Wednesday, June 10, 2026
40.8 C
Odisha

    ନିଯୁକ୍ତି ମେଳା: ୫ ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତି ପତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଆବଶ୍ୟକ। ଆପଣମାନେ ଲୋକଙ୍କ ସେହି ଭରସାକୁ କୌଣସି ସମୟରେ କିମ୍ବା କୌଣସି ପରିସ୍ଥିତିରେ ଭାଙ୍ଗିବେ ନାହିଁ ବୋଲି ମୋର ଆଶା। ଆପଣଙ୍କ ଦ୍ଵାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟ ଜନମଙ୍ଗଳ ଉପରେ ଆଧାରିତ ହେବା ଉଚିତ୍।ମଙ୍ଗଳବାର ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମୁଦାୟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

    ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ ଆୟୁଷ ଆସିଷ୍ଟାଣ୍ଟ, କୃଷି ବିଭାଗରେ ୬୫ ଜଣ ମୃତ୍ତିକା ସଂପ୍ରସାରଣ କର୍ମଚାରୀ ଏବଂ ୩୩ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଶକ୍ତି ବିଭାଗରେ ୪୮ ଜଣ ମ୍ୟାନେଜମେଣ୍ଟ ଟ୍ରେନି, ଜଳ ସମ୍ପଦ ବିଭାଗରେ ୧୨ଜଣ କନିଷ୍ଠ ସହାୟକ ଓ ୧୪ ଜଣ ଅମିନ ଏବଂ ଇସ୍ପାତ ଓ ଖଣି ବିଭାଗରେ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ ଓ ୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ । ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଇଥାଏ । ଏହି ମୌଳିକ ସତ୍ୟକୁ ଉପଲବ୍ଧି କରି ଆମ ସରକାର ଦାୟିତ୍ଵ ନେବା ପରେ ପରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି । ରାଜ୍ୟର ବିକାଶ ଦିଗରେ ଆମ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଣୁ ଆପଣମାନଙ୍କ ପରି ଯୁବ ଏବଂ ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ଵାରା ହିଁ ଲୋକମାନେ ଏହି ପଦକ୍ଷେପ ଗୁଡିକର ସୁଫଳ ପାଇବାକୁ ସକ୍ଷମ ହେବେ।ଆମ ସରକାର ନୂତନ ଭାବେ ଦାୟିତ୍ୱ ନେଲା ପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲୁ ଯେଉଁଥିରେ ସବୁ ଚୟନ ସଂସ୍ଥାର ମୁଖ୍ୟ, ଉଚ୍ଚ ପଦସ୍ଥ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଚଳିତ, ମାର୍ଚ୍ଚ ମାସ ଶେଷ ସୁଦ୍ଧା, ସମସ୍ତଙ୍କୁ ନିଜ ନିଜ ବିଭାଗରେ ଖାଲିଥିବା ଖାଲି ପଦାକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦିଗରେ କାର୍ଯ୍ୟ ଜାରି ରହିଛି ଏବଂ ପ୍ରଥମ ଦୁଇ ବର୍ଷରେ ଆମେ ୬୫ ହଜାର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତିବଦ୍ଧ। କେବଳ ସରକାରୀ କ୍ଷେତ୍ରରେ ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି।

    ଏହାର ଫଳ ସ୍ୱରୂପ ଗତ ୯ ମାସ ମଧ୍ୟରେ ଆମେ ୭ ଥର ନିଯୁକ୍ତି ମେଳାର ଆୟୋଜନ କରି ବିଭିନ୍ନ ବିଭାଗରେ ୨୪ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ। ଆଜି ଅଷ୍ଟମ ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳାରେ ୫ ଟି ବିଭାଗର ୮୧୨ ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଏହା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୮ ଟି ନିଯୁକ୍ତି ମେଳା ଜରିଆରେ ୨୫ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କଥାକୁ ସମସ୍ତେ ମନେ ରଖିବେ, ଯିଏ ଯେଉଁ ପଦପଦବୀରେ, ଯେତେ ବଡ ପଦବୀରେ ଥାଆନ୍ତୁ ନା କାହିଁକି, ଆପଣ ମାଲିକ ନୁହନ୍ତି, ଆପଣ ହେଉଛନ୍ତି ସେବକ। ଏହି ଦିଗରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କୁହନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନୁହନ୍ତି, ସେ ହେଉଛନ୍ତି, ‘ପ୍ରଧାନ ସେବକ’। ଏଇ ମହତ୍ବପୂର୍ଣ୍ଣ ମନ୍ତ୍ରକୁ ଆପଣ କାର୍ଯ୍ୟକ୍ଷେତ୍ରରେ ସଦା ସର୍ବଦା ମନେ ରଖିବେ, ତା ହେଲେ କେବେ ବି ଜନସେବାରୁ ବିଚ୍ୟୁତ ହେବେ ନାହିଁ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଓ ଆୟୁର୍ବେଦର ପ୍ରସାର ପାଇଁ ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ପ୍ରାକୃତିକ ଚିକିତ୍ସା ଓ ଯୋଗର ପ୍ରସାର ହେବ। ରାଜ୍ୟରେ ଆୟୁଷ ଚିକିତ୍ସା ବ୍ୟବସ୍ଥାର ଉନ୍ନତି ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆମ ସରକାର ଏହି ଦିଗରେ ଯାହାସବୁ ସମ୍ଭବ, ସବୁ କରିବାକୁ ଚେଷ୍ଟା କରିବେ। ଏହା ସହିତ ଆୟୁଷ ଚିକିତ୍ସା ପଦ୍ଧତିର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜାତୀୟ ଆୟୁଷ ମିଶନ ଦ୍ୱାରା ୫୦ ଶଯ୍ୟା ବିଶିଷ୍ଟ ୩ଟି ସମନ୍ବିତ ଆୟୁଷ ଚିକତ୍ସାଳୟ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ଖୁବ୍ ଶୀଘ୍ର ସ୍ଥାପନ କରାଯିବ। ରାଜ୍ୟର ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ଆମର ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଓଡ଼ିଶାରେ ଏକ ଜାତୀୟ ଫାର୍ମସ୍ୟୁଟିକାଲ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଏବଂ ସର୍ବ ଭାରତୀୟ ସ୍ପିଚ୍ ଏବଂ ହିୟରିଂ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିଷ୍ଠାନ ଗୁଡ଼ିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    କୃଷି କ୍ଷେତ୍ରରେ ମୃତ୍ତିକା ସଂରକ୍ଷଣର ଖୁବ୍ ଗୁରୁତ୍ୱ ରହିଛି। ଜମି ଓ ଜଳର ସୁରକ୍ଷା ଏବଂ ପରିଚାଳନା ନିମନ୍ତେ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ଶକ୍ତି ବିଭାଗ, ଜଳ ସମ୍ପଦ ଏବଂ ଇସ୍ପାତ ଓ ଖଣି ବିଭାଗ ଅଧିନରେ ନିଯୁକ୍ତ ପାଇଥିବା ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ବିଭାଗୀୟ କାର୍ଯ୍ୟାଧାରାକୁ ଆହୁରି କ୍ରିୟାଶୀଳ କରିବେ ବୋଲି ଆଶା। ଉଦ୍ୟାନ କୃଷି ମାଧ୍ୟମରେ ଗ୍ରାମ୍ୟ ଅର୍ଥନୀତିର ବିକାଶ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି।ଏହି କାର୍ଯ୍ୟକ୍ରମ ଗୁଡ଼ିକର ସୁଫଳ ଗ୍ରାମାଞ୍ଚଳବାସୀଙ୍କ ପାଇଁ ଉପଲବ୍‍ଧ କରାଇବାରେ ଉଦ୍ୟାନ କୃଷି ଅଧିକାରୀ ମାନଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ସେ କହିଥିଲେ।

    ଏହି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଡକ୍ଟର ମୁକେଶ ମହାଲିଙ୍ଗ, ଇସ୍ପାତ ଓ ଖଣି ମନ୍ତ୍ରୀ, ବିଭୁତି ଭୂଷଣ ଜେନା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ରହି ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧୈର୍ଯ୍ୟ, ସହିଷ୍ଣୁତା, ଦକ୍ଷତାର ସହ କାର୍ଯ୍ୟ କରିବା ଏବଂ ନିଜ କଠିନ ପରଶ୍ରମକୁ ଅବ୍ୟାହତ ରଖିବା ପାଇଁ ପ୍ରୋତ୍ସାହିତ କରିଥିଲେ।ନିଯୁକ୍ତିପତ୍ର ପାଇଥିବା ସମସ୍ତ ବିଭାଗର ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ରାଜ୍ୟସରକାରଙ୍କ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ଆଭିମୁଖ୍ୟ ସମ୍ପର୍କ ବିଷୟରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ, ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ, କମିଶନର ତଥା ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଆଶ୍ଵଥି ଏସ୍ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.8 ° C
    40.8 °
    40.8 °
    19 %
    3.5kmh
    49 %
    Wed
    39 °
    Thu
    44 °
    Fri
    42 °
    Sat
    40 °
    Sun
    42 °

    ସମ୍ବନ୍ଧିତ