Saturday, May 2, 2026
41.6 C
Odisha

    ଆଜିଠୁ ୩୦ ଯାଏ ଶିକ୍ଷକ ବଦଳି ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଶିକ୍ଷକ (ପ୍ରାଥମିକ ଓ ମାଧ୍ୟମିକ)ଙ୍କ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ। ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଆନ୍ତଃ ଜିଲ୍ଲା ପ୍ରାଥମିକ ଶିକ୍ଷକ ବଦଳି କ୍ଷେତ୍ରରେ ଜାରି କ୍ୟାଲେଣ୍ଡର ଅନୁସାରେ, ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ଜୁନ ୩ରେ ବିଇଓଙ୍କ ଦ୍ବାରା ପ୍ରସ୍ତାବ ଡିଇଓଙ୍କୁ ପଠାଯିବ। ଜୁନ ୫ରେ ନିର୍ଦେଶକଙ୍କୁ ପ୍ରସ୍ତାବ (ଆନ୍ତଃଜିଲ୍ଲା) ପଠାଯିବ। ଜୁନ ୯ରେ ପ୍ରାଥମିକ ଶିକ୍ଷା ନିର୍ଦେଶକ/ଡିଏଲଟିସିଙ୍କ ଦ୍ବାରା ଅନୁମୋଦନ ପ୍ରଦାନ କରାଯିବ। ଜୁନ ୧୧ରେ ଓସେପା ୱେବ୍‌ସାଇଟ୍‌ରେ ବଦଳି ତାଲିକା ପ୍ରକାଶ ପାଇବ। ସେହିଦିନ ବଦଳି ଆଦେଶ ଜାରି ହେବ। ଜୁନ ୧୩ରେ ଶିକ୍ଷକ ଯୋଗଦେବେ। ଅନ୍ୟପକ୍ଷରେ ରେସନାଲାଇଜେସନ୍ କ୍ଷେତ୍ରରେ ମେ’ ୧୭ରେ ଓସେପା ଦ୍ବାରା ଜିଲ୍ଲାଗୁଡ଼ିକୁ ବଳକା ଏବଂ ଶିକ୍ଷକ ଅଭାବ ତାଲିକା ଦିଆଯିବ। ମେ’ ୨୬ରେ କମିଟି ଗଠନ ହେବ। ଜୁନ ୩ରେ କମିଟି ବୈଠକ ବସି ତାଲିକା ଚୂଡ଼ାନ୍ତ କରାଯିବ। ଜୁନ ୧୨ରେ ଡିଇଓ, ବିଇଓ ବଦଳି ଆଦେଶ ଜାରି କରିବେ। ଜୁନ୍ ୧୩ରେ ଶିକ୍ଷକମାନେ ସେମାନଙ୍କ ବିଦ୍ୟାଳୟରେ ଯୋଗଦେବେ ବୋଲି କ୍ୟାଲେଣ୍ଡରରେଦର୍ଶାଯାଇଛି । ସେହିପରି ମାଧ୍ୟମିକ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ବଦଳି (ପ୍ରଶାସନିକ ଏବଂ ବ୍ୟକ୍ତିଗତ କାରଣ) ନେଇ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। କ୍ୟାଲେଣ୍ଡର ଅନୁସାରେ, ମେ’ ୧୫ରୁ ୩୦ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ବିଭିନ୍ନ ପ୍ରକ୍ରିୟା ଶେଷ ହେବା ପରେ ଜୁନ୍ ୧୩ରେ ବଦଳି ଆଦେଶ ଜାରି ହେବ। ସେହିପରି ରେସନାଲାଇଜେସନ୍‌ କ୍ଷେତ୍ରରେ ଜୁନ ୩୦ରେ ବଦଳି ଆଦେଶ ଜାରି କରାଯିବ। ମାଧ୍ୟମିକ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ବଦଳି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷିତ ନୂଆ ଶିକ୍ଷକ ବଦଳି ନୀତି ଶିକ୍ଷାର ରାଜନୀତିକରଣ ପାଇଁ ଉଦ୍ଦିଷ୍ଟ ବୋଲି ସର୍ବଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସ୍‌ଟିଏଫଆଇ), ଓଡ଼ିଶା ୟୁନିଟ ପକ୍ଷରୁ କୁହାଯାଇଛି। ନିର୍ବାଚନ ମଣ୍ଡଳୀ ଭିତରେ ସାଂସଦ, ବିଧାୟକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ। ଏହା ପଛର ଉଦେଶ୍ୟ ଭଲ ଥିଲେ ବି ରାଜନୈତିକ ପ୍ରଭାବ ବଢ଼ିବାର ଆଶଙ୍କା ରହିଛି। ଯାହାଫଳରେ ସ୍ବଚ୍ଛ, ନିରପେକ୍ଷ ଓ ମାନଦଣ୍ଡଭିତ୍ତିକ ବଦଳି ପ୍ରକ୍ରିୟାରେ ବିଘ୍ନ ଘଟିପାରେ ବୋଲି ଏସଟିଏଫ ଆଇ ଓଡ଼ିଶା ୟୁନିଟ ପକ୍ଷରୁ ସର୍ବଭାରତୀୟ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ ଇସ୍ତାହାରରେ କହିଛନ୍ତି। ଏହି ବ୍ୟବସ୍ଥାକୁ ପୁନର୍ବାର ଅନୁଧ୍ୟାନ କରି ଶିକ୍ଷକମାନେ ୫ ବର୍ଷ ସେବା ପରେ ବଦଳି ପାଇଁ ଯୋଗ୍ୟ ହେବା ସଂକ୍ରାନ୍ତରେ ଏକ ନୂଆ ନୀତି ପ୍ରସ୍ତୁତ କରାଯାଉ ବୋଲି ‌େ‌ସ ଦାବି କରିଛନ୍ତି। ଶିକ୍ଷକ ବଦଳି କ୍ଷେତ୍ରରେ ସାଂସଦ ଓ ବିଧାୟକଙ୍କ ସୁପାରିସ୍ ନିୟମକୁ ନେଇ ରାଜନୀତି ଜୋର ଧରିଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଏହାଦ୍ୱାରା ଜନପ୍ରତିନିଧିଙ୍କ ପାଖକୁ ଆସୁଥିବା ଅଭିଯୋଗର ସମାଧାନ ହେବ। ଦୁର୍ନୀତିର ପ୍ରଶ୍ନ ଉଠୁନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.6 ° C
    41.6 °
    41.6 °
    13 %
    6kmh
    25 %
    Sat
    41 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ