ବାଲେଶ୍ୱର :ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା କମର୍ଦ୍ଦା ବଜାରରେ ପାଗଳା କୁକୁର କାମୁଡ଼ାରେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଜିନିଷ କିଣିବା ପାଇଁ ଆସିଥିବା ବେଳେ ପାଗଳ କୁକୁରଟି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ି ଥିଲା । ଗୁରୁତର ସମସ୍ତଙ୍କୁ ସ୍ଥାନୀୟ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଅନ୍ୟପଟେ ଘଟଣାର ଖବର ପାଇ ପାଗଳ କୁକୁରକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ ।ଅନ୍ୟପଟେ ରାଜ୍ୟରେ ବିଭିନ୍ନ ଛକସ୍ଥାନରେ ତଥା ଗଳିକନ୍ଦିରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଯାଇଛି । କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି । ପ୍ରତ୍ୟେକ ଗଳିରେ ୧୦ରୁ ୧୨ଟି କୁକୁର ରହି ବିଭିନ୍ନ ସାହିବସ୍ତିରେ ଅବାଧ ବିଚରଣ କରୁଛନ୍ତି । ଏମାନଙ୍କ ମଧ୍ୟରେ ରୋଗାକ୍ରାନ୍ତ ଓ ପାଗଳ କୁକୁରେ ମଧ୍ୟ ରହିଥିବାର ପରିଲକ୍ଷିତ ହେଉଛି । ବିଶେଷକରି ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି।
ଏହାବ୍ୟତୀତ କୁକୁରମାନେ ରାସ୍ତାର ଏଣେତେଣେ ମଳତ୍ୟାଗ କରି ପରିବେଶକୁ ପ୍ରଦୂଷିତ କରୁଛନ୍ତି । ବନ୍ଧ୍ୟାକରଣ ଯୋଜନା ଦିଶାହରା ହୋଇପଡ଼ି ଥିବାରୁ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।