ଆମେରିକା : ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଡେମୋକ୍ରାଟିକ୍ ପାର୍ଟିକୁ ବହୁମତ । ରିପବ୍ଲିକାନ୍ ପାର୍ଟି ହାତରୁ ଖସିଲା ନିମ୍ନ ସଦନର ନିୟନ୍ତ୍ରଣ । ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିକୁ ବଡ଼ ସଫଳତା । ଆମେରିକା କଂଗ୍ରେସର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ବହୁମତ ହାସଲ କରିବାକୁ ଯାଉଛି ଡେମୋକ୍ରାଟିକ୍ ପାର୍ଟି । ମିଳିଥିବା ଖବର ସଦ୍ୟ ଆକଳନ ଅନୁସାରେ, ଡେମୋକ୍ରାଟିକ୍ ପାର୍ଟି ଅତିକମ୍ ରେ ୨୧୮ଟି ଆସନ ଜିତିବାକୁ ଯାଉଥିବା ବେଳେ ରିପବ୍ଲିକାନ୍ ପାର୍ଟି ଅତିକମ୍ ରେ ୧୬୦ଟି ଆସନ ଜିତିବାର ଆକଳନ କରାଯାଇଛି । ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ମୋଟ ୪୩୫ଟି ଆସନ ରହିଛି ।
ସରକାରୀ ନିୟନ୍ତ୍ରଣ ପାଇଁ ୨୧୮ଟି ଆସନର ଆବଶ୍ୟକତା ରହିଛି । ଆକଳନ ଅନୁଯାୟୀ, ଡେମୋକ୍ରାଟିକ୍ ପାର୍ଟି ଏହି ସଂଖ୍ୟା ଛୁଇଁବାକୁ ଯାଉଛି । ଫଳରେ ରିପବ୍ଲିକାନ୍ ପାର୍ଟି ହାତରୁ ନିମ୍ନ ସଦନର ନିୟନ୍ତ୍ରଣ ଡେମୋକ୍ରାଟିକ୍ ପାର୍ଟି ହାତକୁ ଯିବାର ଆକଳନ କରାଯାଇଛି । ଏହି ଫଳାଫଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅବଶିଷ୍ଟ ଦୁଇ ବର୍ଷର କାର୍ଯ୍ୟକାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ନିମ୍ନ ସଦନରେ ଡେମୋକ୍ରାଟିକ୍ ପାର୍ଟିର ନିୟନ୍ତ୍ରଣ ରହିଲେ ଟ୍ରମ୍ପ ପ୍ରଶାସନର ବିଭିନ୍ନ ବିଧେୟକ, ବଜେଟ୍ ଓ ନୀତିଗତ ନିଷ୍ପତ୍ତି ଉପରେ ଏହାର ପ୍ରଭାବ ପଡ଼ିପାରେ । ଏଥିସହ ପ୍ରଶାସନର କାର୍ଯ୍ୟକଳାପ ଉପରେ କଂଗ୍ରେସର ତଦାରଖ ମଧ୍ୟ ବଢ଼ିପାରେ । ତେବେ ଏହା CBS Newsର ନିର୍ବାଚନୀ ଆକଳନ । ସମସ୍ତ ଆସନର ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।
