ତାମିଲନାଡୁ : ଥିରୁପରାଙ୍କୁନ୍ଦ୍ରମ ଦୀପମ୍ ବିବାଦ । ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମନ୍ଦିର ଟ୍ରଷ୍ଟି ବୋର୍ଡ ନିଲମ୍ବିତ, ଦୁଇ ଅବସରପ୍ରାପ୍ତ ବିଚାରପତିଙ୍କୁ ପରିଚାଳନା ଦାୟିତ୍ୱ । ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଅଦାଲତ ଅବମାନନା ନୋଟିସ୍ କରିଥିବା ସୂଚନା ମିଳିଛି ।
ତାମିଲନାଡୁର ମଦୁରାଇସ୍ଥିତ ଥିରୁପରାଙ୍କୁନ୍ଦ୍ରମ ପାହାଡ଼ରେ କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନକୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି । ଆଜି ପାହାଡ଼ ଉପରେ ଥିବା ବିବାଦୀୟ ଦୀପଥୁନ୍ ପଥର ସ୍ତମ୍ଭରେ ପାରମ୍ପରିକ ଦୀପ ପ୍ରଜ୍ୱଳନ ପାଇଁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ନିର୍ଦ୍ଦେଶ ପାଳନ ହୋଇନଥିବାରୁ ତାମିଲନାଡୁ ସରକାର ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ଉପରେ ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଛନ୍ତି । ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ନିଲମ୍ବିତ କରିବା ସହ ଦୁଇ ଅବସରପ୍ରାପ୍ତ ବିଚାରପତିଙ୍କୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ଶାସନ ସଚିବ, ଡିଜିପି ଓ ମଦୁରାଇ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରାଯାଇଛି । ଥିରୁପରାଙ୍କୁନ୍ଦ୍ରମ ପାହାଡ଼ରେ ଭଗବାନ ମୁରୁଗାନଙ୍କ ପ୍ରସିଦ୍ଧ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ଓ ସିକନ୍ଦର ବାଦଶାହ ଦରଗାହ ରହିଛି । ଦରଗାହ ନିକଟରେ ଥିବା ଦୀପଥୁନ୍ ପଥର ସ୍ତମ୍ଭକୁ ନେଇ ମୁଖ୍ୟ ବିବାଦ ଦେଖାଦେଇଛି । ହିନ୍ଦୁ ଆବେଦନକାରୀଙ୍କ ଦାବି, ଏହା ଏକ ପ୍ରାଚୀନ ଦୀପ ସ୍ତମ୍ଭ । ଏଠାରେ କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନ ପାଇଁ ସେମାନେ ଅନୁମତି ଲୋଡ଼ିଥିଲେ ।
ଅନ୍ୟପଟେ ତାମିଲନାଡୁ ସରକାରଙ୍କ ଯୁକ୍ତି, ଏହା ବ୍ରିଟିଶ ଅମଳର ଏକ ସର୍ଭେ ସ୍ତମ୍ଭ । ସେଠାରେ ଦୀପ ଜାଳିବାର ପ୍ରତିଷ୍ଠିତ ପରମ୍ପରା ନାହିଁ । ଉଚ୍ଚିପିଲ୍ଲାୟାର ମନ୍ଦିର ନିକଟ ଦୀପ ମଣ୍ଡପରେ ଏହି ଧାର୍ମିକ ରୀତି ପାଳନ ହୋଇଆସୁଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ନଭେମ୍ବର ୨୦ରେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ବ୍ୟବସ୍ଥା ଭାବେ ନଭେମ୍ବର ୨୪ରେ ଦୀପଥୁନ୍ ସ୍ତମ୍ଭରେ ଦୀପ ପ୍ରଜ୍ୱଳନ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ବିବାଦୀୟ ସ୍ତମ୍ଭ ପରିବର୍ତ୍ତେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଦୀପ ଜଳାଯାଇଥିଲା । ଏହାକୁ ନେଇ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା । ଗତକାଲି ଶୁଣାଣି ବେଳେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ପାହାଡ଼ରେ ସୁରକ୍ଷା ପାଇଁ ସିଆରପିଏଫ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦରଗାହଠାରୁ ଅତି କମ୍ ରେ ୫୦ ମିଟର ଦୂରତା ରଖି ଶ୍ରଦ୍ଧାଳୁଙ୍କୁ ଦୀପ ଜାଳିବାକୁ ଅନୁମତି ମିଳିଛି । ମୁସଲିମ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ତାହା ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି । ଧାର୍ମିକ ପରମ୍ପରାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ନ୍ୟାୟପାଳିକାର ଅଧିକାର ଓ ସରକାରଙ୍କ ଉତ୍ତରଦାୟିତ୍ୱର ପ୍ରଶ୍ନ ହୋଇଛି । ତେବେ ବିବାଦୀୟ ସ୍ଥାନରେ ସ୍ଥାୟୀ ଭାବେ ଦୀପ ପ୍ରଜ୍ୱଳନ ଅଧିକାର ନେଇ ଚୂଡ଼ାନ୍ତ ରାୟ ଆସିନାହିଁ ।
