Friday, May 1, 2026
27 C
Odisha

    ଭାରତକୁ ଉଚ୍ଚକୁ ନେବା ନିମନ୍ତେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ଓ ମାର୍ଗ ଦର୍ଶନ ଦେବାର ଆବଶ୍ୟକତା ରହିଛି : ରାଜ୍ୟପାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨୯/୪: ଉପଯୁକ୍ତ ପ୍ରୋତ୍ସାହନ ଓ ମାର୍ଗ ଦର୍ଶନ ମିଳିଲେ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଦେଶକୁ ଶୀର୍ଷକୁ ନେବାର ଦକ୍ଷତା ରହିଛି ବୋଲି ସୋମବାର ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି । ବର୍ତମାନ ଯୁବକମାନେ ଦେଶର ବିକାଶ ସହିତ ଖୁବ୍ ନିବିଡ଼ ଭାବେ ଜଡ଼ିତ ଏବଂ ବିଶ୍ୱ ସ୍ତରରେ ନିଜକୁ ପ୍ରତିପାଦିତ କରିବାରେ ସେମାନଙ୍କର ଦକ୍ଷତା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ‘ୟୁଥ୍ ଫର ନ୍ୟାସନ୍‌’ (ୱାଇ୪ଏନ୍‌)ର ଓଡ଼ିଶା ଚ୍ୟାପ୍ଟରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ ଏହା କହିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୟୁଥ ଫର ନ୍ୟାସନ୍‌ର ରାଜ୍ୟ ଶାଖାକୁ ଶୁଭାରମ୍ଭ କରିବା ଅବସରରେ ଏହି ଅନୁଷ୍ଠାନ ଯୁବପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିବା ସହ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବ ସୃଷ୍ଟି କରିବାକୁ ସକ୍ଷମ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ତଥା ୟୁଥ୍ ଫର୍ ନ୍ୟାସନ୍ (ଓଡ଼ିଶା ଶାଖା)ର ସଭାପତି ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉତର ପ୍ରଦେଶ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ୱାଇ୪ଏନ୍‌ର କାର୍ଯ୍ୟକାରୀ ସଭାପତି ପ୍ରଫେସର ଦୁର୍ଗ ସିଂ ଚୌହାନ୍‌, ୱାଇ୪ଏନ୍‌ର ଜାତୀୟ ସଂଯୋଜକ କମାଣ୍ଡର ଭି.କେ. ଜେଟ୍‌ଲି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ୱାଇ୪ଏନ୍‌ର ସଚିବ ଶ୍ରୀ ଅରବିନ୍ଦ ତ୍ରିପାଠୀ ଏବଂ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । କମାଣ୍ଡର ଜେଟ୍‌ଲୀଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ହଣ୍ଡ୍ରେଡ୍ ଗ୍ରେଟ୍ ଆଇଆଇଟିଆନ୍‌ସ୍‌’କୁ ରାଜ୍ୟପାଳ ଏହି ଅବସରରେ ଉନ୍ମୋଚନ କରିଥିଲେ । ପୁସ୍ତକ ଉନ୍ମୋଚନ ଅବସରରେ କମାଣ୍ଡର ଜେଟ୍‌ଲୀ କହିଥିଲେ ଯେ ପୁସ୍ତକଟି ନନ୍ଦନ ନିଲେକାନି, ନାରାୟଣ ମୂର୍ତୀ, ଦାମୋଦର ଆଚାର୍ଯ୍ୟ ଏବଂ ଗୋପାଳ ଚନ୍ଦ୍ର ମିତ୍ରଙ୍କ ଭଳି ଆଇଆଇଟିଆନ୍‌ସ୍‌ଙ୍କ ଉପରେ ପର୍ଯ୍ୟବେସିତ ଯେଉଁମାନେ କି ବିଦେଶକୁ ଯିବାକୁ ଲାଳାୟିତ ନ ହୋଇ ନିଜ ଜନ୍ମ ମାଟିରେ ହିଁ କାର୍ଯ୍ୟ କରିବାକୁ ପସନ୍ଦ କରିଥିଲେ । ନିଜ ଭାଷଣରେ ରାଜ୍ୟପାଳ ନୂତନ ଶିକ୍ଷାନୀତି ସମ୍ପର୍କରେ କହିଥିଲେ ଯେ ଏହା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସାମ୍ନା କରିବା ନିମନ୍ତେ ପ୍ରସ୍ତୁତ କରିବ । ସେମାନଙ୍କ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କର ସ୍ୱପ୍ନ ଥିଲା ଭାରତ ବିଶ୍ୱର ନେତୃତ୍ୱ ନେଉ ଏବଂ ଯୁବପିଢ଼ିଙ୍କୁ ସେଥିପାଇଁ ଦିଗଦର୍ଶନ ଦେବା ଆବଶ୍ୟକ । ସେ କହିଥିଲେ ଯେ ଭାରତ ବିଶ୍ୱର ୫ମ ବୃହତ୍ ଅର୍ଥନୈତିକ ଶକ୍ତି ହୋଇଥିବା ବେଳେ ୨୦୦ ବର୍ଷ ଧରି ଦେଶକୁ ପରାଧିନ କରି ରଖିଥିବା ବ୍ରିଟେନକୁ ଏ ଦିଗରେ ପଛରେ ପକାଇ ଦେଇଛି । ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମେମ୍ବର୍ସମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ପ୍ରଫେସର ଆଚାର୍ଯ୍ୟ କହିଥିଲେ ଯେ ଦେଶକୁ ସଶକ୍ତ କରିବା ନିମନ୍ତେ ଯୁବକମାନଙ୍କୁ କୁଶଳୀ କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀମାନଙ୍କର ମନୋଭାବ, ପ୍ରଶିକ୍ଷଣ ଓ ନୈତିକତା ଦ୍ୱାରା ହିଁ ଦେଶର ଉନ୍ନ୍‌ତି ଘଟିବ ଏବଂ ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୈତିକ ଶକ୍ତି ହୋଇପାରିବ ବୋଲି ସେ କହିଥିଲେ ।
    ପ୍ରଫେସର ଚୌହାନ୍ କହିଥିଲେ ଯେ ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବା ସହ ସେମାନଙ୍କ ମଧ୍ୟରେ ଦେଶାତ୍ମକବୋଧ ଭାବ ସୃଷ୍ଟି କରିବା ହିଁ ୱାଇ୪ଏନ୍‌ର ଚେଷ୍ଟା ।
    ପ୍ରଫେସର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ଦେଶ ଗଠନ ନିମନ୍ତେ ଯୁବପିଢ଼ିଙ୍କୁ ଶିକ୍ଷିତ କରିବାର କାର୍ଯ୍ୟଧାରା ଜାରି ରଖିଛି । ସୋଆ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ । ‘ହଣ୍ଡ୍ରେଡ୍ ଗ୍ରେଟ୍ ଆଇଆଇଟିଆନ୍‌ସ’ ପୁସ୍ତକରେ ସ୍ଥାନୀତ ସୋଆର ଉପଦେଷ୍ଟାମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ଆଚାର୍ଯ୍ୟ, ଆଇଆଇଟି-ଆଇଏସ୍‌ଏମ୍‌, ଧାନବାଦର ପୁରାତନ ଛାତ୍ର ଡକ୍ଟର ଅରୁଣ କୁମାର ଶୁକ୍ଲା ଏବଂ ଆଇଆଇଟି ଖଡ଼ଗପୁରର ପୁରାତନ ଛାତ୍ର ସ୍ୱର୍ଗତ ଗୋପାଳଚନ୍ଦ୍ର ମିତ୍ରଙ୍କୁ ଏହି ଅବସରରେ ରାଜ୍ୟପାଳ ସମ୍ମାନିତ କରିଥିଲେ । ସ୍ୱର୍ଗତ ମିତ୍ରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଫେସର ପି.କେ. ପାଢ଼ୀ ଗ୍ରହଣ କରିଥିଲେ । ଓଡ଼ିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତ ମିତ୍ରଙ୍କର ଅନେକ ଅବଦାନ ରହିଛି ବୋଲି ପ୍ରଫେସର ପାଢ଼ୀ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    67 %
    3kmh
    61 %
    Fri
    27 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ