Thursday, September 19, 2024
25.2 C
Odisha

    କିଏ ବଡ? କର୍ମ,ଭାଗ୍ୟ ନା ବୁଦ୍ଧି ?

    ଆଗକୁ ପଢନ୍ତୁ

     

    ଥରେ ସ୍ୱର୍ଗ ଲୋକରେ କର୍ମ ,ଭାଗ୍ୟ ଏବଂ ବୁଦ୍ଧି ତିନି ଜଣ ଏକା ସାଂଗେ ଦେଖା ହୋଇ ଥିଲେ । ସେମାନଙ୍କ ମଧ୍ୟରେ ବିବାଦ ହେଲା କି ସବୁଠାରୁ ବଡ କିଏ ? କର୍ମ କହିଲା ମୁଁ ବଡ଼, ଭାଗ୍ୟ କହିଲା ମୁଁ ବଡ଼, ଆଉ ବୁଦ୍ଧି ବି କହିଲା ମୁଁ ବଡ଼ । ଏମିତି ସମସ୍ତେ ନିଜକୁ ବଡ଼ ବୋଲି ପ୍ରମାଣିତ କରିବାକୁ ଯାଇ ବଚସା କରିବାକୁ ଲାଗିଲେ । ଏହାର କୌଣସି ସମାଧାନ ହେବା ପରିବର୍ତ୍ତେ ବଚସା ଧୀରେ ଧୀରେ ବଢିବାକୁ ଲାଗିଲା ଏବଂ ଝଗଡା ର ରୂପ ନେଲା ।

    ସେହି ସମୟରେ ନାରଦ ମୁନି ସେହି ବାଟ ଦେଇ ଯାଉ ଥିଲେ । ସେ ଦେଖିଲେ ସେହି ତିନି ଜଣ ଖୁବ ଜୋରରେ ଝଗଡା ଲାଗିଛନ୍ତି । ଝଗଡର କାରଣ ଜାଣିବା ପାଇଁ ସେ ଯାଇ ସେମାନଙ୍କ ପାଖରେ ପହଂଚି ଗଲେ ଏବଂ କାହିଁକି ଝଗଡା ଲାଗୁଛ ପ୍ରଶ୍ନ କଲେ । ସେ ତିନି ଜଣ କହିଲେ “ହେ ନାରଦ ମୁନି ! ଭଲ ହେଲା ଆପଣ ଆସି ଏଠାରେ ପହଞ୍ଚି ଗଲେ । ଏବେ ଆପଣ ନିର୍ଣ୍ଣୟ କରନ୍ତୁ ଆମ ଭିତରୁ ବଡ଼ କିଏ । କର୍ମ, ଭାଗ୍ୟ, ନା ବୁଦ୍ଧି । ଏହା ଶୁଣି ନାରଦ ମୁନି କହିଲେ “ ଏହି ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ମଧ୍ୟ କଠିନ । ଏଥିପାଇଁ ଆମେ ଏକ ପରୀକ୍ଷା କରିବା । ବର୍ତ୍ତମାନ ଆମେ ପୃଥିବୀଲୋକକୁ ଯିବା । ସେଠାରେ ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ଜଣେ ଜଣେ ବ୍ୟକ୍ତିଙ୍କ ଘରକୁ ଯିବେ ଏବଂ ସେମାନଙ୍କ ପାଖେ ବାସ କରିବେ । ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତିର ସବୁ କ୍ଷେତ୍ରରେ ଉନ୍ନତି ଘଟିବ , ତାଙ୍କ ପାଖରେ ଯିଏ ବାସ କରୁଥିବେ ସେ ହିଁ ସବୁଠାରୁ ବଡ଼ ବୋଲି ପ୍ରମାଣିତ ହୋଇଯିବ ।

    ତାପରେ ସାଥୀ ହୋଇ କର୍ମ ,ଭାଗ୍ୟ ଓ ବୁଦ୍ଧି ପୃଥୀବି ଲୋକକୁ ଗଲେ । ସେଠି ସେମାନେ ଜଣେ ଗରିବ କାଠୁରିଆକୁ ଦେଖିଲେ । ସେମାନେ ସ୍ଥିର କଲେ ଯେ ସେହି କାଠୁରୀଆର ଘରେ ପ୍ରତ୍ୟେକ ଜଣକ ପରେ ଜଣେ ସପ୍ତାହେ ଲେଖାଏଁ ରହିବେ । ଯାହାର ରହିବା ସମୟରେ କାଠୁରିଆ ଟି ସବୁଠାରୁ ବେଶୀ ଉନ୍ନତି କରିବ, ସେ ହିଁ ସବୁଠାରୁ ମହାନ ବୋଲି ସମସ୍ତେ ସ୍ଵୀକାର କରିବେ । ଏହା ପରେ କର୍ମ ପ୍ରଥମେ କାଠୁରିଆ ସହିତ ଗଲେ । କର୍ମ ଆସିବାରୁ କାଠୁରିଆର ଶକ୍ତି ବଢି ଯାଇ ଥିଲା । କାଠୁରିଆଟି ସବୁଦିନ ଯେତିକି କାଠ କାଟୁଥିଲା ତାର ଦୁଇଗୁଣ କାଠ କାଟିବାକୁ ଲାଗିଲା । ଏତେ କାଠ କାଟିଥିବାର ଦେଖି ସେ ଖୁବ ଖୁସି ହୋଇଗଲା । ସବୁ କାଠ ବଜାରରେ ବିକ୍ରି କରି ଖୁବ ଭଲ ପଇସା କମେଇବ ବୋଲି ଭାବିଲା । କିନ୍ତୁ ସେ ଏତେ ଗୁଡିଏ କାଠ ଉଠେଇ ବଜାରକୁ ନେଇ ପାରୁନଥାଏ । ସେ ପ୍ରତ୍ୟକ ଦିନ ସେତିକି କାଠ କାଟେ ଯେତିକି ତା ହାତରେ ଧରି ଥାଏ । ସେ ସେତିକି କାଠ ନେଇ ବଜାରକୁ ବିକ୍ରି କରିବାକୁ ଯାଏ ଏବଂ ଆଗରୁ ଯେତିକି ଟଙ୍କା ମିଳୁଥିଲା ସେତିକି ଟଙ୍କା ହିଁ ମିଳେ । ଏପରି ଭାବରେ ଏକ ସପ୍ତାହ ବିତିଗଲା । କାଠୁରିଆ ର ଘରେ କର୍ମ ବାସ କରିବା ଫଳରେ ସେ କାଠ ତ ଅଧିକ କାଟୁଥିଲା ମାତ୍ର ଏଥିରେ ତାର କୌଣସି ଆର୍ଥିକ ଅଭିବୃଦ୍ଧି ଘଟୁ ନଥିଲା । ଏହାପରେ ପଡ଼ିଲା ଭାଗ୍ୟର ପାଳି । ଭାଗ୍ୟ କହିଲେ, “କର୍ମ ଦ୍ଵାରା ତ କିଛି ହେଇପାରିଲା ନାହିଁ । ଏବେ ଦେଖ, ମୁଁ ସପ୍ତାହେ ଭିତରେ କିପରି ସେ କାଠୁରିଆକୁ ସଫଳ କରେଇ ଦେଖାଉଛି । ତାପରେ ଭାଗ୍ୟ ଯାଇ ସେ କାଠୁରିଆ ର ଘରେ ପ୍ରବେଶ କଲେ । ଭାଗ୍ୟ ରହିବା ଫଳରେ ଦିନେ କାଠୁରିଆକୁ ଜଙ୍ଗଲ ମଧ୍ୟରୁ ଏକ ସୁନା ଭର୍ତ୍ତି ବ୍ୟାଗ ମିଳିଲା । ସେହି ବ୍ୟାଗ କୁ ସେ ନିଜ ସହ ଘରକୁ ନେଇ ଆସିଲା । ବର୍ତ୍ତମାନ କାଠୁରିଆ ପାଖରେ ଅନେକ ସମ୍ପତ୍ତି । ମାତ୍ର କର୍ମ ଓ ବୁଦ୍ଧି ର ଅଭାବ ଫଳରେ ସେ ସେହି ସମ୍ପତ୍ତି ସବୁ ଭୁଲ ବାଟରେ ମୁର୍ଖାମି ର ସହ ଉଡେଇବାକୁ ଲାଗିଲା । ଠିକ ରୂପେ ଖର୍ଚ୍ଚ ନ କରିବାରୁ ସେ ସମସ୍ତ ସମ୍ପତ୍ତି ସପ୍ତାହେ ମଧ୍ୟରେ ଶେଷ ହୋଇଗଲା ଆଉ କାଠୁରିଆ ର କୌଣସି ବି ଉନ୍ନତି ହୋଇ ପାରିଲା ନାହିଁ । ସମୟ ସରିଯିବାରୁ ଭାଗ୍ୟ ତା ଘରୁ ବାହାରି ଆସିଲେ । ଏବେ ପାଳି ପଡ଼ିଲା ବୁଦ୍ଧିର । ସେ ଯାଇ ପ୍ରବେଶ କଲେ କାଠୁରିଆର ଘରେ ।

    କାଠୁରିଆ ବୁଦ୍ଧିମାନ ହେବା ଫଳରେ ସେ ପ୍ରତିଦିନ ପୂର୍ବଦିନଠାରୁ ଅଧିକ କାଠ କାଟିବାକୁ ପ୍ରୟାସ କଲା । କାଟିଥିବା ଅଧିକ କାଠକୁ ବୁଦ୍ଧି ଖଟାଇ ଦଉଡ଼ିରେ ବାନ୍ଧି ବଜାରକୁ ନେଇଗଲା ଏବଂ ଧୀରେ ଧୀରେ କରି ଅଧିକ ଟଙ୍କା ଆୟ କରିବାକୁ ଲାଗିଲା । ରୋଜଗାର କରୁଥିବା ଟଙ୍କାରେ ନିଜର ଏକ କାଠ ଦୋକାନ କଲା । ସେଠାରେ ସେ ଅଧିକ ଅଧିକ କାଠ ରଖି ବିକିଲା । ଆସୁଥିବା ଟଙ୍କା କୁ ସଞ୍ଚୟ କରି ସେ କାଠ ତିଆରି ଜିନିଷର ବ୍ୟବସାୟ ମଧ୍ୟ ଆରମ୍ଭ କଲା । ଏପରି ଭାବରେ ଧୀରେ ଧୀରେ ସେ ଉନ୍ନତି ର ପାହାଚ ଚଢିବାକୁ ଲାଗିଲା । ସ୍ଵର୍ଗଲୋକରେ ଯେତେବେଳେ ଆଲୋଚନା ହେଲା ଯେ କର୍ମ, ଭାଗ୍ୟ ଓ ବୁଦ୍ଧି ମଧ୍ୟରୁ କିଏ ସର୍ବଶ୍ରେଷ୍ଠ, ସେତେବେଳେ ନାରଦ ମୁନି କହିଲେ, “ ସେଇ କାଠୁରିଆର ଜୀବନରୁ ଆମେ ଏଇୟା ଦେଖିଲେ ଯେ ବୁଦ୍ଧି ବଳ ହେଉଛି ସର୍ବଶ୍ରେଷ୍ଠ ବଳ । ବିନା ବୁଦ୍ଧି ବଳରେ କର୍ମ କିମ୍ବା ଭାଗ୍ୟ କିଛି ବି ନୁହନ୍ତି । କିନ୍ତୁ ଯେତେବେଳେ ବୁଦ୍ଧିବଳ ଥାଏ, ସେତେବେଳେ ଭାଗ୍ୟ ଓ କର୍ମ ଆପେ ଆପେ ପରିବର୍ତ୍ତନ ହୋଇଯାଏ ।“ ଏଥିରୁ ଆମେ ଜାଣିଲେ ଯେ ବ୍ୟକ୍ତି ସଫଳ ହେବା ନିମନ୍ତେ କର୍ମ, ଭାଗ୍ୟ ଓ ବୁଦ୍ଧି ସମସ୍ତେ ରହିବା ଦରକାର । ମାତ୍ର ସବୁଠାରୁ ଶ୍ରେଷ୍ଠ ହେଉଛି ବୁଦ୍ଧିବଳ ।

    Written By – ପ୍ରଜ୍ଞା 

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ