Tuesday, April 21, 2026
28.3 C
Odisha

    କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋର୍‌ଦାର୍‌: ମାନ୍‌ଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: କୃଷକଙ୍କ ଆନ୍ଦୋଳନସ୍ଥଳ ପାଲଟିଥିବା ଶମ୍ଭୁ ଏବଂ ଖନୌରୀ ସୀମାରେ ପୁଲିସର ଉଚ୍ଛେଦ ଅଭିଯାନ ଜୋରଦାର୍‌ ହୋଇଛି। ପ୍ରାୟ ୭୦୦ କୃଷକ ଅଟକ ରହିଛନ୍ତି। ପଡ଼ୋଶୀ ହରିୟାଣାର ଶମ୍ଭୁ-ଅମ୍ବାଲା ରୋଡ୍‌ରେ ପୁଲିସ୍‌ ବୁଲଡୋଜର୍‌ ଜରିଆରେ ସିମେଣ୍ଟ ବ୍ୟାରିକେଡ୍‌ ହଟାଇଛି। ଶମ୍ଭୁ ଏବଂ ଖନୌରୀ ସୀମାରେ କୃଷକଙ୍କୁ ହଟାଇବା ପାଇଁ ପ୍ରାୟ ୩ ହଜାର ପୁଲିସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଅଟକ ବିରୋଧରେ ପଞ୍ଜାବରେ ଆଜି କୃଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚାର ନେତାମାନେ କହିଛନ୍ତି, ସେମାନେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଜ୍ୟରେ ସମସ୍ତ ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ବାହାରେ ଧାରଣାରେ ବସି‌ବେ। ଆନ୍ଦୋଳନକୁ ଯିବା ସମୟରେ ଅମୃତସରରେ ୫୦ କୃଷକ ଗିରଫ ହୋଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ଗିଦ୍ଦେରବାହା, ମୁକ୍ତସାର ଜିଲ୍ଲାରେ କୃଷକମାନେ ଆନ୍ଦୋଳନ କରିଛନ୍ତି। ସେହିପରି ମୋଗା ଜିଲ୍ଲାରେ ଆନ୍ଦୋଳନକାରୀ କୃଷକ ଆଜି ଡିସିପି ଅଫିସକୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଯାଉଥିବାବେଳେ ବାଟରେ ସେମାନଙ୍କୁ ପୁଲିସ ଅଟକାଇବାରୁ ସଂଘର୍ଷ ହୋଇଛି।

    ଖନୌରୀର ହନୁମାନ ପ୍ୟାଲେସ୍‌ ଅସ୍ଥାୟୀ ଜେଲ୍‌ରେ ପରିଣତ ହୋଇଛି। ଆନ୍ଦୋଳନସ୍ଥଳରୁ ୩୦୦ରୁ ଅଧିକ କୃଷକଙ୍କୁ ଉଠାଇ ନେଇ ପୁଲିସ ଅଟକ ରଖିଛି। ଅଟକ କୃଷକ ନେତାମାନେ ପୁଲିସ ହେପାଜତରେ ରହି ଆମରଣ ଅନଶନ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଙ୍ଗରୁର୍‌ ଓ ପଟିଆଲାରେ ଇଣ୍ଟ‌ର‌ନେଟ୍‌ ସେବା ବନ୍ଦ ରଖାଯାଇଛି। ଚାଷୀ ନେତା ଜଗଜିତ ସିଂହ ଦଲ୍ଲେୱାଲଙ୍କୁ ପଞ୍ଜାବ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଚିକିତ୍ସା କରାଯାଉଥିଲା। ଗୁରୁବାର ତାଙ୍କୁ ଜଳନ୍ଧରର ପିଡବ୍ଲୁଡି ହସ୍ପିଟାଲ୍‌କୁ ପଠାଯାଇଛି। ଆଜି ଅଲ୍‌ ଇଣ୍ଡିଆ କିଷାନ ସଭା ଏବଂ ଭାରତୀୟ କିଷାନ ସଂଗଠନ ବ୍ୟାନର ଅଧୀନରେ କୃଷକମାନେ କର୍ନଲ୍‌ରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନିଙ୍କ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଛନ୍ତି। ପଞ୍ଜାବର କଂଗ୍ରେସ ସାଂସଦମାନେ କୃଷକଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଞ୍ଜାବର ଆପ୍‌ ସରକାର ଏବଂ କେନ୍ଦ୍ରର ବିଜେପି ସରକାର ବି‌ରୋଧରେ ସେମାନେ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି।

    ମାନ୍‌ଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

    ନୂଆଦିଲ୍ଲୀ: କେନ୍ଦ୍ର ରେଳ ‌ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶମ୍ଭୁ ସୀମାରେ ଶତାଧିକ କୃଷକ ଅଟକ ରହିବା ଏବଂ ଆନ୍ଦୋଳନରତ କୃଷକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ବିଟ୍ଟୁ ଆଜି ମାନ୍‌ଙ୍କୁ କଡ଼ା ସମା‌ଲୋଚନା‌ କରିଛନ୍ତି। ବିଟ୍ଟୁ କହିଛନ୍ତି, ଆପଣ କେବଳ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ପଞ୍ଜାବର ଲୋକମାନେ ରାଜ୍ୟର କୌଣସି ଗ୍ରାମରେ ଆପଣଙ୍କୁ ପୁରାଇ ଦେବେନି। କ୍ଷମତାରେ ରହିବା ପାଇଁ ଆପଣ ପୂରା ପଞ୍ଜାବ ଏବଂ କୃଷକଙ୍କୁ ବିପଦରେ ପକାଇ ଦେଇଛନ୍ତି। କିନ୍ତୁ ଆପଣ ଦେଖିବେ କେଜ୍ରିୱାଲଙ୍କର କିଛି ହେବନାହିଁ। ପଞ୍ଜାବର ଲୋକମାନେ ଆପଣଙ୍କୁ କୌଣସି ଗ୍ରାମରେ ବି ପୂରାଇ ଦେବେନାହିଁ। ପଞ୍ଜାବରେ ମାନ୍‌ ସରକାର କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ଶେଷ କରିବା ପାଇଁ ଚାହାନ୍ତିନି ବୋଲି ବିଟ୍ଟୁ ଅଭିଯୋଗ କରିଛନ୍ତି।

    ଦୁଇ କୃଷକ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି: ଖଡ଼ଗେ

    ନୂଆଦିଲ୍ଳୀ: ଦୀର୍ଘ ବର୍ଷ ଧରି ହରିୟାଣା-ପଞ୍ଜାବ-ଦିଲ୍ଲୀକୁ ସଂଯୋଗ କରୁଥିବା ରାଜପଥର ଶମ୍ଭୁ ସୀମା ଓ ଖନୌରୀ ସୀମାରେ ଚାଲିଥିବା କୃଷକଙ୍କ ଧାରଣାସ୍ଥଳକୁ ହଟାଯାଇଛି। ଏହି ଘଟଣାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍‌ ଖଡ଼ଗେ ଉଭୟ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଭୟ ଦଳ କୃଷକ ବିରୋଧୀ ବୋଲି ସେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ ଖଡ଼ଗେ କହିଛନ୍ତି, ଉଭୟ ବିଜେପି ଓ ଆପ୍‌ କ୍ଷମତାରେ ଅନ୍ଧ ହୋଇଯାଇଛନ୍ତି। ଦୁଇଟି ଦଳ କୃଷକ ବିରୋଧୀ ଅଟନ୍ତି ଓ ସେମାନେ ‘ଅନ୍ନଦାତା’ କୃଷକଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି। ପ୍ରଥମେ ପଞ୍ଜାବ ସରକାର କୃଷକ ନେତାଙ୍କୁ କଥାବାର୍ତ୍ତା ନିମନ୍ତେ ନିମନ୍ତ୍ରଣ କରିଥିଲେ, ପରେ ସେମାନଙ୍କୁ ଧାରଣାସ୍ଥଳରୁ ବଳପୂର୍ବକ ହଟାଇଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ