Thursday, September 19, 2024
25.2 C
Odisha

    ଜଗନ୍ନାଥଙ୍କ ପାଖେ କାହିଁକି ଲାଗିହୁଏ ପିତାଭୋଗ?

    ଆଗକୁ ପଢନ୍ତୁ

     

    ବୃଦ୍ଧା ଲାଣ୍ଡିମାତା । ପକ୍ଵ କେଶ । ଥୁରୁଥୁରୁ ହାତଗୋଡ । କୋଟରଗତ ଚକ୍ଷୁଦ୍ଵୟ । କିନ୍ତୁ ହସ ହସ ଥିଲା ତା’ ମୁଖମଣ୍ଡଳ । ବହୁ ପଥ ଅତିକ୍ରମ କରି ସେ ଆସିଛି ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିବ । ବଡ଼ଦାଣ୍ଡରେ ପାଦ ଥାପୁ ଥାପୁ ଏକ ଅପୂର୍ବ ପୁଲକରେ ଆନନ୍ଦିତା, ବିହ୍ଵଳିତା । ସତରେ କ’ଣ ଅଭିଳଷିତ ମନୋସ୍କାମନା ପରିପୂର୍ଣ୍ଣ ହେବ!

    ବଡଠାକୁରଙ୍କ ନିକଟରେ ସନ୍ଧ୍ୟା ଆଳତି ରୀତିନୀତି ସମ୍ପନ୍ନ ହୋଇ ସାରିଲାଣି । ଏବେ ପହଡ ପଡିବା ସମୟ । କେବଳ ବଡପଣ୍ଡା ହିଁ ରତ୍ନ ସିଂହାସନ ନିକଟରେ ଉପସ୍ଥିତ ଥାଆନ୍ତି । ଏହି ସମୟରେ ଲାଣ୍ଡିମାତା ପ୍ରବେଶ କରିଛି ରତ୍ନ ସିଂହାସନ ସମ୍ମୁଖସ୍ଥ ସ୍ଥାନରେ । ହଠାତ ବିସ୍ମିତ ହୋଇ ଉଠିଛନ୍ତି ବଡପଣ୍ଡା । ବୁଢୀ କହିଲା,”ଜୁହାର ବଡପଣ୍ଡାଏ । ମୋ କାଳିଆ ପାଇଁ ସବୁଦିନ ଷାଠିଏ ପଉଟି  ଭୋଗ ଲାଗି ହେଉଛି । କେତେ କେତେ ମିଠା ଭୋଗ ଖାଇ ଖାଇ ତା’ର ପାଟି ଅରୁଚି ହୋଇଯାଇଥିବ। ତେଣୁ ତା’ ପାଇଁ ଲିମ୍ବପତ୍ର କଢି ଓ କଅଁଳ ପତ୍ର ବାଟି ଅତି ଯତନରେ ପୋଡ଼ପିଠା ତିଆରି କରି ଆଣିଛି । ଏହା ମୋ ପୁଅ କାଳିଆ ପାଖରେ ଭୋଗ ଲାଗି କରାଇ ଦିଅ । ମୋ ମନ କହୁଛି, କାଳିଆ ମୋ ପିତାପିଠାକୁ ନିଶ୍ଚୟ ଖୁସିରେ ଗ୍ରହଣ କରିବ। ବଡପଣ୍ଡା ତା’ କଥା ଶୁଣି ତାଜୁବ ହୋଇଗଲେ । “ଠାକୁରଙ୍କୁ ତ ପିତା ପିଠା ଦିଆଯିବ ନାହିଁ । ଯଦି ନୀତିବିରୋଧ କାମ କରାଯାଏ, ଠାକୁର ରାଗିବେ । ଗଜପତି ତୋର ଓ ମୋର ମୁଣ୍ଡକାଟ ଆଦେଶ ଦେଇପାରନ୍ତି । ଯା’ ଦୂର ହେଇଯାଆ । ପହଡ ପଡିବ ।”ଏହା କହି ବଡପଣ୍ଡା ବୁଢୀକୁ ଧକ୍କା ମାରି ଶ୍ରୀମନ୍ଦିରରୁ ବିଦା କରିଦେଲେ ।

    ବୁଢୀ ନିରୂପାୟ ହୋଇ ଶ୍ରୀମନ୍ଦିର ପରିସରରେ ଏକ ନିଭୃତ ସ୍ଥାନରେ ପିଠାଟିକୁ ଧରି ବସିଥାଏ । ତା’ ଆଖିରୁ ଝର ଝର ହୋଇ ଅଶ୍ରୁ ବିଗଳିତ ହେଉଥାଏ । ସତରେ କାଳିଆ, ତୁ କଣ ଏଇ ବୁଢୀ ମା ଲାଣ୍ଡିମାତା ର ଡାକ ଶୁଣିବୁ ନାହିଁ । ସେଦିନ ରାତିରେ ଗଜପତିଙ୍କୁ ସ୍ଵପ୍ନାଦେଶ ହେଲା । ଶିଘ୍ର ଯାଇ ମୋ ଭକ୍ତର ଲିମ୍ବ ପିତା ପୋଡ଼ପିଠା ମୋତେ ଅର୍ପଣ କର । ନଚେତ ଆଉ ମନ୍ଦିର ଦ୍ଵାର ଖୋଲିବ ନାହିଁ । ନିଦ୍ରା ତ୍ୟାଗ କରି ରାଜା ଓ ମହାରାଣୀ ଆସି ମନ୍ଦିରରେ ପହଞ୍ଚି ଲାଣ୍ଡିମାତାଙ୍କୁ ଠାବ କଲେ । ସେ ଗଜପତିଙ୍କୁ ପ୍ରଣାମ କରିବା ପୂର୍ବରୁ ଗଜପତି ତାଙ୍କ ପାଦ ଛୁଇଁ ସମ୍ମାନ ଜଣାଇଲେ । ବଡପଣ୍ଡାଙ୍କୁ ଡକାଇ ବୁଢୀର ପିତା ପିଠା ଲାଗି କରାଇଲେ । ଭକ୍ତ ଲାଣ୍ଡିମାତା କାଳିଆର ଲୀଳା ଦେଖି ଖୁସିରେ ଆତ୍ମହରା ହୋଇଉଠିଲା । କାଳିଆ ବୁଢୀକୁ ଦେଖି ମୁରୁକି ହସା ଦେଉଥାନ୍ତି । ସେଦିନଠାରୁ ପୁରୀରେ ଏକ ଲାଣ୍ଡିମାତା ମଠ ସ୍ଥାପିତ ହେଲା । ଠାକୁରଙ୍କ ପାଇଁ ଏହି ମଠ ପ୍ରତିଦିନ ପିତା ପିଠା ପ୍ରସ୍ତୁତ କରେ ଓ ମହାପ୍ରଭୁଙ୍କ ପାଖେ ପିତା ଭୋଗ ଲାଗି ହୁଏ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ