ଆନନ୍ଦପୁର : ଝିଅ ଆଗରେ ବାପାମାଆ ଓ ଭଉଣୀଙ୍କୁ ମର୍ଡର । ବୀଭତ୍ସ ହତ୍ୟାକାଣ୍ଡ । କେନ୍ଦୁଝର ଜିଲ୍ଲା ଖାଳିଆମେଣ୍ଟାରେ ଟ୍ରିପଲ ମର୍ଡରକୁ ନେଇ ଚାଞ୍ଚଲ୍ୟ । ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଦୁଇ ଝିଅଙ୍କ ଆଖି ଆଗରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଏହି ଟ୍ରିପଲ ମର୍ଡର ଘଟଣାରେ ୩ ଜଣ ସଂପୃକ୍ତ ଥିବା ଅଭିଯୋଗ । ଗତକାଲି ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗାଁରେ ଜିତେନ୍ଦ୍ର ସୋରେନଙ୍କ ଘରେ ତାଙ୍କ ସାନ ଭାଇ ଲକ୍ଷ୍ମଣ ସୋରେନ, ଭାଇ ବୈଦ୍ୟନାଥ ଓ ପୁତୁରା ସୁଦାମ ଅଚାନକ ପହଞ୍ଚିଥିଲେ ।
ପ୍ରଥମେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବୈଦ୍ୟନାଥ ଓ ସୁଦାମ ଠେଙ୍ଗାରେ ପିଟିଥିବା ବେଳେ ଲକ୍ଷ୍ମଣ ଟାଙ୍ଗିଆରେ ପ୍ରଥମେ ଜିତେନ୍ଦ୍ରଙ୍କ ନାବାଳିକା ଝିଅକୁ ହାଣି ଦେଇଥିଲା । ଏହାପରେ ଜିତେନ୍ଦ୍ରଙ୍କ ସ୍ତ୍ରୀ ମାଳତୀ ଓ ଜିତେନ୍ଦ୍ରଙ୍କୁ ହାଣିବାରୁ ୩ ଜଣ ଯାକ ଟଳି ପଡ଼ିଥିଲେ । ଆକ୍ରମଣରୁ ବର୍ତ୍ତି ଯାଇଥିବା ମୃତ ଜିତେନ୍ଦ୍ରଙ୍କ ଝିଅ ପାନ ସୋରେନ ଏହା କହିଛି । ପାନ୍ ଓ ତାଙ୍କର ଅନ୍ୟ ଉଭଣୀ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି।
ଖାଳିଆମେଣ୍ଟା ନିଆଳିଝରଣ ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ ଲକ୍ଷ୍ମଣ ସୋରେନକୁ ପୋଲିସ ଅଟକ ରଖିଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ପୋଲିସ । ଆଜି କେନ୍ଦୁଝରରୁ ଫରେନସିକ ଟିମ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
କଣ ପାଇଁ ଘଟିଲା ହତ୍ୟାକାଣ୍ଡ । କାରଣ କଣ । ତଦନ୍ତ ଚଳାଇଛି ପୋଲିସ । ସଂପତ୍ତି ପାଇଁ ସଂପର୍କୀୟ ୩ ଜଣଙ୍କ ମୁଣ୍ଡ ଗଡ଼ାଇଥିବା କୁହାଯାଉଛି । ସେହିପରି ଅଭିଯୁକ୍ତ ବୈଦ୍ୟନାଥର ଝିଅ ରୁପାର ଅନେକ ସମୟରେ ଦେହ ଅସୁସ୍ଥ ରହୁଥିବାରୁ ମୃତ ଜିତେନ୍ଦ୍ରଙ୍କ ପରିବାର କିଛି ଗୁଣିଗାରେଡି କରୁଥିବାର ସନ୍ଦେହ କରି ହତ୍ୟା କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

