ଭୁବନେଶ୍ବର: ଦକ୍ଷିଣ ଓଡ଼ିଶା ଉପରେ ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବା ସମ୍ଭାବନା। ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବିଗତ ୬ ଘଣ୍ଟା ମଧ୍ୟରେ ଏହି ଗଭୀର ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ରହିଛି । ଭବାନୀପାଟଣାଠାରୁ ପ୍ରାୟ ୬୦ କି.ମି. ପଶ୍ଚିମ-ଦକ୍ଷିଣପଶ୍ଚିମରେ ଓ ଟିଟିଲାଗଡ଼ଠାରୁ ପ୍ରାୟ ୯୦ କି.ମି. ଦକ୍ଷିଣପଶ୍ଚିମରେ ରହିଛି । ଏହା କ୍ରମାଗତ ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଆଗାମୀ ୧୨ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ।
ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି । ହେଲେ ଆଜି ବି ଓଡ଼ିଶାରେ ବର୍ଷା ।ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ଗଭୀର ଅବପାତର ପ୍ରଭାବ କମିବା ଆରମ୍ଭ କରିଥିଲେ ମଧ୍ୟ ଆଜି ଓଡ଼ିଶାରୁ ବର୍ଷା ସମ୍ପୂର୍ଣ୍ଣ ଛାଡ଼ିବ ନାହିଁ। ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଜିଲ୍ଲାକୁ ସକାଳ ସାଢ଼େ ୮ଟା ଯାଏ ରେଡ୍ ୱାର୍ଣ୍ଣିଂ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ଗୁରୁବାର ତୁଳନାରେ ଆଜି ବର୍ଷାର ପ୍ରଭାବ ଧୀରେ ଧୀରେ କମିବା ସମ୍ଭାବନା ରହିଛି । ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।
ସେହିପରି ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ସକାଳ ସାଢ଼େ ୮ଟା ପରେ ବର୍ଷାର ତୀବ୍ରତା ଆହୁରି କମିବାର ସମ୍ଭାବନା ରହିଛି । ତଥାପି ରାଜ୍ୟର ଅନେକ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ଜାରି ରହିପାରେ । ନବରଙ୍ଗପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରର ସିଷ୍ଟମ ସ୍ଥଳଭାଗକୁ ପ୍ରବେଶ କରିବା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମଶଃ ଦୁର୍ବଳ ହେଉଛି । ତଥାପି ଏହାର ପ୍ରଭାବରେ ଓଡ଼ିଶା ଉପରେ ପ୍ରଚୁର ଜଳୀୟବାଷ୍ପ ରହୁଥିବାରୁ ଆଜି ବର୍ଷା ଜାରି ରହିବ। ଭୁବନେଶ୍ୱର ଓ କଟକରେ ଶୁକ୍ରବାର ଆକାଶ ଆଂଶିକ ମେଘୁଆ ରହିବା ସହ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ରାଜଧାନୀରେ ତାପମାତ୍ରା ପ୍ରାୟ ୨୩ରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। ବର୍ଷାର ଅଧିକ ପ୍ରଭାବ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ ।
