ଯାଯପୁର: ଆଜି ମହା ଶିବରାତ୍ରି । ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜାଗର ପାଇଁ ସଜେଇ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର । ପଞ୍ଚ ଦେବତାଙ୍କ ପୀଠ ରୂପେ ସାରା ଦେଶରେ ପ୍ରସିଦ୍ଧ ଏହି ସ୍ଥାନ । ଆଜି ଭୋର ସମୟରୁ ଠାକୁରଙ୍କର ପହଡ଼ ଖୋଲିବା ପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହି ପୀଠର ବିଶେଷତ୍ୱ ହେଉଛି ଏହି ଦିନ ମହାଦେବଙ୍କ ସମେତ ଉଜାଗର ରହିଥାନ୍ତି ପଞ୍ଚଦେବତା । ଭାରତବର୍ଷରେ ଏଭଳି କ୍ଷେତ୍ର ବିରଳ । ଶିବଙ୍କ ସହ ଗଣେଷ, ଭାସ୍କର, ବିଷ୍ଣୁ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ହେଉଛି ବହୁ ପୁରାତନ ।
ତେବେ ଏହି ପୀଠର ବୈଶିଷ୍ଟ୍ୟ ହେଉଛି ଜାଗର ଯାତ୍ରା ଦିନ ଶିବଙ୍କ ସହ ଉଜାଗର ରୁହନ୍ତି ପଞ୍ଚଦେବତା । ଏଭଳି କ୍ଷେତ୍ର ଭାରତ ବର୍ଷରେ ପ୍ରାୟତଃ ଆଉ କେଉଁଠି ଦେଖିବାକୁ ମିଳିନଥାଏ । ଯେଉଁଥିପାଇଁ ନାନା ମନସ୍କାମନା ନେଇ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଜାଗର ଦୀପ ଜାଳିବା ସହ ଏକାସାଙ୍ଗରେ ପ୍ରଭୁଙ୍କ ଦର୍ଶନ ସହ ପଞ୍ଚଦେବତାଙ୍କ ଆଶୀର୍ବାଦ ଲାଭ କରନ୍ତି । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟାରିକେଡ଼ର ବ୍ୟବସ୍ଥା । ଏପଟେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ସହ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
କୁହାଯାଏ ଶିବ ପାର୍ବତୀଙ୍କ କଳି ପରେ ପାର୍ବତୀ ଗୃହ ତ୍ୟାଗ କରିଥିଲେ । ଗୁମ୍ଫା ଦ୍ୱାରରେ ଗଣେଶଙ୍କୁ ବସାଇ ଭିତରେ ତପସ୍ୟା କରୁଥିବା ସମୟରେ ଶିବଙ୍କ ସହ ଗଣେଶଙ୍କ ଯୁଦ୍ଧ ହୋଇଥିଲା । ଗଣେଶଙ୍କ ମସ୍ତକ ଛେଦନ ପରେ ହାତୀର ମସ୍ତକ ଲଗାଯାଇ ଜୀବନ୍ୟାସ ଦିଆଯାଇଥିଲା । ଗଣେଶଙ୍କୁ ଜୀବନ୍ୟାସ ଦିଆଯିବା ବେଳେ ସକଳ ଦେବତା ଏକାଠି ହୋଇଥିଲେ । ଦେବଦେବୀମାନେ ଏକାଠି ହୋଇ ଜୀବନ୍ୟାସ ଦେଇଥିବାରୁ ଏହା ପଞ୍ଚକ୍ଷେତ୍ର ବା ଆଦି କ୍ଷେତ୍ର ବୋଲି କୁହାଯାଏ । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ହେଉଛି ବହୁ ପୁରାତନ । ତେବେ ମହାଶିବରାତ୍ରୀ ଅବସରରେ ଏହି ମହାବିନାୟକ ପୀଠରେ ଏକାସାଙ୍ଗରେ ମହାଦେବଙ୍କ ଦର୍ଶନ ସହ ପଞ୍ଚଦେବତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ପାଉଛନ୍ତି ଭକ୍ତ ।

