Sunday, March 8, 2026
35.3 C
Odisha

    ଆଜି ଅନ୍ତର୍ଜାତୀୟ ମହିଳା ଦିବସ,ବିକଶିତ ଭାରତ ସଂକଳ୍ପର ମୂଳଦୁଆରେ ନାରୀ ଶକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ଵର  : ଭାରତ ଆଜି ତା’ର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଛିଡ଼ା ହୋଇଛି, ଯେଉଁଠାରେ ବିକାଶର ପରିଭାଷା ନିର୍ଣ୍ଣାୟକ ଭାବେ ବଦଳିବାରେ ଲାଗିଛି – ଅର୍ଥାତ୍ ‘ମହିଳାମାନଙ୍କ ବିକାଶ’ରୁ ଏହା ଏବେ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଡ଼କୁ ଅଗ୍ରସର ହେଉଛି। ମହିଳାମାନେ କେବଳ ସରକାରୀ ଯୋଜନାର ହିତାଧିକାରୀ ହୋଇ ରହିନାହାନ୍ତି, ବରଂ ନିଜେ ନେତୃତ୍ୱ ନେଇ ଦେଶର ଭବିଷ୍ୟତ ଗଢ଼ୁଛନ୍ତି। ଏହି ଶକ୍ତିଶାଳୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ସରକାର ମହିଳାମାନଙ୍କ ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ ପାଇଁ ବ୍ୟାପକ ସାମ୍ବିଧାନିକ ସଂସ୍କାର, ନୀତିଗତ ପଦକ୍ଷେପ ଏବଂ ବ୍ୟବସ୍ଥାଗତ ପରିବର୍ତ୍ତନ କରିଛନ୍ତି। ନିଃସନ୍ଦେହରେ, ଶାସନ ଓ ପ୍ରଶାସନ ଠାରୁ ଆରମ୍ଭ କରି ସଶସ୍ତ୍ର ବାହିନୀ, ଶିଳ୍ପ ଓ ବାଣିଜ୍ୟ ଏବଂ ନାଗରିକ ସମାଜ ତଥା ସମାଜ ଜୀବନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ଅନୁଭବ ହେଉଛି। ‘ନାରୀ ଶକ୍ତି’ ଆଜି ବିଶେଷକରି ଜ୍ଞାନ-ଭିତ୍ତିକ କ୍ଷେତ୍ରଗୁଡ଼ିକରେ ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରୁଛି। ଭାରତ ଯେତେବେଳେ ଏକ ‘ବିକଶିତ ଭାରତ’ ଗଠନର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ୁଛି, ସେତେବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) କ୍ଷେତ୍ରରେ ମହିଳାମାନଙ୍କ ବଢ଼ୁଥିବା ଅଂଶଗ୍ରହଣ, ଯାହା ଆଗାମୀ ଦିନର ‘ଜ୍ଞାନ ଅର୍ଥନୀତି’କୁ ସମୃଦ୍ଧ କରିବ।

    ସ୍କୁଲରେ ପଢୁଥିବା ଅଧିକ ସଂଖ୍ୟକ ଝିଅମାନଙ୍କର ଗଣିତ ଏବଂ ବିଜ୍ଞାନ ବିଷୟ ପ୍ରତି ଆଗ୍ରହ ପରିଲକ୍ଷିତ ହେଉଛି।
    ବର୍ତ୍ତମାନ ୫,୨୦୦ରୁ ଅଧିକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ସାମାଜିକ ସ୍ତରରେ ଅବହେଳିତ ଶ୍ରେଣୀର ପ୍ରାୟ ୭ ଲକ୍ଷରୁ ଅଧିକ ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ବିଶେଷ କରି ୯୭%ରୁ ଅଧିକ ବିଦ୍ୟାଳୟରେ ଶୌଚାଳୟ ସୁବିଧା ଉପଲବ୍ଧ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପୂର୍ବରୁ ଏହି ମୌଳିକ ସୁବିଧାର ଅଭାବ ଝିଅମାନଙ୍କ ଉପସ୍ଥିତି ଏବଂ ନିରନ୍ତର ପାଠପଢ଼ା କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ସାଜିଥିଲା, ଯାହା ଏବେ ଦୂର ହୋଇପାରିଛି। ସୁଦୃଢ଼ ଭିତ୍ତିଭୂମି ଏବଂ ଶିକ୍ଷାର ବ୍ୟାପକ ସୁଯୋଗକୁ ଆଧାର କରି ଜାତୀୟ ଶିକ୍ଷା ନୀତି-୨୦୨୦ ଅଧୀନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କରି ଷଷ୍ଠ ଶ୍ରେଣୀରୁ ‘ଦକ୍ଷତା ବିକାଶ’ ପାଠ୍ୟକ୍ରମର ପ୍ରଚଳନ ଏବଂ ଅଟଳ ଟିଙ୍କରିଂ ଲ୍ୟାବ୍ ଭଳି ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରାୟୋଗିକ ଜ୍ଞାନ ପ୍ରଦାନ କରୁଛି। ଏହି ପ୍ରୟାସ କେବଳ ଝିଅମାନଙ୍କୁ ବିଦ୍ୟାଳୟମୁଖୀ କରିବାରେ ସୀମିତ ନୁହେଁ, ବରଂ ଅଳ୍ପ ବୟସରୁ ସେମାନଙ୍କ ମଧ୍ୟରେ ଷ୍ଟେମ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ) କ୍ଷେତ୍ରରେ ଆତ୍ମବିଶ୍ୱାସ ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ‘ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ’ (ଏଆଇଏସଏଚଇ) ଅନୁଯାୟୀ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ସଂଖ୍ୟା ୨୦୧୪–୧୫ ମସିହାରେ ୫୧,୫୩୪ ଥିବାବେଳେ ୨୦୨୨–୨୩ ସୁଦ୍ଧା ଏହା ୬୦,୦୦୦ରୁ ଅଧିକ ହୋଇଛି। ସେହିପରି, ଏହି ସମୟ ମଧ୍ୟରେ ମୋଟ ନାମଲେଖା ସଂଖ୍ୟା ୩.୪୨ କୋଟିରୁ ବୃଦ୍ଧି ପାଇ ୪.୪୬ କୋଟିରେ ପହଞ୍ଚିଛି। ଏହି ସମ୍ପ୍ରସାରଣର କେନ୍ଦ୍ରବିନ୍ଦୁରେ ରହିଛନ୍ତି ମହିଳାମାନେ। ମହିଳା ଶିକ୍ଷାର୍ଥୀଙ୍କ ନାମଲେଖା ସଂଖ୍ୟା ୧.୫୭ କୋଟିରୁ ୨.୧୮ କୋଟିକୁ ବୃଦ୍ଧି ପାଇଛି, ଯାହାକି ପ୍ରାୟ ୩୮% ଅଭିବୃଦ୍ଧି ଦର୍ଶାଉଛି। ଅନ୍ୟପଟେ, ମହିଳାଙ୍କ ‘ସାମଗ୍ରିକ ନାମଲେଖା ଅନୁପାତ’ ୨୨.୯ ରୁ ୩୦.୨ କୁ ଉନ୍ନୀତ ହୋଇଛି, ଯାହା ଉଚ୍ଚଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତା ଦିଗରେ ଏକ ନିରନ୍ତର ପ୍ରଗତିର ସୂଚକ।

    ଏକାଡେମିକ୍ ଗବେଷଣା କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ଏକ ଉର୍ଦ୍ଧ୍ୱଗାମୀ ଧାରା ପ୍ରଦର୍ଶନ କରିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ମହିଳାଙ୍କ ନାମଲେଖା ୨୦୧୪-୧୫ ମସିହାରେ ୧୯.୮ ଲକ୍ଷ ଥିବାବେଳେ ୨୦୨୨-୨୩ ସୁଦ୍ଧା ଏହା ୩୨ ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ପିଏଚ୍.ଡି ନାମଲେଖା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୪୭,୦୦୦ରୁ ବୃଦ୍ଧି ପାଇ ୧.୧୨ ଲକ୍ଷରୁ ଅଧିକ ହୋଇଛି, ଯାହାକି ୧୩୫%ରୁ ଅଧିକ। ଅନୁରୂପ ଭାବେ ବୃତ୍ତି ତଥା ଫେଲୋସିପ୍ କାର୍ଯ୍ୟକ୍ରମ ସହିତ ଗୁଣାତ୍ମକ ଏକାଡେମିକ୍ ଜର୍ଣ୍ଣାଲ୍ ଗୁଡ଼ିକୁ ପଢ଼ିବା ପାଇଁ ‘ୱାନ୍ ନେସନ୍ ୱାନ୍ ସବ୍‌ସ୍କ୍ରିପସନ୍’ ଭଳି ପଦକ୍ଷେପ ଏହି ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିଛି। ‘ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍’ (ପିଏମଆରଏଫ୍) ଏ ପର୍ଯ୍ୟନ୍ତ ୩,୫୦୦ ରୁ ଅଧିକ ଗବେଷକଙ୍କୁ ସହାୟତା ପ୍ରଦାନ କରିଛି, ଯେଉଁଥିରେ ପ୍ରାୟ ୩୫% ମହିଳା। ଏହାର ସମ୍ପ୍ରସାରିତ ପର୍ଯ୍ୟାୟରେ ପାଞ୍ଚ ବର୍ଷ ମଧ୍ୟରେ ୧୦,୦୦୦ ଫେଲୋସିପ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ‘ଅନୁସନ୍ଧାନ ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍’ (ଏଏନଆରଏଫ) ଭାରତର ଗବେଷଣା ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସହ ଏହି ସମସ୍ତ ପ୍ରୟାସକୁ ଆହୁରି ତ୍ୱରାନ୍ୱିତ କରୁଛି। ଏହି ସାମ୍ବିଧାନିକ ଓ ବ୍ୟବସ୍ଥାଗତ ଉନ୍ନତିର ପ୍ରତିଫଳନ ସାମ୍ପ୍ରତିକ ଧାରାରେ ସ୍ପଷ୍ଟ ଦେଖାଯାଉଛି। ୨୦୨୪–୨୫ ବର୍ଷ ମଧ୍ୟରେ, ୟୁଜିସି ନେଟ୍- ଜୁନିୟର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ଅଧୀନରେ ଷ୍ଟେମ୍ କ୍ଷେତ୍ରର ଫେଲୋମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୫୩%ରୁ ଅଧିକ ରହିଛି। ବିଭିନ୍ନ ବିଷୟରେ ପିଏଚ୍.ଡି ଗବେଷଣା କରୁଥିବା ମୋଟ ୧୩,୭୨୭ ଜଣ ଫେଲୋସିପ୍ ପ୍ରାପ୍ତକାରୀଙ୍କ ମଧ୍ୟରୁ ୭,୨୯୩ ଜଣ ହେଉଛନ୍ତି ମହିଳା।

    କୃତ୍ରିମ ବୁଦ୍ଧିମତ୍ତା (ଏଆଇ), କ୍ୱାଣ୍ଟମ ଟେକ୍ନୋଲୋଜି ଏବଂ ଡାଟା ସାଇନ୍ସ ଭଳି ନୂତନ କ୍ଷେତ୍ରଗୁଡ଼ିକ ଆଜି ବିଶ୍ୱ ଅର୍ଥନୀତିର ଭବିଷ୍ୟତ ନିର୍ଣ୍ଣୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟେମ କ୍ଷେତ୍ରରେ ମହିଳାମାନଙ୍କ ବଢ଼ୁଥିବା ଅଂଶଗ୍ରହଣ ଭାରତର ଇନୋଭେସନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଧାରା ଏବେ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି। ଜାତୀୟ ଅନୁସନ୍ଧାନ ଏବଂ ବିକାଶ (ଆର୍‌ଆଣ୍ଡଡି) ବ୍ୟବସ୍ଥା ମଧ୍ୟରେ ୪୫.୮୭% ମହିଳା ଗବେଷକ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଥିବାବେଳେ, ୨୭.୬୨% ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ୨୬.୫୧% ଶିଳ୍ପ କ୍ଷେତ୍ରରେ ନିୟୋଜିତ ଅଛନ୍ତି। କେନ୍ଦ୍ରୀୟ ବଜେଟ୍ ୨୦୨୬ରେ ପ୍ରତି ଜିଲାରେ ଝିଅମାନଙ୍କ ପାଇଁ ସୁରକ୍ଷିତ ଏବଂ ସୁଲଭ ହଷ୍ଟେଲ ସୁବିଧା ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା ଘୋଷଣା କରାଯାଇଛି, ଯାହାଦ୍ୱାରା ସେମାନେ ନିର୍ବିଘ୍ନରେ ଷ୍ଟେମ ଶିକ୍ଷା ଗ୍ରହଣ କରିପାରିବେ। ଏହା ସହିତ ସରକାରଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୁବତୀ ଓ ମହିଳାମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ନିଜର ବୃତ୍ତି ଗଢ଼ିବା ପାଇଁ ଏବଂ ମହିଳା-ନେତୃତ୍ୱାଧୀନ ଗବେଷଣା ପ୍ରକଳ୍ପଗୁଡ଼ିକୁ ସହାୟତା ପ୍ରଦାନ କରୁଛନ୍ତି।

    ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ- ‘ଆଜି ଦେଶର ଚିନ୍ତାଧାରା କେବଳ ବିଜ୍ଞାନ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ମଧ୍ୟରେ ସୀମିତ ନୁହେଁ, ବରଂ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ବିଜ୍ଞାନକୁ ସଶକ୍ତ କରିବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ।’ ତେଣୁ, ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀକୁ ସୁଦୃଢ଼ କରିବା କେବଳ ସମାନ ପ୍ରତିନିଧିତ୍ୱର ପ୍ରଶ୍ନ ନୁହେଁ, ବରଂ ଏହା ଭାରତର ଇନୋଭେସନ କାପାସିଟି ପାଇଁ ଏକ ଦୂରଦୃଷ୍ଟିସମ୍ପନ୍ନ ରଣନୈତିକ ପୁଞ୍ଜିନିବେଶ।

    ୨୦୪୭ ସୁଦ୍ଧା ଆମ ଦେଶ ଯେତେବେଳେ ‘ବିକଶିତ ଭାରତ’ର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି, ଏହି ପରିବର୍ତ୍ତନର ପୁରୋଧା ସାଜିବେ ମହିଳାମାନେ। ଶିକ୍ଷା, ଉଦ୍ୟୋଗ, ଶାସନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନଙ୍କର ବଢ଼ୁଥିବା ଭାଗିଦାରୀ ଭାରତର ଉତ୍ଥାନର ପରବର୍ତ୍ତୀ ପର୍ଯ୍ୟାୟକୁ ଏକ ନୂତନ ରୂପ ଦେବ। ଆଧୁନିକ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଉଥିବାରୁ, ଭାରତର ମହିଳାମାନେ ଆଗାମୀ ଦିନରେ ‘ଜ୍ଞାନ ଅର୍ଥନୀତି’ର ନେତୃତ୍ୱ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିକଶିତ ଭାରତର ଏହି ଯାତ୍ରା ‘ନାରୀ ଶକ୍ତି’ ଦ୍ୱାରା ହିଁ ଶକ୍ତିଶାଳୀ ହେବ। ଭାରତର ମହିଳାମାନଙ୍କ ପାଇଁ ଏକ ସୁନ୍ଦର ଓ ଗୌରବମୟ ଭବିଷ୍ୟତ ପ୍ରତୀକ୍ଷାରତ !

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    26 %
    3kmh
    0 %
    Sun
    36 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ