Friday, May 1, 2026
26.7 C
Odisha

    ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପ୍ରସ୍ତୁତି ସମୀକ୍ଷା ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି କହିଥିଲେ ଯେ ବରଗଡ଼ ଧନୁଯାତ୍ରା ଆମର ଗର୍ବ ଓ ଗୌରବ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ସ୍ୱୀକୃତିପ୍ରାପ୍ତ ବରଗଡ଼ ଧନୁଯାତ୍ରା ଭଗବାନ କୃଷ୍ଣ, ତାଙ୍କ ବାଲ୍ୟଲୀଳା ଓ ତାଙ୍କ ରାକ୍ଷସ ମାମୁଁ କଂସଙ୍କ କାହାଣୀ ଉପରେ ଆଧାରିତ । ଏହି ଉତ୍ସବ ସମୟରେ ସମଗ୍ର ବରଗଡ଼ ଜିଲ୍ଲାରେ ମଥୁରା ରାଜ୍ୟରେ ପରିଣତ ହୋଇଯାଏ । ଏହାର ଆୟୋଜନ କେବଳ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି ।

    ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଆଭାସି ମାଧ୍ୟମରେ ଯୋଗଦେବା ସହ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଓ ଅନ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ଏହା ସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ ଉପାଧ୍ୟାୟ, ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବାଳୀରାମ ବୋଣ୍ଡର, ବରଗଡ଼ ଜିଲ୍ଲା ଏସପି ଶ୍ରୀ ପ୍ରହଲାଦ ସାହାଇ ମୀନା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଶ୍ରୀ ଚିତ୍ତରଞ୍ଜନ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ ।

    ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରରେ ପହଞ୍ଚାଇବ ପାଇଁ ଏହି ବୈଠକରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା । ଧନୁଯାତ୍ରାର ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଲଇଡ଼ି ଡିସପ୍ଲେ ମାଧ୍ୟମରେ ସିଧା ପ୍ରସାରଣ କରି ଡିଜିଟାଲ ପ୍ରସାରକୁ ବୃଦ୍ଧି କରିବା ସହ ଅତିଥି ଓ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଦେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ହୀରାକୁଦ ଡ୍ୟାମ ଏବଂ ସ୍ଥାନୀୟ ହସ୍ତଶିଳ୍ପ କ୍ଲଷ୍ଟର ଓ ରାତ୍ରି ବଜାରକୁ ଆକର୍ଷଣୀୟ କରି ଏହି ଉତ୍ସବରେ ସାମିଲ କରିବା ଉପରେ ବିଶେଷ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଉତ୍ସାହ ଭରିବା ପାଇଁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଏବଂ ଲଳିତ କଳା ଏକାଡେମୀ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକର ଯୋଗଦାନ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.7 ° C
    26.7 °
    26.7 °
    68 %
    1.7kmh
    55 %
    Thu
    27 °
    Fri
    38 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ