LPG Aadhaar Rules ଘରୋଇ LPG ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର ସାମ୍ନାକୁ ଆସିଛି । ଯଦି ଆପଣ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ଏବଂ LPG ସବସିଡିର ଲାଭ ନେଉଛନ୍ତି, ତେବେ ଆଧାର ଆଧାରିତ ପରିଚୟ ସତ୍ୟାପନ ନେଇ ସତର୍କ ହେବା ଆବଶ୍ୟକ ।
ସରକାରଙ୍କ ନିୟମ ଅନୁସାରେ, ୧ ଅକ୍ଟୋବର ୨୦୨୬ରୁ ସବସିଡି ଦରରେ LPG ସିଲିଣ୍ଡର ପାଇବା ପାଇଁ ଆଧାର ଆଧାରିତ ପରିଚୟ ସତ୍ୟାପନ କରି ରଖିବା ଜରୁରୀ । ତେବେ ଯେଉଁ ଗ୍ରାହକଙ୍କର ପୂର୍ବରୁ ଆଧାର ସତ୍ୟାପନ ହୋଇସାରିଛି, ସେମାନଙ୍କୁ ପୁଣିଥରେ ଏହି ପ୍ରକ୍ରିୟା କରିବାକୁ ପଡ଼ିବ ନାହିଁ । ସରକାରୀ ତଥ୍ୟ ଅନୁସାରେ, ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ପ୍ରାୟ ୨୭ କୋଟି ୪୩ ଲକ୍ଷ ସକ୍ରିୟ ଘରୋଇ LPG ଗ୍ରାହକଙ୍କର ଆଧାର ଆଧାରିତ ବାୟୋମେଟ୍ରିକ୍ ସତ୍ୟାପନ ଶେଷ ହୋଇଛି । ଏହା ସକ୍ରିୟ ଘରୋଇ LPG ଗ୍ରାହକଙ୍କ ପ୍ରାୟ ୮୯.୯ ପ୍ରତିଶତ । ତେବେ ଆଧାର ସତ୍ୟାପନ ନକଲେ LPG ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ। କିନ୍ତୁ ସବସିଡି ଦରରେ ସିଲିଣ୍ଡର ପାଇବାରେ ସମସ୍ୟା ହୋଇପାରେ ଏବଂ ବଜାର ଦରରେ LPG କିଣିବାକୁ ପଡ଼ିପାରେ । ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ ଗ୍ରାହକଙ୍କୁ ନିଶ୍ଚିତ ଭାବେ ଏଜେନ୍ସି ଯିବାକୁ ପଡ଼ିବ ନାହିଁ । ଘରେ ବସି ମଧ୍ୟ ସତ୍ୟାପନ କରିହେବ । LPG ଡେଲିଭରି ସମୟରେ ଡେଲିଭରି କର୍ମଚାରୀଙ୍କ ଆପ୍ ମାଧ୍ୟମରେ କିମ୍ବା ସମ୍ପୃକ୍ତ ତେଲ କମ୍ପାନୀର ଆପ୍ ବ୍ୟବହାର କରି ଏହି ପ୍ରକ୍ରିୟା କରାଯାଇପାରିବ ।
Indane ଗ୍ରାହକମାନେ IndianOil ONE, Bharatgas ଗ୍ରାହକମାନେ Hello BPCL ଏବଂ HP Gas ଗ୍ରାହକମାନେ HP Pay ଆପ୍ ବ୍ୟବହାର କରିପାରିବେ । ତେଣୁ ଆପଣ ଯଦି LPG ସବସିଡିର ଲାଭ ନେଉଛନ୍ତି, ତେବେ ୧ ଅକ୍ଟୋବର ପୂର୍ବରୁ ନିଜ ଆଧାର ସତ୍ୟାପନ ସ୍ଥିତି ଯାଞ୍ଚ କରିନିଅନ୍ତୁ ।
