ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନ ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ଭାରତ ରତ୍ନ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସମ୍ବିଧାନ ରୂପରେ ତାଙ୍କର ଉପହାର ଭାରତୀୟ ଗଣତନ୍ତ୍ରର ଏକ ମୂଲ୍ୟବାନ ଐତିହ୍ୟ, ଯାହା ଏକ ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ସାକାର କରିବାରେ ଆମକୁ ମାର୍ଗଦର୍ଶନ କରିଚାଲିବ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି, ସମ୍ବିଧାନ ଦିବସରେ ମୋର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପବିତ୍ର ଅବସରରେ, ମୁଁ ପୂଜ୍ୟ ବାବାସାହେବ ଏବଂ ସମ୍ବିଧାନ ସଭାର ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସମ୍ବିଧାନ ରୂପରେ ସେମାନଙ୍କର ଉପହାର ଭାରତୀୟ ଗଣତନ୍ତ୍ରର ଏକ ଅମୂଲ୍ୟ ଐତିହ୍ୟ, ଯାହା ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାରେ ଆମକୁ ମାର୍ଗଦର୍ଶନ କରି ଚାଲିବ।
ପ୍ରଧାନମନ୍ତ୍ରୀ ‘ସଂସ୍କୃତ ସୁଭାଷିତମ୍’ ସେୟାର କରିଛନ୍ତି। ଏଥିରେ କୁହାଯାଇଛି,
‘ବହୁଧା ବହୁଭିଃ ସାର୍ଦ୍ଧମ୍ ଚିନ୍ତିତାଃ ସୁନିରୂପିତାଃ।
କଥଞ୍ଚିନ୍ନ ବିଲୀୟନ୍ତେ ବିଦ୍ୱଦ୍ଭିଶ୍ଚିନ୍ତିତା ନୟାଃ।।’
ବିଚାର-ବିମର୍ଶର ମହତ୍ତ୍ୱ
ଅର୍ଥାତ୍,ବିଦ୍ୱାନମାନଙ୍କ ଦ୍ୱାରା ଅନେକ ପ୍ରକାରରେ, ବହୁ ଲୋକଙ୍କ ସହିତ ଆଲୋଚନା କରି ଏବଂ ଭଲଭାବେ ବିଚାର କରି ପ୍ରସ୍ତୁତ କରାଯାଇଥିବା ନୀତି ବା ଯୋଜନା କୌଣସି ପ୍ରକାରେ ବିଫଳ ବା ନଷ୍ଟ ହୁଏ ନାହିଁ। ଏହା ପଞ୍ଚତନ୍ତ୍ରର ଏକ ପ୍ରସିଦ୍ଧ ଶ୍ଳୋକ, ଯାହା ସାମୂହିକ ଓ ଗଭୀର ବିଚାର-ବିମର୍ଶର ମହତ୍ତ୍ୱକୁ ଦର୍ଶାଇଥାଏ ।
ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ
୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଭାରତରେ ପ୍ରତିବର୍ଷ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ କରାଯାଉଛି। ଭାରତର ସମ୍ବିଧାନକୁ ସମ୍ବିଧାନ ସଭା ଦ୍ୱାରା ୨୬ ନଭେମ୍ବର ୧୯୪୯ରେ ଗୃହୀତ କରାଯାଇଥିଲା ଏବଂ ୨୬ ଜାନୁଆରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା। ୨୦୦୯ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ରାଜ୍ୟରେ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ କରିବା ଆରମ୍ଭ କରିଥିଲେ। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ସେ ଭୀମରାଓ ଆମ୍ବେଦକରଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଏହି ବିଶେଷ ଦିନକୁ ସାରା ଦେଶରେ ସମ୍ବିଧାନ ଦିବସ ଭାବରେ ପାଳନ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ। ଏହି ଐତିହାସିକ ଦିନକୁ ସମ୍ବିଧାନ ଦିବସ ଭାବରେ ପାଳନ କରିବା ପାଇଁ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସମ୍ବିଧାନ ଗ୍ରହଣର ୬୫ ବର୍ଷ ପରେ ୧୯ ନଭେମ୍ବର ୨୦୧୫ରେ ଅଧିସୂଚିତ କରିଥିଲା। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା।
