Saturday, April 4, 2026
29 C
Odisha

    ଛିନତାଇ, ମୋବାଇଲ୍ ଚୋରି ମାମଲା: ନାବାଳକଙ୍କ ସମେତ ୫ ଅନ୍ତଃରାଜ୍ୟ ଅପରାଧୀ ଧରାପଡ଼ିଲେ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଛିନତାଇ, ଲୁଟ୍, ମୋବାଇଲ୍ ଚୋରି କରୁଥିବା ଏକ ଅନ୍ତଃରାଜ୍ୟ ରାକେଟର ଜଣେ ନାବାଳକଙ୍କ ସମେତ ୫ ଜଣ ସଦସ୍ୟଙ୍କୁ ଧରିଛି ପୁଲିସ। ସେମାନେ ସମସ୍ତେ ବିହାର ଓ ଝାରଖଣ୍ଡ ଅଞ୍ଚଳର। ରାକେଟର ୩ ସଦସ୍ୟ ଫେରାର ହୋଇଯାଇଥିବାବେଳେ ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟ ପାଟନା ଜିଲ୍ଲା ଦାନପୁର ଥାନା ମନିପୁରା ଗାଁର ପିଣ୍ଟୁ କୁମାର (୪୦), ଛାପଦା ଜିଲ୍ଲା ମାଂଜି ଥାନା ଚେଫୁଲ ଗାଁର ରାଜୀବ କୁମାର ସିଂ (୩୭), ଝାରଖଣ୍ଡ ସାହେବଗଞ୍ଜ ଜିଲ୍ଲା ତାଳଝରି ଥାନା ନୟାଟୋଲି ଗାଁର ସଂଜୁ କୁମାର (୨୦) ଓ ହରିୟାଣା ଫରିଦାବାଦ ଜିଲ୍ଲା ମହକୁମା ସେକ୍ଟର ୪୯ର ସଂଜୟ ପାଲ (୩୮)। ୨ଟି ଭିନ୍ନ ଭିନ୍ନ ମାମଲାରେ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ କଳା ରଙ୍ଗର ହୋଣ୍ଡା ସାଇନ ବାଇକ, ଗୋଟିଏ ସ୍କୁଟି, ୪୩ ହଜାର ୫ ଶହ ଟଙ୍କା ନଗଦ, ବିଭିନ୍ନ କମ୍ପାନିର ୧୬ଟି ମୋବାଇଲ, ଭ୍ୟାନିଟି ବ୍ୟାଗ ଉଦ୍ଧାର କରାଯାଇଛି।

    ଅଭିଯୁକ୍ତ ପିଣ୍ଟୁ କୁମାର ଓ ରାଜୀବ ସିଂ ନାମରେ ବିହାର ଅଞ୍ଚଳରେ ଏକାଧିକ ଜଘନ୍ୟ ଅପରାଧ ମାମଲା ରହିଥିବା ଟାଉନଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା ସୂଚନା ଦେଇଥିଲେ। ଗ୍ୟାଙ୍ଗ ଏକା ବୁଲୁଥିବା ମହିଳାଙ୍କୁ ଟାର୍ଗେଟ କରି ଚେନ୍, ଟଙ୍କା ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇ ଯାଉଥିଲେ। କିଛି ଦିନ ହେଲା ଏହି ଗ୍ୟାଙ୍ଗ ସହରବାସୀଙ୍କ ନିଦ ହଜାଇ ଦେଇଥିଲେ। ମାମଲାର ବିବରଣୀ ଅନୁସାରେ, ଗତ ୧୧ ତାରିଖ ଗୁରୁବାର ୧୨ଟା ୫୫ରେ ଏଡିବି କଲୋନିରେ ରହୁଥିବା ଇଂ ମାନସରଂଜନ ବଢ଼େଇଙ୍କ ପତ୍ନୀ ତନୁଜା କାଲୋ (୩୩) ସ୍କୁଲର ପୁଅକୁ ନେଇ ହୋଣ୍ଡା ଏକ୍ଟିଭାରେ ଆସୁଥିଲେ। ଡିଆରଡିଏ ଛକରେ ହୋଣ୍ଡା ସାଇନ ବାଇକରେ ୨ ଅଭିଯୁକ୍ତ ଆସି ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇ ଚମ୍ପଟ ମାରିଥିଲେ। ମହିଳା ଜଣକ ସ୍କୁଟିରୁ ପଡ଼ି ଯାଇଥିଲେ। ତା’ ପୂର୍ବରୁ ବ୍ୟାଙ୍କରୁ ୬୫ ହଜାର ଟଙ୍କା ଉଠାଇ ହସ୍ପିଟାଲ ଛକକୁ ଆସିଥିବା ଅଉଁଲାବାହାଲର ୨ ଜଣ ମହିଳାଙ୍କଠାରୁ ଟଙ୍କାତକ ନେଇ ଯାଇଥିଲେ। ସେହିଦିନ ଅପରାହ୍ନ ୪ଟାରେ କୁତ୍ରାରେ ରହୁଥିବା ବିହାର ଗୋପାଳଗଞ୍ଜର ସନ୍ତୋଷ କୁମାରଙ୍କଠାରେ ସୁନା ଚେନକୁ ୨୦ ହଜାର ଟଙ୍କାରେ ବିକିଥିଲେ। ପୂର୍ବରୁ ଆଣିଥିବା ୩୦ ହଜାର ଟଙ୍କା ଦେବା ସହ ୧୫ ହଜାର ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଡିଆରଡିଏ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଫଟୋ ଆଧାରରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ତତ୍ତ୍ବାବଧାନରେ ପୁଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଚଲାଇ ୧୪ ତାରିଖ ଅପରାହ୍ନ ୫ଟାରେ ଲୁହରାଢିପା ଓଭରବ୍ରିଜ ତଳୁ ୨ ଅଭିଯୁକ୍ତଙ୍କୁ ଧରିଥିଲା।

    ସେହପରି ୧୪ ତାରିଖ ସାଢ଼େ ୧୦ଟାରେ ଟାଉନଥାନା କେନ୍ଦୁପଡ଼ାର ଲିପିକା ମହାନନ୍ଦିଆ ସାପ୍ତାହିକ ହାଟରୁ ପରିବା କିଣି ସ୍କୁଟିରେ ଫେରୁଥିବାବେଳେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ୩ ଜଣ ଲୁଟେରା ଆସି ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। କେବଳ ସେ ଜଣେ ନୁହେଁ, ସାପ୍ତାହିକ ହାଟରୁ ୭ରୁ ଅଧିକ ଲୋକଙ୍କ ମୋବାଇଲ୍ ଚୋରି ହୋଇଥିଲା। ବଜରଙ୍ଗ ଟେଣ୍ଟହାଉସ ମାଲିକ ଅମୀୟ ପୃଷେଠ ପରିବା କିଣୁଥିବାବେଳେ ତାଙ୍କ ସାର୍ଟ ପକେଟରୁ ଦାମୀ ମୋବାଇଲ ଚୋରି ହୋଇଯାଇଥିଲା। ସେ ଜାଣିଲା ବେଳକୁ ଚମ୍ପଟ ମାରିଥିଲା ଚୋର। ତାର କିଛି ସମୟ ପରେ ବଜାରରୁ ଆଉ ଜଣେ ମୋବାଇଲ ଚୋର ଧରାପଡ଼ିଥିଲା। ତା’ଠାରୁ ସୂଚନା ପାଇ ଶ୍ରୀ ପୃଷେଠଙ୍କ ସହ ପୁଲିସ ଯାଇ ବସରେ ଫେରାର ହେଉଥିବା ଚୋରକୁ ଧରି ମୋବାଇଲ୍ ଉଦ୍ଧାର କରିଥିଲେ। ପରେ ପରେ ଆଦର୍ଶନଗରର ଭାଗୀରଥି ଶତପଥିଙ୍କ ସମେତ ୬ ଜଣଙ୍କ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ଆସିଥିଲା। ଚୋରଙ୍କଠାରୁ ୧୬ଟି ମୋବାଇଲ ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଏସଆଇ ଡୋଳାମଣି ନାଏକ, ଏସଆଇ ଅନୀଳ କୁମାର ସାମଲ, ଏଏସଆଇ ବି. ଓରାମ ଓ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ