Friday, September 20, 2024
30.1 C
Odisha

    ଅତ୍ୟାସକ୍ତି ଦୁଃଖର କାରଣ

    ଆଗକୁ ପଢନ୍ତୁ

    ଜନୈକ ଗୃହୀଶିଷ୍ୟ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କଲେ । ଗୁରୁ ତାଙ୍କୁ ଜଞ୍ଜାଳପୂର୍ଣ ସଂସାରର ମୋହ ତ୍ୟାଗ କରି ଈଶ୍ଵରଙ୍କ ସାନ୍ନିଧ୍ୟ ପାଇବାକୁ ପରାମର୍ଶ ଦେଉଥାନ୍ତି । ମାତ୍ର ସେ ତାଙ୍କ ଗୃହର ସମସ୍ତ ପ୍ରିୟ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାରେ ଏତେ ମାତ୍ରାରେ ଆସକ୍ତ ଥା’ନ୍ତି ଯେ ଗୃହ ପରିତ୍ୟାଗ କରିପାରନ୍ତି ନାହିଁ । ଗୁରୁ ତାଙ୍କୁ ଉଦାହରଣ ଛଳରେ ରତ୍ନାକର ବାଲ୍ମିକୀ ହେବା ବୃତାନ୍ତ ବର୍ଣ୍ଣନା କରି କହିଲେ- ନାରଦଙ୍କ ଠାରୁ ଶୁଣି ରତ୍ନାକର ତା’ ଘରେ ସମସ୍ତଙ୍କୁ ଯାଇ ପ୍ରଶ୍ନକଲା ଯେ, ତୁମମାନଙ୍କ ପାଇଁ ମୁଁ ନରହତ୍ୟା ପରି ପାପ କରିବସିଛି । ହେଲେ ତୁମେ ଏ ପାପରେ ଭାଗୀଦାର ହେବ କି ନାହିଁ? ଗୃହର ସମସ୍ତେ ଗୋଟିଏ କଥା କହିଲେ ଯେ, ତୁମେ ଗୃହର ମୁରବୀ । ତୁମେ ଯେ କୌଣସି ଉପାୟରେ ଆମମାନଙ୍କୁ ପ୍ରତିପୋଷଣ କରିବ । ଏହା ତୁମର କର୍ତ୍ତବ୍ୟ । ଆମେ କାହିଁକି ତୁମ ଅର୍ଜନ କରିଥିବା ପାପରେ ଭାଗୀ ହେବୁ? ଏକଥା ଶୁଣି ରତ୍ନାକରର ସଦ୍‌ବୁଦ୍ଧି ଉଦୟ ହେଲା । ସେ ସାଂସାରିକ ମୋହବନ୍ଧନରୁ ମୁକ୍ତ ହୋଇ ତପସ୍ୟାରେ ମଗ୍ନ ରହି ବାଲ୍ମୀକ ଋଷିରେ ପରିଣତ ହେଲେ ।

    ଏସବୁ କଥା ସେହି ଶିଷ୍ୟ ଶୁଣି ମଧ୍ୟ ଗୃହତ୍ୟାଗ କରିପାରିଲେ ନାହିଁ । ତାଙ୍କ ମତରେ ତାଙ୍କର ପିତା,ମାତା,ପତ୍ନୀ,କନ୍ୟା ତାଙ୍କୁ ଖୁବ୍ ଭଲପା’ନ୍ତି । ତାଙ୍କ ଲାଗି ଜୀବନ ମଧ୍ୟ ଉତ୍ସର୍ଗ କରିପାରନ୍ତି । ସେ ସେମାନଙ୍କୁ ବା ସେମାନେ ତାଙ୍କୁ ଛାଡି ବଞ୍ଚି ରହିପାରିବେ ନାହିଁ । ଏକଦା ଗୁରୁ ସେହି ଶିଷ୍ୟକୁ ଗୁପ୍ତରେ କିଛି କହି ଘରକୁ ପଠାଇଦେଲେ ।

    କିଛି ସମୟ ବ୍ୟବଧାନରେ ଗୁରୁ ଶିଷ୍ୟର ଗୃହରେ ପହଞ୍ଚି ଶୁଣିଲେ ଯେ,ତାଙ୍କ ଗୃହରେ କ୍ରନ୍ଦନରୋଳ ଲାଗି ରହିଛି । ସମସ୍ତେ କହୁଥାନ୍ତି,ସେ ଆଉ କାହାରି ଡାକ ଶୁଣୁନାହିଁ କି ଉଠୁନାହିଁ । ସ୍ତ୍ରୀ ଓ ଝିଅ କହୁଥାନ୍ତି ଯେ,ତାଙ୍କ ମୃତ୍ୟୁରେ ଆମେ ବଞ୍ଚି ରହିପାରିବୁ ନାହିଁ ।

    ଗୁରୁ ଏକଥା ଶୁଣି ସମସ୍ତଙ୍କୁ ସାନ୍ତ୍ଵନା ଦେଇ କହିଲେ- ହଉ, ତୁମେ ସବୁ କାନ୍ଦ ବନ୍ଦ କରି ଶୁଣ । ଯଦି ତୁମ ପରିବାରରୁ ଆଉ ଜଣେ କେହି ତାଙ୍କ ଲାଗି ଜୀବନ ଦାନ କରିପାରିବ ତେବେ ସେ ବଞ୍ଚିଉଠିବେ । ଗୁରୁଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ମଧ୍ୟ କେହି ଜଣେ ତାଙ୍କ ପ୍ରସ୍ତାବରେ ରାଜି ହେଲେନାହିଁ । ସମସ୍ତେ କହିଲେ- ଦିନେ ଜନମ ଦିନେ ମରଣ । ସିଏ ତ ଗଲେଣି ଗଲେଣି । ଯେତିକିଦିନ ପାଇଁ ତାଙ୍କର ବଞ୍ଚିବାର ଥିଲା ବଞ୍ଚିଲେ । ଆମର ଅଉ କିଛିଦିନ ବଞ୍ଚିବାର ଅଛି । କିଛି ସୁଖଦୁଃଖ ଭୋଗିବାର ଅଛି । ଆମେ ତାଙ୍କ ଲାଗି ଜାଣିଜାଣି ଜୀବନ ଉତ୍ସର୍ଗ କରିଦେବୁ କାହିଁକି ? ଅବଶ୍ୟ ଗୁରୁ କହିଥାନ୍ତି ଯେ, ତୁମେ ଯଦି କେହି ତାଙ୍କ ପାଇଁ ଜୀବନ ଦାନ ଦେବାକୁ ରାଜି ତେବେ ଦେଇପାର । ତୁମକୁ କିଛି କଷ୍ଟ ଭୋଗ କରିବାକୁ ପଡିବ ନାହିଁ କିମ୍ବା ଆତ୍ମହତ୍ୟା ଦୋଷ ଲାଗିବ ନାହିଁ । କାରଣ,ମହତ ଉଦ୍ଦେଶ୍ୟରେ ତୁମେ ଜୀବନ ସମର୍ପଣ କରିବାକୁ ଯାଉଛ । ତଥାପି କେହି ବି ଏକଥାରେ ରାଜି ନହୋଇ ନିଜ ଜୀବନକୁ ଖୁବ୍ ଲୋଭ କରି ବଞ୍ଚିବାକୁ ଚାହୁଁଛନ୍ତି ବୋଲି ଜଣାଗଲା !

    ଶିଷ୍ୟ ଜଣକ ଗୁରୁଙ୍କ କଥା ଅନୁସାରେ ମୃତବତ୍ ପଡ଼ିରହି ସମସ୍ତଙ୍କ କଥା ଶୁଣୁଥିଲା । ସମସ୍ତଙ୍କୁ ଖାଲି ଦେଖାଇବାକୁ ଗୁରୁ ତାଙ୍କ ଉପରେ ମନ୍ତ୍ର ଜଳ ସିଞ୍ଚନ କରି ଜୀବଦାନ ଦେଲେ । ଶିଷ୍ୟ ଏଥର ବୁଝିପାରିଲେ ଯେ,କେବଳ ଭୌତିକ ସୁଖ ବା ସ୍ୱାର୍ଥ ହାସଲ ପାଇଁ ପ୍ରିୟପରିଜନମାନେ ଭଲପାଇଥାନ୍ତି । କିନ୍ତୁ ଏ ଭଲପାଇବା କେବଳ ମୋହ,ମାୟା ଦ୍ଵାରା ଆଚ୍ଛନ୍ନ । ଏଥର ଗୃହ ଓ ନିଜର ଆତ୍ମୀୟମାନଙ୍କ ପ୍ରତି ଥିବା ଅତ୍ୟାସକ୍ତ ଭାବ ତାଙ୍କର ଅପସରିଗଲା।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    72 %
    1.2kmh
    37 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ