ଭୁବନେଶ୍ବର  : ଘଣ୍ଟା ପ୍ରତି ୭ କିମି ବେଗରେ ଉପକୂଳକୁ ମାଡ଼ି ଆସୁଛି ଗଭୀର ଅବପାତ। ସମୁଦ୍ର ମଧ୍ୟରେ ୫୦ରୁ ୬୦ କିମି ବେଗରେ ପବନ ହେଉଛି। ତୁହାକୁତୁହା ବର୍ଷା ଢାଳୁଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବି ସୁ ସୁ ନାଦ କରି ପବନ ବହିବା ସହ ବର୍ଷା ଲାଗିରହିଛି। ରାତି ପ୍ରାୟ ୧୦ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୧୫୦ କିମି, ପୁରୀଠାରୁ ୨୧୦ କିମି ଓ ବିଶାଖାପାଟଣାଠାରୁ ୨୨୦  କିମି ଦୂରରେ ଗଭୀର ଅବପାତ ରୂପେ କେନ୍ଦ୍ରୀଭୂତ ରହିଛି। ମନ୍ଥର ଗତିରେ ଆଗକୁ ବଢ଼ୁଥିବା ଏହି ଗଭୀର ଅବପାତ ୨୩ ତାରିଖ ରାତିରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ। ଝଟକା ପବନ ଘଣ୍ଟାପ୍ରତି ୭୫ କିମି ଯାଏ ରହିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ପରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରେ

ଏହାର ପ୍ରଭାବରେ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଉପକୂଳ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟା ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଗଭୀର ଅବପାତ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଥିବାରୁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘାଣ୍ଟିବ। ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବା ସହ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ। ନୂଆପଡ଼ା, ବଲାଙ୍ଗୀର , କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିବ। ୨୪ ତାରିଖରେ ନବରଙ୍ଗପୁରରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଏବଂ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୫ ତାରିଖରେ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କ କରାଯାଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ହେଲା କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର , ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି। ସମ୍ଭାବ୍ୟ ବର୍ଷା ପବନକୁ ନଜରରେ ରଖି ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ସେହିପରି  ଆଉ କେତେକ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ବଲାଙ୍ଗୀର, ନୟାଗଡ଼ ଜିଲ୍ଲାରେ ୨୩ ଓ ୨୪ ତାରିଖ ଛୁଟି ହୋଇଥିବା ବେଳେ ଜଗତସିଂହପୁର ଓ ପୁରୀ ଜିଲ୍ଲାରେ କେବଳ ୨୩ ତାରିଖ ପାଇଁ ଛୁଟି ଘୋଷଣା ହୋଇଛି। ମାଲକାନଗିରି ଜିଲ୍ଲାରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ। ପାରାଦୀପରେ ବିଶ୍ବକର୍ମା ପୂଜା ବାତିଲ ହୋଇଛି ଏବଂ ନିରାଡମ୍ବର ଭାବେ ବୁଧବାର ବିସର୍ଜନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲା ପ୍ରଶାସନ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନ (ଏସ୍‌ଆର୍‌ସି) ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଅଲର୍ଟ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗଭୀର ଅବପାତର ଗତି ଧିମେଇ ଯାଇଛି। ଏହା ବର୍ତ୍ତମାନ ପଶ୍ଚିମାଭିମୁଖୀ ଗତି କରୁଛି। ଆଇଏମ୍‌ଡି ଆକଳନ ଅନୁଯାୟୀ ଏହା ୨୩ ତାରିଖ ରାତିରେ ଉପକୂଳ ଅତିକ୍ରମ କରିବ, ଯାହାକି ବର୍ତ୍ତମାନର ଗତିପଥ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରତି ଅଧିକ ସଙ୍କେତ ଦେଉଛି। ଓଡ଼ିଶା ପାଇଁ ମୁଖ୍ୟ ଚିନ୍ତା ହେଉଛି ପ୍ରବଳ ବର୍ଷା।

ଆସନ୍ତାକାଲି ପାଇଁ ଗଞ୍ଜାମ ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି ହୋଇଥିବାରୁ ପ୍ରଶାସନ ସମସ୍ତ ପ୍ରସ୍ତୁତି ତ୍ବରାନ୍ବିତ କରିଛି। ଜିଲ୍ଲାର ପାହାଡ଼ିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଳ ଓ କଚ୍ଚାଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାବାସୀ ଭୟଭୀତ ନ ହୋଇ ସତର୍କ ରହିବାକୁ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ଆଜି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଭିତ୍ତିଭୂମି ଓ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଚିକିଟି ବ୍ଲକର ଅଲାଡ଼ିପୁର, ରାମେୟାପାଟଣା ଏବଂ ପାତ୍ରପୁର ବ୍ଲକର ଆଙ୍କୁଲି, ତାଡ଼କାସାହିସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ଲୋକଙ୍କୁ ଭେଟିବା ସହ ରାମେୟାପାଟଣାରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ବ୍ଲକର ତଳିଆ ଅଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରୁ ଏବେସୁଦ୍ଧା ୬୧ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ଆବଶ୍ୟକସ୍ଥ‌ଳେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିପର୍ଯ୍ୟୟ ମୁକାବିଲା ପାଇଁ ପାତ୍ରପୁର ଓ ଆସିକାରେ ଓଡ୍ରାଫ୍ ଟିମ୍‌ ମୁତୟନ ହୋଇଛନ୍ତି। ଆସିକାରେ ମୁତୟନ ଦଳ ଭଞ୍ଜନଗର ଓ ସୋରଡ଼ା ଯାଇ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟରେ ସାମିଲ ହେବେ। ଅଗ୍ନିଶମ ବିଭାଗ ବି ପ୍ରସ୍ତୁତ ରହିଛନ୍ତି। ସେହିପରି କଳିଙ୍ଗା ଘାଟିରେ ସମ୍ଭାବ୍ୟ ଭୂସ୍କଳନ ପାଇଁ ଆସନ୍ତାକାଲିଠୁ ଦୁଇଦିନ ପାଇଁ ଯାନବାହନ ଚଳାଚଳ ବନ୍ଦ ହେବ। ଘାଟିକୁ ସିଲ୍‌ କରିବାକୁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। କନ୍ଧମାଳର ପ୍ରୋବେସନାରି ଆଇଏଏସ୍‌ ଅଫିସର ଯଶକିରଣ ସିଂ କଳିଙ୍ଗାଘାଟିରେ ପହଞ୍ଚି ଭୂସ୍ଖଳନ ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅନ୍ୟପକ୍ଷରେ ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିଛି। ରଙ୍ଗେଇଲୁଣ୍ଡାରେ ସର୍ବାଧିକ ୬୪ ମମି ବର୍ଷା ରେକର୍ଡ ହୋଇଥିବା ବେଳେ ଚିକିଟିରେ ୬୧, ଛତ୍ରପୁରରେ ୫୨ ଓ ପାତ୍ରପୁରରେ ୫୦ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ତିନିଦିନ ପାଇଁ ତଥା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସେହିପରି ଆସନ୍ତାକାଲି ଜିଲ୍ଲାର ସମସ୍ତ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛ।