Thursday, April 30, 2026
41.9 C
Odisha

    ଓଡ଼ିଶା ଦିବସ: ଉତ୍କଳର ଗୌରବ ଓ ଐତିହ୍ୟର ଉତ୍ସବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଏପ୍ରିଲ୍ ୧, ୨୦୨୫, ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆଜିର ଦିନରେ ଆସନ୍ତୁ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପକୁ ଆହୁରି ଦୃଢ଼ କରିଛି ।” ଓଡ଼ିଶାର ଇତିହାସ ଗଭୀର ଓ ଗୌରବମୟ। ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଏହାର ଯାତ୍ରା ଅନୁପ୍ରେରଣାଦାୟୀ। ଏହି ଦିନ ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ମଧୁସୂଦନ ଦାସ ଆଦି ମହାନ ନେତାଙ୍କ ଯୋଗଦାନକୁ ମଧ୍ୟ ସ୍ମରଣ କରାଯାଏ, ଯେଉଁମାନେ ଓଡ଼ିଶାର ସ୍ୱାଭିମାନ ପାଇଁ ସଂଘର୍ଷ କରିଥିଲେ।

    ଓଡ଼ିଆ ନୂଆବର୍ଷ ଅବସରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ (ରାଜ୍ୟ ସ୍ତରୀୟ ଓ ଜିଲା ସ୍ତରୀୟ କାର୍ଯ୍ୟକ୍ରମ) ଆୟୋଜନ କରାଯିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ:

    ଏପ୍ରିଲ ୧ : ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ।

    ଏପ୍ରିଲ ୨ : ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।

    ଏପ୍ରିଲ ୩ : ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ କରାଯିବ।

    ଏପ୍ରିଲ ୪ : ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା” ର ଆୟୋଜନ କରାଯିବ।

    ଏପ୍ରିଲ ୫ : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

    ଏପ୍ରିଲ ୬ : ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯିବ।

    ଏପ୍ରିଲ ୭ : ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ” ନିମନ୍ତେ ଏହି ଦିନଟିକୁ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ପାଳନ କରାଯିବ।

    ଏପ୍ରିଲ ୮ : ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନଟିକୁ ରକ୍ତଦାନ ଅଭିଯାନ ଭାବରେ ପାଳନ କରାଯିବ।

    ଏପ୍ରିଲ ୯ : ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ “ଆସ ବହିଟିଏ କିଣିବା” ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

    ଏପ୍ରିଲ ୧୦ : ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ “ଲୋକକଳା ପାଇଁ ଦିନ ଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ କରାଯିବ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

    ଏପ୍ରିଲ ୧୧ : ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଦିନରେ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ।

    ଏପ୍ରିଲ ୧୨ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରାଯିବ।

    ଏପ୍ରିଲ ୧୩ : ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ “ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ କରାଯିବ। ପଞ୍ଚୟତି ରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ ।

    ଏପ୍ରିଲ ୧୪ : ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.9 ° C
    41.9 °
    41.9 °
    13 %
    5kmh
    0 %
    Thu
    43 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ