Saturday, October 10, 2026
23.6 C
Odisha

    ଏନ୍‌ଇପିକୁ ନେଇ ଧର୍ମେନ୍ଦ୍ର-ଷ୍ଟାଲିନ୍‌ ବାକ୍‌ଯୁଦ୍ଧ: ଡିଏମ୍‌କେ ସାଂସଦଙ୍କ ହଟ୍ଟଗୋଳ, ଲୋକସଭା ଅଧଘଣ୍ଟା ମୁଲତବୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ କାର୍ଯ୍ୟକାରୀ କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଛି। ଲୋକସଭାରେ ପିଏମ୍‌ ସ୍କୁଲ୍‌ସ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ୍‌ ଶ୍ରୀ ଯୋଜନା ସଂପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ କେନ୍ଦ୍ରୀୟ ପ୍ରାୟୋଜିତ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଡିଏମ୍‌କେ ନେତୃତ୍ବରେ ପରିଚାଳିତ ତାମିଲନାଡ଼ୁ ସରକାର ମତ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ତାମିଲନାଡ଼ୁ ସରକାର ଏମ୍‌ଓୟୁ ବା ବୁଝାମଣାପତ୍ର ସ୍ବାକ୍ଷର କରିବା ନେଇ ପ୍ରଥମେ ରାଜି ହୋଇଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ତାଙ୍କ ମତ ବଦଳାଇଛନ୍ତି। ଶିକ୍ଷାମନ୍ତ୍ରୀ କହିଥିଲେ ଯେ ଏକ ସମୟରେ ତାମିଲନାଡ଼ୁ ପିଏମ୍‌ ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସହମତି ପ୍ରକାଶ କରିଥିଲା। ‌ଡିଏମ୍‌କେର କେତେଜଣ ସାଂସଦ ତାଙ୍କୁ ଭେଟି ଏ ସଂପର୍କରେ ଜଣାଇଥିଲେ। କିନ୍ତୁ ସେମାନେ ପରେ ମତ ବଦଳାଇଛନ୍ତି। ସେମାନେ ତାମିଲନାଡ଼ୁର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ଏବଂ ଲୋକଙ୍କୁ ଭ୍ରମିତ କରୁଛନ୍ତି। ସେମାନେ ଅଗାଣତାନ୍ତ୍ରିକ ଓ ଅସଭ୍ୟ।

    ଶିକ୍ଷାମନ୍ତ୍ରୀଙ୍କ ଏହି ବିବୃତିକୁ ଡିଏମ୍‌ମେ ସାଂସଦମା‌ନେ ପ୍ରବଳ ବିରୋଧ କରି ପାଟିତୁଣ୍ଡ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏଥିପାଇଁ ଲୋକସଭାକୁ ପ୍ରାୟ ୩୦ ମିନିଟ୍‌ ପାଇଁ ମୁଲତବୀ କରିବାକୁ ପଡ଼ିଥିଲା। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟ ଆସିବା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଡିଏମ୍‌କେ ସାଂସଦମାନଙ୍କୁ ଟାର୍ଗେଟ୍‌ କରି ‌ଶିକ୍ଷାମନ୍ତ୍ରୀ ବ୍ୟବହାର କରିଥିବା ଶବ୍ଦକୁ ବିରୋଧ କରିଛନ୍ତି। ପାଣ୍ଠି ପ୍ରଦାନ କରି ନଥିବାରୁ ଶିକ୍ଷାମନ୍ତ୍ରୀ ତାମିଲନାଡ଼ୁବାସୀଙ୍କୁ ଠକିଛନ୍ତି ବୋଲି ସେ କହିଛନ୍ତି। ଆପଣ ତାମିଲନାଡ଼ୁ ଲୋକଙ୍କୁ ଅପମାନିତ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗ୍ରହଣ କରନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଜଣେ ‘ଅହଂକାରୀ ରାଜା’ ଭଳି କଥା ହେଉଛନ୍ତି। ତାମିଲନାଡ଼ୁ ଲୋକମାନଙ୍କୁ ଯିଏ ଅସମ୍ମାନିତ କରିଛନ୍ତି ତାଙ୍କୁ ଶୃଙ୍ଖଳିତ କରାଯିବାର ଆବଶ୍ୟକତା ରହିଛି ବୋଲି ଷ୍ଟାଲିନ୍‌ କହିଛନ୍ତି। କେନ୍ଦ୍ରର ପିଏମ୍‌ ଶ୍ରୀ ଯୋଜନାକୁ ତାମିଲନାଡ଼ୁ ସରକାର କାର୍ଯ୍ୟକାରୀ କରିବେ ନାହିଁ। ତାଙ୍କୁ ମଧ୍ୟ ଏହି ମାମଲାରେ କେହି ପ୍ରବର୍ତ୍ତାଇ ପାରିବେ ନାହିଁ। ତେବେ ତାମିଲନାଡ଼ୁର ଛାତ୍ରଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ, ଯାହା ଆମ ଲୋକଙ୍କ ଠାରୁ ଆଦାୟ ହୋଇଛି ତାହା ପ୍ରଦାନ କରିବ କି ନାହିଁ ଆମକୁ କୁହ ବୋଲି ଷ୍ଟାଲିନ ପଚାରିଛନ୍ତି।

    ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ବିରୋଧ କରି ଡିଏମ୍‌କେ ସାଂସଦ କାନିମୋଝି କହିଥିଲେ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ ନକରିବାରୁ ଭେଟିଥିଲେ। ତାମିଲନାଡ଼ୁ ସରକାର ଏନ୍‌ଇପି ଏମ୍‌ଓୟୁରେ ସ୍ବାକ୍ଷର ନକରିବା, ୩ଟି ଭାଷା ନୀତିକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ରାଜ୍ୟର ବିଦ୍ୟାଳୟଗୁଡ଼ିକ ପାଇଁ ୨ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ। ଡିଏମ୍‌କେ ସାଂସଦମାନେ ଏନଇପିରେ ସ୍ବାକ୍ଷର କରିବା ପାଇଁ ମନ୍ତ୍ରୀ ଯେଉଁ ଦାବି କରୁଛନ୍ତି ତାହା ମିଛ। ଆମ ମୁଖ୍ୟମନ୍ତ୍ରୀ ଏନ୍‌ଇପି ଏମଓୟୁରେ ସ୍ବାକ୍ଷର କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖି ସାରିଛନ୍ତି। କିନ୍ତୁ ଶିକ୍ଷାମନ୍ତ୍ରୀ ଆମ ସରକାର, ଲୋକ ଏବଂ ତାମିଲନାଡ଼ୁର ସାଂସଦମାନଙ୍କୁ ମିଛୁଆ କହିଛନ୍ତି। ସେ ଆମକୁ ଅସଭ୍ୟ କହି ତାମିଲନାଡ଼ୁ ଲୋକ ଏବଂ ସାଂସଦମାନଙ୍କୁ ଆଘାତ ଦେଇଛନ୍ତି। ଆମେ ଏହାକୁ ଦୃଢ଼ ନିନ୍ଦା କରୁଛି ବୋଲି କାନିମୋଝି କହିଥିଲେ। ଏପରିକି କାନିମୋଝି ‌ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି।

    ଡିଏମ୍‌କେ ସାଂସଦମାନଙ୍କ ବିରୋଧ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିଛନ୍ତି। ରେକର୍ଡରୁ ଏହି ମନ୍ତବ୍ୟକୁ ବାଦ୍‌ ଦେବାକୁ ମଧ୍ୟ ବାଚସ୍ପତି ଓମ୍‌ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡ଼ୁର ସାଂସଦ, ଲୋକ ଏବଂ ସରକାର  ବିରୋଧରେ ମୁଁ ଯେଉଁ ଶବ୍ଦ ବ୍ୟବହାର କରିଛି ତାହା କରିବା ଉଚିତ ନଥିଲା ବୋଲି କାନିମୋଝି କହିଛନ୍ତି। ମୋର କଥା ଯଦି କାହାର ଭାବନାକୁ ଆଘାତ ଦେଇଛି ତାହେଲେ ମୁଁ ତାହାକୁ ପ୍ରତ୍ୟାହାର କରି ନେଉଛି। ଏହା କରିବାରେ ମୋର କୌଣସି ସମସ୍ୟା ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଉଭୟ ସଂସଦ ଭିତରେ ଏବଂ ବାହାରେ ନେତାମାନେ ଏହି ପ୍ରସଙ୍ଗରେ ପରସ୍ପରକୁ ସମାଲୋଚନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ