Thursday, April 30, 2026
30.2 C
Odisha

    ନୌବିହାର କଲେ ମଦନମୋହନ: ମଣି ବିମାନେ ଗୋବିନ୍ଦ, ୨୧ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ

    ଆଗକୁ ପଢନ୍ତୁ

    ‘‘ମଣି ବିମାନେ ଗୋବିନ୍ଦ.., ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ..। ଦେଖ ଗୋ ରାଧା ମାଧବ ଚାଲି.., ମଣିବିମାନ ଆସେ ଝୁଲିଝୁଲି..।’’ ବଡ଼ଦାଣ୍ଡରୁ ସଞ୍ଚରି ଆସୁଥିଲା ଏହି ମଧୁମୟ ସଂଗୀତ। ମଣି ବିମାନରେ ଝୁଲିଝୁଲି ଚନ୍ଦନ ମଉଜ ପାଇଁ ନରେନ୍ଦ୍ରକୁ ଛୁଟି ଆସିଥିଲେ ପ୍ରଭୁ ମଦନମୋହନ। ଏଣେ ମହାପ୍ରଭୁଙ୍କୁ ସରୋବରରେ ବାହି ନେବାକୁ ଆତୁର ନେତ୍ରରେ ଚାହିଁ ରହିଥିଲେ ନନ୍ଦା, ଭଦ୍ରା। ମହାପ୍ରଭୁ ନରେନ୍ଦ୍ରର ଯେତିକି ନିକଟ ହେଉଥିଲେ, ଜଳରାଶି ସେତେ ଉଛୁଳୁଥିଲା। ଏହି ଲୀଳା ସଂଦର୍ଶନ କରିବାକୁ ଅପେକ୍ଷା କରି ରହିଥିଲେ ଭକ୍ତଗଣ। ୨୧ ଦିନିଆ ଯାତ୍ରାର ଆଜି ଥିଲା ପ୍ରଥମ ଦିନ। କାହାଳି ବାଜିବା ପରେ ଘଣ୍ଟ, ଛତା ପଟୁଆରରେ ମହାପ୍ରଭୁ ସ୍ବତନ୍ତ୍ର ମଣି ବିମାନରେ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲ ମାନବୀୟ ଲୀଳା। ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରିଥିଲେ। ମହାପ୍ରଭୁଙ୍କ ସହ ରାମ-କୃଷ୍ଣ ସୁସଜ୍ଜିତ ପାଲିଙ୍କିରେ ବିଜେ କରିଥିଲେ।

    ଦିନ ଚାପ ପରେ ବିଜେପ୍ରତିମା ଚନ୍ଦନ ମଣ୍ଡପକୁ ବିଜେ ହୋଇ ଚନ୍ଦନ କୁଣ୍ଡରେ ବୁଡ଼ିଥିଲେ। ନରେନ୍ଦ୍ର ଚକଡ଼ା ରୋଷରେ ପ୍ରସ୍ତୁତ ମାଣ୍ଡୁଅ ଭୋଗ ଲାଗିଥିଲା ଏବଂ ବିଡ଼ିଆ ମଣୋହି ହୋଇଥିଲା। ରାତି ଚାପ ଅନୁଷ୍ଠିତ ହେବା ପରେ ଚନ୍ଦନ ଠାକୁର ଓ ପଞ୍ଚ ମହାଦେବଙ୍କ ବାହୁଡ଼ା ବିଜେ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ଏହି ବାହାର ଚନ୍ଦନ ଯାତ୍ରା ତଥା ଚାପ ଖେଳ ୨୧ ଦିନ ଧରି ଚାଲିବାକୁ ଥିଲେ ହେଁ ୨୦ ଦିନ ନୌବିହାର କରିବେ। ୨୧ତମ ଦିନ ହଳଦୀ ପାଣି ଅନୁଷ୍ଠିତ ହେବ। ସେଦିନ କେବଳ ବିଜେ ପ୍ରତିମା ନୌକାକୁ ଯାଇ ପାଦ ପ୍ରକ୍ଷାଳନ କରି ଫେରିବେ। ବାହାର ଚାପ ପରେ ଶ୍ରୀମନ୍ଦିର ଭିତରେ ୨୧ ଦିନର ଭିତର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ।

     ଛତି, ଭଜନ ଓ ସଂକୀର୍ତ୍ତନର ଅପୂର୍ବ ସମାବେଶରେ ପଞ୍ଚ ପାଣ୍ଡବ ତଥା ପଞ୍ଚ ମହାଦେବ ଶ୍ରୀଯମେଶ୍ବର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠଙ୍କ ବିଜେ ପ୍ରତିମା ସ୍ବବିମାନରେ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଚାପଖେଳ ପରେ ମହାପ୍ରଭୁ ନରେନ୍ଦ୍ର ଚକଡ଼ାରେ ଚନ୍ଦନ କୁଣ୍ଡର ଶୀତଳ ଜଳରେ ସ୍ନାନ କରିଥିଲେ। ସ୍ନାନ ପରେ ମାଣ୍ଡୁଅ ଓ କେଳି ଭୋଗ ଲାଗି ହୋଇଥିଲା। ଆଜି ଭୋର୍‌ ୪ଟାରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ପରେ ଚନ୍ଦନଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର୍‌ ୪ଟା ୪୦ରେ ମଙ୍ଗଳ ଆଳତି ହୋଇଥିଲା। ସକାଳ ୮ଟା ୨୫ରେ ସକାଳ ଧୂପ ଓ ୧୧ଟାରେ ଯାତ୍ରାଙ୍ଗି ମହାସ୍ନାନ ନୀତି ବଢ଼ିଥିଲା। ପୂର୍ବ ଦିନରୁ ଅଧିବାସ ହୋଇ ରହିଥିବା ଚନ୍ଦନକୁ ପୂଜାପଣ୍ଡା ସାମନ୍ତ, ପତି ମହାପାତ୍ର, ମୁଦିରସ୍ତ ଓ ତିନି ପାଳିଆ ପୁଷ୍ପାଳକ ସେବକମାନେ ଭୋଗମଣ୍ଡପ ଘରଠୁ ବେଢ଼ାକୁ ଚନ୍ଦନ ଆଣିଥିଲେ। ଚନ୍ଦନ ପିଙ୍ଗଣ ଓ ପରିଖଗୁଡ଼ିକ ଘଣ୍ଟ, ଛତା, କାହାଳି ଆଦି ତିନିଥର ବଡ଼ ଦେଉଳକୁ ପ୍ରଦକ୍ଷିଣ କରାଇ ଭିତର ସିଂହାସନ ଉପରେ ତିନି ବାଡ଼‌ରେ ସଜାଇ ରଖାଯାଇଥିଲା। ଟେରା ନପଡ଼ି ଶୀତଳ ଭୋଗ ବଢ଼ିଥିଲା। ଭୋଗ ସରିବା ପରେ ମଣିମା ଡାକପୂର୍ବକ ସର୍ବାଙ୍ଗ ଚନ୍ଦନ ଲାଗି ହୋଇଥିଲା। ପରେ ଅଳକା, ଚଉସରା, ଗୁଣା, ଝୁମ୍ପା, ଚୂଳ ଓ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ବେଶ ବଢ଼ିଥିଲା। ମଦନମୋହନ ଓ ରାମକୃଷ୍ଣ ସିଂହାସନକୁ ବିଜେ କରିବା ପ‌ରେ ତିନି ବାଡ଼ରେ ବନ୍ଦାପନା ହୋଇଥିଲା।

    ଅପରାହ୍‌ଣ ୪ଟା ୪୫ରେ ବିଜେ ପ୍ରତିମା ରାମ-କୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞାମାଳ ପାଇ ପାଲିଙ୍କି ଓ ବିମାନକୁ ବିଜେ କରିଥିଲେ। ଶ୍ରୀମନ୍ଦିରରୁ ବାହାରି ୫ଟା ୪୫ରେ ରଥଖଳାରେ ପହଞ୍ଚିଥିଲେ। ସେଠାରେ ନିଜ ରଥ କାର୍ଯ୍ୟ ଶୁଭାରମ୍ଭ ଦେଖିବା ପରେ ନରେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ। ସନ୍ଧ୍ୟାରେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିଥିଲେ। ସେଠାରେ ଦୁଇଟି ନାବ ଯୋଡ଼ାଯାଇ ଶୋଭନୀୟ ଭାସମାନ ବିମାନ ନିର୍ମିତ ହୋଇଥିଲା। ଚନ୍ଦନ ଚକଡ଼ା ପୁଷ୍ପ ବିମଣ୍ଡିତ ହୋଇଥିଲା। ଚନ୍ଦନ ମଣ୍ଡପ ମଧ୍ୟ ଶୋଭାବର୍ଦ୍ଧନ କରୁଥିଲା। ପ୍ରଥମେ ରାମ-କୃଷ୍ଣ ଭଦ୍ରାରେ ବିଜେ କରିଥିଲେ। ପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ନନ୍ଦାରେ ବିଜେ କରିଥିଲେ। ଶେଷରେ ପଞ୍ଚ ମହାଦେବ ଭଦ୍ରାରେ ବିଜେ କରିଥିଲେ। ବିଜେ କାର୍ଯ୍ୟ ଶେଷ ପରେ ନୌବିହାର ତଥା ଦିନ ଚାପ ଆରମ୍ଭ ହୋଇଥିଲା। ପ୍ରଥମେ ବୈଜୟନ୍ତୀ, ପରେ ଭଦ୍ରା ଓ ଶେଷରେ ନନ୍ଦା ଚନ୍ଦନ ଠାକୁରଙ୍କୁ ଧରି ନୌବିହାର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ