରୀ ଦେବବର୍ଶୀ ଖଡ଼ୀରତ୍ନ
ଅସଲି ଖଡ଼ୀରତ୍ନ ପଞ୍ଜିକା