Monday, September 21, 2026
27.9 C
Odisha

    ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ବାଗତ କରିଥିଲେ। ପୁଟିନଙ୍କୁ ମୋଦୀ ନିଜ କାର୍‌ରେ ବସାଇ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନକୁ ଆସିଥିଲେ। ବାସଭବନରେ ପୁଟିନଙ୍କୁ ମୋଦୀ ସ୍ବାଗତ କରିଥିଲେ। ପୁଟିନଙ୍କ ଉଦ୍ଦେଶ୍ୟରେ ମୋଦୀ ତାଙ୍କ ବାସଭବନରେ ରାତ୍ରି ଭୋଜନ ଆୟୋଜନ କରିଥିଲେ। ପରେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁଟିନଙ୍କୁ ବିମାନବନ୍ଦରରେ ସ୍ବାଗତ କରି ମୋଦୀ ଅତ୍ୟନ୍ତ ଖୁସି ଅନୁଭବ କରିଥିବା ନେଇ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ-ରୁଷ୍‌ ବନ୍ଧୁତ୍ବର ନିବିଡତା ବହୁ ପରୀକ୍ଷିତ। ଏହି ବନ୍ଧୁତା ଦ୍ବାରା ଆମ ଦେଶବାସୀ ବହୁ ଲାଭବାନ ହୋଇଛନ୍ତି। ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେବାକୁ ଥିବା କଥାବାର୍ତ୍ତା ସକାରାତ୍ମକର ରୂପ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଶୁକ୍ରବାର ପୁଟିନ ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପରେ ପୁଟିନ ରୁଷ୍ ରାଷ୍ଟ୍ରାୟତ୍ତ ପ୍ରସାରଣକାରୀ ସଂସ୍ଥା ଆରଟି ପକ୍ଷରୁ ଭାରତରେ ନୂଆ ଚାନେଲରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ନୈଶ ଭୋଜିରେ ଯୋଗଦେବେ। ପୁଟିନଙ୍କ ଏହି ଗସ୍ତ ଭାରତ ଓ ରୁଷ୍ ମଧ୍ୟରେ ୨୫ବର୍ଷ ଧରି ଚାଲିଆସିଥିବା ରଣନୀତିକ ଭାଗିଦାରୀର ଦୃଢତାକୁ ପ୍ରତିପାଦିତ କରିଛି। ୨୦୦୦ ମସିହାରେ ଭାରତ ଓ ରୁଷ୍ ମଧ୍ୟରେ ରଣନୀତିକ ବୁଝାମଣା ଆରମ୍ଭ ହୋଇଥିଲା। ଗତ ସେପ୍ଟେମ୍ବର ୧ରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଚୀନର ତିଆନଜିନ୍‌ରେ ସାକ୍ଷାତ ହୋଇଥିଲା। କାରଣ ଉଭୟ ନେତା ଏସ୍‌ସିଓ ସମ୍ମିଳନୀରେ ଯୋଗ ଦେବାକୁ ଚୀନ ଗସ୍ତ କରିଥିଲେ।

    ପୁଟିନଙ୍କ ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରତିରକ୍ଷା ପ୍ରକଳ୍ପ ପାଇଁ ବୁଝାମଣା ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ସୁଖୋଇ-୩୦ ଯୁଦ୍ଧବିମାନର ଉନ୍ନତିକରଣ, ଦୂରଗାମୀ ଆର-୩୭ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ଯୋଗାଣ ଓ ଏସ୍‌-୪୦୦/୫୦୦ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଣ ପାଇଁ ରୁଷ୍ ସହିତ ବୁଝାମଣା ହେବ। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ପାଇଁ ଆବଶ୍ୟକ ୨୮୦ ରାଉଣ୍ଡ କ୍ଷେପଣାସ୍ତ୍ର ରୁଷ୍ ଠାରୁ କ୍ରୟ କରାଯିବ। କାରଣ ଅପରେସନ ସିନ୍ଦୂର ସମୟରେ ଭାରତ ଏହିସବୁ କ୍ଷେପଣାସ୍ତ୍ରକୁ ଉପଯୋଗ କରିସାରିଛି। ସେହିପରି ସୁଖୋଇ-୩୦ ଏମକେଆଇକୁ ଉନ୍ନତିକରଣ କରାଯାଇ ଆଧୁନିକ ଯୁଦ୍ଧବିମାନର ଷ୍ଟାଣ୍ଡାର୍ଡକୁ ଅଣାଯିବ। ଏପରି କି ଭାରତର ୧୦୦ରୁ ୨୭୨ଟି ସୁଖୋଇ ୩୦ ଯୁଦ୍ଧବିମାନ ଆଧୁନିକୀକରଣ କରାଯିବ। ଭାରତର ଏଜେନ୍ସି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ୮୪ଟି ସୁଖୋଇ-୩୦କୁ ଆଧୁନିକୀକରଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ