ନୂଆଦିଲ୍ଲୀ : ଦେଶର ରାଜନୀତିରେ ବଡ଼ ଖବର । NEET ପ୍ରଶ୍ନପତ୍ର ଲିକ୍ ଓ ଆନ୍ଦୋଳନ ଭିତରେ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିରୋଧୀ ଦଳ, ଛାତ୍ର ସଂଗଠନ ଓ ସିଜେପିର କ୍ରମାଗତ ବିକ୍ଷୋଭ ଓ ଚାପ ଆଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । NEET-UG ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଗତ କିଛି ସପ୍ତାହ ହେଲା ଦେଶସାରା ଅସନ୍ତୋଷ ବୃଦ୍ଧି ପାଉଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଶିକ୍ଷା ମନ୍ତ୍ରାଳୟ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଏଡ଼ାଇ ଦେଇ କମ୍ପ୍ୟୁଟର-ଭିତ୍ତିକ ପରୀକ୍ଷା ଭଳି ପ୍ରଶାସନିକ ସୁଧାରର ଘୋଷଣା କରିଥିଲା । କିନ୍ତୁ ଜନସାଧାରଣ ଓ ବିରୋଧୀଙ୍କ ଆକ୍ରୋଶ କମିନଥିଲା ।
ନୂଆଦିଲ୍ଲୀରେ CJP ନେତୃତ୍ୱରେ ଆୟୋଜିତ ସଂସଦ ଚାଲୋ ପଦଯାତ୍ରା ପରେ ପରିସ୍ଥିତି ଅତି ଗୁରୁତର ହୋଇପଡ଼ିଥିଲା। ନାଗରିକ ସମାଜ ଓ ବହୁ ଛାତ୍ର ସଂଗଠନର ସମର୍ଥନରେ ରାଜଧାନୀର ବିଭିନ୍ନ ପ୍ରମୁଖ ରାସ୍ତା ଅଚଳ ହୋଇପଡ଼ିବା ସହ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀମାନେ ଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଓ ସଂସ୍ଥାଗତ ଉତ୍ତରଦାୟିତ୍ୱ ଦାବି କରିଥିଲେ। ପରୀକ୍ଷାର୍ଥୀଙ୍କ ପ୍ରତି ନୈତିକ ଦାୟିତ୍ୱବୋଧକୁ ଇସ୍ତଫାର ମୁଖ୍ୟ କାରଣ ଭାବେ ଗ୍ରହଣ କରାଯାଇଛି। ଦେଶର ଲକ୍ଷ ଲକ୍ଷ ଭବିଷ୍ୟତ ଓ ପରୀକ୍ଷା ବ୍ୟବସ୍ଥା ଉପରେ ବିଶ୍ୱାସ ଫେରାଇ ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ସଂସଦରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ହଙ୍ଗାମା କରୁଥିବା ବିରୋଧୀ ଦଳଗୁଡ଼ିକ ଏହି ଇସ୍ତଫାକୁ ଛାତ୍ର ଶକ୍ତିର ବିଜୟ ଭାବେ ଅଭିହିତ କରିଛନ୍ତି ।
ଅନ୍ୟପଟେ ଶାସକ ଦଳର ବରିଷ୍ଠ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ସଂସ୍କାର ଓ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସରକାର ଦୃଢ଼ପ୍ରତିଜ୍ଞ । ଖୁବଶୀଘ୍ର ଶିକ୍ଷା ମନ୍ତ୍ରାଳୟର ଅନ୍ତରୀଣ ଦାୟିତ୍ୱ ଅନ୍ୟ କାହାକୁ ନ୍ଯସ୍ତ କରାଯିବା ସହ ପରୀକ୍ଷା ଅନିୟମିତତାର ତଦନ୍ତ ପାଇଁ ଏକ ସ୍ୱାଧୀନ ନ୍ୟାୟିକ କମିଟି ଗଠନ କରାଯିବାର ସମ୍ଭାବନା ରହିଛି ।
