ବେଙ୍ଗାଲୁରୁ : ଏଣିକି ଏଲପିଜି ସିଲିଣ୍ଡର ଅର୍ଡର କରି ଆଉ କରିବାକୁ ପଡ଼ିବନି ଅପେକ୍ଷା । ଏଣିକି ଅର୍ଡର କରିବାର ମିନିଟରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର । ଘରୋଇ ରାସନ ସାମଗ୍ରୀ ଭଳି ଆପଣ କ୍ୱିକ୍ କମର୍ସ ପ୍ଲାଟଫର୍ମରୁ ଏଲପିଜି ସିଲିଣ୍ଡର ମଧ୍ୟ ମଗାଇ ପାରିବେ । ଇନଷ୍ଟାମାର୍ଟ ସହିତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (HPCL) ସହଯୋଗରେ ଦେଶରେ ପ୍ରଥମ ଥର ପାଇଁ ଡିଲ୍ ହୋଇଛି । ଏହି ସେବା ଜରିଆରେ ଗ୍ରାହକମାନେ ଏବେ ଇନଷ୍ଟାମାର୍ଟ ଆପ୍ ମାଧ୍ୟମରେ HPCL ର ନୂଆ ୧୦ କିଲୋଗ୍ରାମ ବିଶିଷ୍ଟ ‘ଏଚପି ନବ୍ୟା’ କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ଅର୍ଡର କରିପାରିବେ । ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଯାଉଛି ।
ଏଠାରେ ଗ୍ରାହକମାନେ ୧୦ କିଲୋଗ୍ରାମର ‘ଏଚପି ନବ୍ୟା’ ସହିତ ପୂର୍ବରୁ ପ୍ରଚଳିତ ୫ କିଲୋଗ୍ରାମର ମେଟାଲ୍ ସିଲିଣ୍ଡର ମଧ୍ୟ ଅର୍ଡର କରିପାରିବେ । ପ୍ରଥମ ଥର ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ପରିଚୟ ପତ୍ର ଯାଞ୍ଚ (KYC) ଏବଂ ପ୍ରୁଫ୍-ଅଫ୍-ଡେଲିଭରି ପ୍ରକ୍ରିୟା ବାଧ୍ୟତାମୂଳକ ରହିବ ।
ଏହି ସୁବିଧା ପାଇଁ ଗ୍ରାହକଙ୍କ ପାଖରେ ପୂର୍ବରୁ ଘରୋଇ ଏଲପିଜି କନେକ୍ସନ ରହିବା ଅନିବାର୍ଯ୍ୟ ନୁହେଁ । ଫଳରେ ବାହାରେ ରହୁଥିବା ଛାତ୍ରଛାତ୍ରୀ, ବ୍ୟାଚେଲର୍ସ ଏବଂ ଛୋଟ ପରିବାର ଖୁବ୍ ସହଜରେ ଏହାର ଲାଭ ଉଠାଇ ପାଇବେ । ଏହି ସର୍ଭିସ ପ୍ରଥମେ ବେଙ୍ଗାଲୁରୁ ସହରରେ ଆରମ୍ଭ ହେବାକୁ ଯାଉଛି ।
ଏହି ସିଲିଣ୍ଡରଟି ଓଜନରେ ବହୁତ ହାଲୁକା ଏବଂ ଏଥିରେ କଳଙ୍କି ଲାଗିବାର ଭୟ ନାହିଁ । ବାହାର ଅଂଶ ସ୍ୱଚ୍ଛ ହୋଇଥିବାରୁ ଗ୍ରାହକମାନେ ସହଜରେ ସିଲିଣ୍ଡରରେ ଥିବା ଗ୍ୟାସର ସ୍ତର ଦେଖିପାରିବେ । ଏହାର ଆଧୁନିକ ଡିଜାଇନ୍ ଯୋଗୁଁ ଏହା ଆପାର୍ଟମେଣ୍ଟ, ଛୋଟ ପରିବାର, ଛାତ୍ରଛାତ୍ରୀ, ଚାକିରିଆ ଏବଂ ଅତିରିକ୍ତ ସିଲିଣ୍ଡର ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ହେବ ।
