କଟକ : କଟକରେ ଗୋଷ୍ଠୀ ସଂଘର୍ଷ । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାରେ ୧୫ ଜଣଙ୍କୁ ପୋଲିସ ଅଟକ ରଖିଛି । ପୁରୀଘାଟ ଥାନା ଅଞ୍ଚଳରେ ଭୟଙ୍କର ଖଣ୍ଡଯୁଦ୍ଧ, ହଣାକଟା ଓ ଢେଲାମାଡ଼ ଘଟଣାରେ ଗଲା ଜଣଙ୍କ ଜୀବନ । ମୃତକ ହେଲେ ଗଣେଶ ଘାଟ ସାମଲ ସାହିର ୫୦ ବର୍ଷୀୟ ଅମରେନ୍ଦ୍ର ସାମଲ ଓରଫ ବୁଲୁ ।
ଏହି ଘଟଣାରେ ନିରଞ୍ଜନ ସାମଲ ଓରଫ ନିଲୁଆ ଗୁରୁତର ହୋଇଛନ୍ତି । ତାଙ୍କ ଚିକିତ୍ସା କଟକର ଏକ ଘରୋଇ ହସ୍ପିଟାଲରେ ଚାଲିଛି । ଉଭୟ ପକ୍ଷରୁ ୪ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୁରୀଘାଟ ବୁରୁଜ ସାହି ଓ ଗଣେଶ ଘାଟ ସାମଲ ସାହିର ଯୁବକଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ଠେଲାପେଲା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ହଣାକଟା, ଢେଲାପଥର ଓ କାଚ ବୋତଲ ମାଡ଼ ହୋଇଥିଲା ।
ମଦ ଦୋକାନ ସମ୍ମୁଖରେ ଗାଡି ପାର୍କିଂ ନେଇ ଦୁଇ ସାହି ଭିତରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଗଣ୍ଡଗୋଳରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଖବର ପାଇ ଡିସିପିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବେ ପୋଲିସ ଘଟଣାର ତଦନ୍ତ କରୁଛି ।
