Wednesday, September 9, 2026
24.5 C
Odisha

    ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଗଭୀର ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଆଜି ଓଡ଼ିଆ ସମାଜ ସମ୍ମୁଖରେ ଗୋଟିଏ ବଡ ପ୍ରଶ୍ନ ଠିଆ ହୋଇଛି । ଓଡ଼ିଆ ଭାଷା, ଐତିହ୍ୟ, ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ବଡ ପ୍ରଶ୍ନଚିହ୍ନ ଲାଗିଛି । ଯେଉଁ ସମାଜର ଐତିହ୍ୟ ହଜାର ହଜାର ବର୍ଷ ତଳର, ତାହାର ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଜେପି ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବରେ ଓଡ଼ିଆ ଅସ୍ମିତା ଏବଂ ରାଜ୍ୟରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରକ୍ରିୟାକୁ କଣ୍ଠରୋଧ କରାଯିବାର ଅପଚେଷ୍ଟାକୁ ସଫଳ ହେବାକୁ ଦେବ ନାହିଁ ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର‌୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଚଳିତ ଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ, ଓଡ଼ିଶାର ଭବିଷ୍ୟତ, ନୂଆପିଢିଙ୍କ ସୁରକ୍ଷା ନିର୍ବାଚନର ବିଷୟବସ୍ତୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
    କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ପ୍ରଣାଳୀରେ ଓଡ଼ିଶା ସବୁଠୁ ଲାଭାର୍ଥୀ ହୋଇଛି । ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ । ଓଡ଼ିଶାର ବିକାଶ ସବୁ ଦିଗରୁ ନିମ୍ନଗାମୀ ହୋଇଛି । ବିଜେପିକୁ ଆଶୀର୍ବାଦ କଲେ ଓଡ଼ିଶାକୁ ବିକଶିତ ଭାରତ ବେଳେ ଦେଶର ୧ ନମ୍ବର ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି । ତେବେ ବର୍ତ୍ତମାନର ମୂଳ ପ୍ରଶ୍ନ ହେଉଛି ଓଡ଼ିଆ ଭାଷା ଓ ଅସ୍ମିତା, ଯାହା ଏକ ବଡ ପ୍ରଶ୍ନବାଚୀରେ ଅଛି ।
    ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ବାହାର ରାଜ୍ୟରୁ ମୋତେ ରାଜ୍ୟସଭାକୁ ନିର୍ବାଚତ କରିବା ମୋ ପାଇଁ ଗୌରବର ବିଷୟ । ଆଜି ମୋ ଉପରେ ଓଡ଼ିଆ ନେତା ଭାବରେ ପ୍ରଶ୍ନ ଉଠିଛି, ଯାହାର ସାର୍ଟିଫିକେଟ୍ ଓଡ଼ିଆ ଲୋକମାନେ ଦେବେ । କିନ୍ତୁ ଆଜି ଓଡ଼ିଶାର ନେତୃତ୍ୱ କିଏ ନେବ ତାହା ଏକ ପ୍ରଶ୍ନବାଚୀ । ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଆଞ୍ଚଳିକ ଦଳର ନେତୃତ୍ୱ ଜଣେ ବାହାରର ନେତା ନେଉଛନ୍ତି । ଓଡ଼ିଆ ସ୍ୱାଭିମାନକୁ ଆଘାତ କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି । ନିକଟ ଅତୀତରେ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ପୂର୍ବରୁ ଓଡ଼ିଆ ସ୍ୱାଭିମାନକୁ କୁଠାରଘାତ କରିଛି । କୋଭିଡ୍ ସମୟରେ ମହାପ୍ରଭୁଙ୍କ ରଥାଯାତ୍ରାକୁ ବନ୍ଦ କରିବାକୁ କିଏ କରିଥିଲା ? ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କିଏ କରିଥିଲା ? ଓଡ଼ିଶା ସରକାରଙ୍କ ସତ୍ୟପାଠ କଣ ଥିଲା, ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ଉତ୍ତର ଦିଅନ୍ତୁ ।
    ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଭାବରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସେ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର ଶ୍ରମନ୍ଦିରକୁ ସୌନ୍ଦର‌୍ୟ୍ୟକରଣ କରିବା ନାଁରେ ହଜାର ହଜାର ବର୍ଷ ତଳର ଐତିହ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରିଛନ୍ତି । ତ୍ରୟୋଦଶ ଶତାବ୍ଦୀ ପୁରୁଣା ଐତିହ୍ୟ ଓ କୀର୍ତ୍ତିରାଜକୁ ନଷ୍ଟ କରିଛନ୍ତି ଓଡ଼ିଶା ସରକାର । ସରକାର ଲଙ୍ଗୁଳି ମଠ, ଏମାର ମଠ, ମଙ୍ଗୁ ମଠ, ସାନ ଛତା ମଠ, ବଡ଼ ଆଖଡ଼ା ମଠ ଏମିତି ଅନେକ ମଠ ଭାଙ୍ଗିଛନ୍ତି । ଲିଙ୍ଗରାଜ ମନ୍ଦିର, ଚିତ୍ରକାରିଣୀ ମନ୍ଦିର, ମକରେଶ୍ଵର ମନ୍ଦିର, ମୈତ୍ରେସ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ସହସ୍ରଲିଙ୍ଗ ଏବଂ ପାପନାଶିନୀ ପୁଷ୍କରିଣୀ, ଶାରୀ ଦେଉଳର କୀର୍ତ୍ତିରାଜି ନଷ୍ଟ କରିଛନ୍ତି । ଶାରୀ ଦେଉଳ ପାର୍ଶ୍ୱରେ ସପ୍ତମ ଶତାବ୍ଦୀର ଦେବୀ ମନ୍ଦିରକୁ ନଷ୍ଟ କରିବାକୁ ବି ପଛାଇ ନାହିଁ ସରାକାର। ଓଡ଼ିଶା ସରକାରଙ୍କ କମ୍ପାନୀ ଓମଏମସି ଯାଜପୁର ଜିଲ୍ଲାର ପାରାଭାଡି ପାହାଡ଼ରେ ଥିବା ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗି ରୁଜି ଖନନ କାମ କରୁଛି । ତ୍ରୟୋଦଶ ଶତାବ୍ଦୀ ଗଙ୍ଗବଂଶର ଚୌଦ୍ୱାରଗଡ଼ ଏବଂ ଅନ୍ୟ ସଂରକ୍ଷିତ ସ୍ଥାନରେ ଓଡ଼ିଶା ସରକାରଙ୍କ ସଂସ୍ଥା ଇଡକୋ ଜବରଦଖଲ କରୁଥିବା ଅଭିଯୋଗ ହୋଇଛି । ବିକାଶକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ବିକାଶ ନାମରେ ଓଡ଼ିଆ ସଭ୍ୟତା, ଓଡ଼ିଆ ଐତିହ୍ୟକୁ ଭାଙ୍ଗିବେ ତାହେଲେ ତାକୁ ସମସ୍ତ ଓଡ଼ିଆ ବିରୋଧ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    95 %
    1.5kmh
    100 %
    Wed
    25 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ