Thursday, October 29, 2026
23 C
Odisha

    ଇସ୍ରୋର ବଡ଼ ମିଶନ୍‌, ମହାକାଶକୁ ଯିବ NVS-03 ଉପଗ୍ରହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇସ୍ରୋର ଆଉ ଏକ ବଡ଼ ମହାକାଶ ମିଶନ୍ । ମହାକାଶକୁ ନୂଆ ଉପଗ୍ରହ ପଠାଇବ ଇସ୍ରୋ । ଅଧିକ ଶକ୍ତିଶାଳୀ ହେବ ଭାରତର ନାଭିଗେସନ୍ ବ୍ୟବସ୍ଥା । ମହାକାଶରେ ଆଉ ଏକ ବଡ଼ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଖୁବ୍ ଶୀଘ୍ର ମହାକାଶକୁ ଏକ ନୂଆ ଉପଗ୍ରହ ପଠାଇବାକୁ ଯୋଜନା କରିଛି । ଏହି ଉପଗ୍ରହର ନାଁ NVS-03। GSLV-F18 ରକେଟ୍ ସାହାଯ୍ୟରେ ଏହାକୁ ମହାକାଶକୁ ପଠାଯିବ। ଏହି ମିଶନ୍ ସଫଳ ହେଲେ ଭାରତର ନିଜସ୍ୱ ନାଭିଗେସନ୍ ବା ଦିଗ ଓ ଅବସ୍ଥିତି ଜାଣିବା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ।

    ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ରୁ ଏହି ରକେଟ୍ ଉତ୍ କ୍ଷେପଣ କରାଯିବ। GSLV ରକେଟ୍ ଶ୍ରେଣୀର ଏହା ହେବ ୨୦ତମ ଉଡ଼ାଣ। ଏହି NVS-03 ଉପଗ୍ରହ ଭାରତର ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ମୋବାଇଲ୍ ରେ ମ୍ୟାପ୍ ବ୍ୟବହାର କରି କୌଣସି ସ୍ଥାନକୁ ଯିବା ବେଳେ ନିଜର ଅବସ୍ଥିତି ଓ ରାସ୍ତା ଜାଣିପାରୁଛୁ। ଏଥିପାଇଁ ମହାକାଶରେ ଥିବା ନାଭିଗେସନ୍ ଉପଗ୍ରହଗୁଡ଼ିକର ସହାୟତା ନିଆଯାଏ । ଆମେରିକାର GPS ଭଳି ଭାରତର ମଧ୍ୟ ନିଜସ୍ୱ ନାଭିଗେସନ୍ ବ୍ୟବସ୍ଥା ରହିଛି। ଏହାର ନାଁ NavIC। ଏହି ବ୍ୟବସ୍ଥାକୁ ଅଧିକ ସକ୍ଷମ କରିବା ପାଇଁ NVS-03 ଉପଗ୍ରହ ପଠାଯାଉଛି। NVS-03 ହେଉଛି ଭାରତର ନୂଆ ପିଢ଼ିର ନାଭିଗେସନ୍ ଉପଗ୍ରହ ଶ୍ରେଣୀର ତୃତୀୟ ଉପଗ୍ରହ । ଏହା ପୁରୁଣା ଉପଗ୍ରହଗୁଡ଼ିକର ସେବାକୁ ଜାରି ରଖିବା ସହିତ ଭାରତର ନାଭିଗେସନ୍ ବ୍ୟବସ୍ଥାକୁ ଅଧିକ ଭରସାଯୋଗ୍ୟ କରିବାରେ ସହାୟକ ହେବ। ଏହି ଉପଗ୍ରହର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ଭାରତରେ ନିର୍ମିତ ଆଟମିକ୍ କ୍ଲକ୍ ବା ପରମାଣୁ ଘଡ଼ି ରହିଛି। ଏହା ସହିତ ବିଦେଶରୁ ଅଣାଯାଇଥିବା ଆଟମିକ୍ କ୍ଲକ୍ ମଧ୍ୟ ରହିବ। ସାଧାରଣ ଘଡ଼ି ତୁଳନାରେ ଆଟମିକ୍ କ୍ଲକ୍ ଅତ୍ୟନ୍ତ ସଠିକ୍ ଭାବେ ସମୟ ଗଣନା କରିଥାଏ । ଏହି ଘଡ଼ି ନାଭିଗେସନ୍ ସେବାକୁ ଅଧିକ ସଠିକ୍ କରିବାରେ ସହାୟକ ହେବ ।

    ଏହାଛଡ଼ା NVS-03 ଉପଗ୍ରହରେ ଏକ ନୂଆ L1 ସିଗ୍ ନାଲ୍ ସୁବିଧା ମଧ୍ୟ ରହିଛି । ପୂର୍ବରୁ ବ୍ୟବହୃତ L5 ଓ S ସିଗ୍ ନାଲ୍ ସହିତ ଏହି ନୂଆ ସିଗ୍ ନାଲ୍ କାମ କରିବ। ଫଳରେ ଭବିଷ୍ୟତରେ ଅଧିକ ସଂଖ୍ୟକ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଉପକରଣରେ ଭାରତର NavIC ସେବା ବ୍ୟବହାର କରିବା ସହଜ ହୋଇପାରିବ। ଏହି ନାଭିଗେସନ୍ ବ୍ୟବସ୍ଥା ଭାରତର ସମଗ୍ର ଭୂଭାଗ ସହିତ ଦେଶର ସୀମାଠାରୁ ପ୍ରାୟ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳକୁ ସେବା ଯୋଗାଇବା ପାଇଁ ପରିକଳ୍ପନା କରାଯାଇଛି। ଏହା ଦ୍ୱାରା ଗାଡ଼ି ଚାଳକ, ଜାହାଜ, ବିମାନ ଓ ସମୁଦ୍ରରେ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀମାନେ ଉପକୃତ ହୋଇପାରିବେ। ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସେବାରେ ମଧ୍ୟ ଏହି ବ୍ୟବସ୍ଥାର ଗୁରୁତ୍ୱ ରହିଛି । ସବୁଠାରୁ ବଡ଼ କଥା ହେଉଛି, ନିଜସ୍ୱ ନାଭିଗେସନ୍ ବ୍ୟବସ୍ଥା ଥିବାରୁ ଭାରତକୁ ଏହି ସେବା ପାଇଁ କେବଳ ଅନ୍ୟ ଦେଶର ଉପଗ୍ରହ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦେଶର ସୁରକ୍ଷା, ପରିବହନ, ଯୋଗାଯୋଗ ଓ ଜରୁରୀ ସେବା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23 ° C
    23 °
    23 °
    96 %
    3.9kmh
    100 %
    Thu
    23 °
    Fri
    28 °
    Sat
    28 °
    Sun
    29 °
    Mon
    26 °

    ସମ୍ବନ୍ଧିତ