ନୂଆଦିଲ୍ଲୀ : ଦକ୍ଷିଣ ଚୀନ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ନୌଲ୍ ସ୍ଥଳଭାଗ ଛୁଇଁଛି । ଗୁଆଙ୍ଗଡୋଙ୍ଗ ପ୍ରାନ୍ତରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଘଣ୍ଟା ପ୍ରତି ୧୪୫ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗୁଆଙ୍ଗଡୋଙ୍ଗ ପ୍ରଦେଶର ହୁଇଡୋଙ୍ଗ କାଉଣ୍ଟିରେ ଭୋର ପ୍ରାୟ ୩ଟା ୫୦ ମିନିଟରେ ଏହି ଟାଇଫୁନ୍ ଲ୍ୟାଣ୍ଡଫଲ୍ କରିଛି । ନୌଲ୍ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହାହକୁ ଦେଖି ପ୍ରଶାସନ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ।
ଦକ୍ଷିଣ ଚୀନ ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ଝଡ଼ର ସବୁଠାରୁ ଅଧିକ ପ୍ରଭାବ ପରିବହନ ସେବା ଉପରେ ପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ହଂକଂ ବିମାନବନ୍ଦରରୁ ୪୧୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ ଗୁଆଙ୍ଗଡୋଙ୍ଗରେ ସମସ୍ତ ହାଇସ୍ପିଡ ଟ୍ରେନ୍ ସେବାକୁ ବାତିଲ କରାଯାଇଛି । ବିଭିନ୍ନ ବିପଦସଙ୍କୁଳ ଅଞ୍ଚଳରୁ ପ୍ରାୟ ୩ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ପାଇଁ ୨୮ଟି ଅସ୍ଥାୟୀ ଆଶ୍ରମ ସ୍ଥଳ ଖୋଲିଦିଆଯାଇଛି ।
ଘୂର୍ଣ୍ଣିଝଡ ଲ୍ୟାଣ୍ଡଫଲ କରିବା ପରେ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରଗତି କରୁଛି ଏବଂ ଧୀରେ ଧୀରେ ଦୁର୍ବଳ ହେଉଛି । ସ୍ଥଳଭାଗ ଛୁଇଁବା ପରେ ଝଡ଼ଟି ଧୀରେ ଧୀରେ ଚୀନର ଆଭ୍ୟନ୍ତରୀଣ ଅଞ୍ଚଳ ଆଡ଼କୁ ଗତି କରୁଛି, ଏହାର ଶକ୍ତି ପୂର୍ବ ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା କୁହାଯାଉଛି । ବିପର୍ଯ୍ୟୟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଟାଇଫୁନ୍ ନୌଲ୍ ପ୍ରଭାବରେ କେବଳ ଚୀନ୍ ନୁହେଁ ବରଂ ହଂକଂ ଏବଂ ତାଇୱାନ ଶୋଚନୀୟ ହୋଇପଡ଼ିଛି । ହଂକଂରେ ପ୍ରବଳ ପବନ ଯୋଗୁଁ ଏକ ନିର୍ମାଣାଧୀନ ଉଚ୍ଚ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ତାଇୱାନର ଦକ୍ଷିଣ ଓ ପୂର୍ବ ଭାଗରେ ପ୍ରବଳ ବର୍ଷା ଜାରି ରହିଛି । ଚୀଂନ ଏବଂ ହଂକଂ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଟାଇଫୁନ୍ ବାଭି ଏବଂ ମାୟସାକ୍ ଦେଶରେ ବ୍ୟାପକ ତାଣ୍ଡବ ରଚିଥିଲା । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗୁଆଙ୍ଗଡୋଙ୍ଗ ଏବଂ ଦକ୍ଷିଣ-ପୂର୍ବ ଫୁଜିଆନ୍ ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ତେଣୁ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି । ଉଦ୍ଧାରକାରୀ ଦଳକୁ ସମ୍ଭାବିତ ବିପର୍ଯ୍ୟୟ ପାଇଁ ହାଇ ଆଲର୍ଟରେ ରଖାଯାଇଛି ।
