Sunday, October 4, 2026
24.6 C
Odisha

    ପୁରୀରେ ଫସିଲା ଭଦ୍ରବେଶୀ ଲୁଟେରା: ହୋଟେଲ୍‌ ବିବାହ ଉତ୍ସବରୁ ବ୍ୟାଗ୍‌ ଲୁଟି ଧରାପଡ଼ିଲା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ବିବାହ ଉତ୍ସବରୁ ବରକନ୍ୟାଙ୍କ ଅଳଙ୍କାର ଓ ଟଙ୍କା ଲୁଟ୍‌‌ରେ ସମ୍ପୃକ୍ତ ଅଭିଯୁକ୍ତ ପୁରୀରେ ସମାନ ଢଙ୍ଗରେ ଲୁଟ୍‌ ଉଦ୍ୟମ ବେଳେ ଧରାପଡ଼ିଛି। ଲୁଟେରା ଜଣକ ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା କଡ଼ିଆ ଅଞ୍ଚଳର ରିତେଶ ସୋସୋଦିଆ(୨୦)। ଅଭିଯୁକ୍ତକୁ ପଚରାଉଚରା କରିବା ପାଇଁ ଭୁବନେଶ୍ବର ମୈତ୍ରୀବିହାର ଥାନା ପୁଲିସକୁ ସୂଚନା ଦିଆଯାଇଥିବା ପୁରୀ ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁ କହିଛନ୍ତି। ଅପରପକ୍ଷେ  ଭୁବନେଶ୍ବର ଲୁଟ୍‌ ଘଟଣାରେ ଦୁଇଜଣଙ୍କର ସମ୍ପୃକ୍ତି ଥିବା ବେଳେ ପୁରୀରେ ଜଣେ ଧରାପଡ଼ିଛି ଓ ତାର ଅନ୍ୟତମ ସହଯୋଗୀ ଫେରାର ହୋଇଯାଇଛି।

    ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ଗତକାଲି ରାତିରେ ବିବାହ ଉତ୍ସବ ଚାଲୁଥିବାବେଳେ ଅତିଥି ବେଶରେ ଏହି ଲୁଟେରା ପ୍ରବେଶ କରିଥିଲା। ହୋଟେଲ ଷ୍ଟେଜ୍‌ରେ ଅତିଥିମାନେ ନାଚଗୀତରେ ମସଗୁଲ ଥିବା ବେଳେ ସେମାନଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟେରା ଜଣକ କୌଶଳକ୍ରମେ ସେଠାରେ ଥିବା ଏକ ଟ୍ରଲି ବ୍ୟାଗ୍‌ ଧରି ଚମ୍ପଟ ମାରିଥିଲା। ତେବେ ହୋଟେଲ ବାହାରେ ଥିବା ସିକ୍ୟୁରିଟି ଗାର୍ଡ ତାକୁ ଧରି ପଚରାଉଚରା କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ହୋଟେଲ କର୍ତ୍ତୃପକ୍ଷ ତାକୁ ବଳିଆପଣ୍ଡା ଥାନା ଜିମା ଦେଇଥିଲେ। ହୋଟେଲର ଲୋକସମ୍ପର୍କ ପରିଚାଳକ ରଥିନ କୁମାର ଦେଙ୍କ ଅଭିଯୋଗ ଆଧାରରେ ପୁଲିସ ୨୫/୨୫ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରିତେଶକୁ ଆଜି କୋର୍ଟଚାଲାଣ କରିଛି। ତା ନିକଟରୁ ଟ୍ରଲି ବ୍ୟାଗ୍‌କୁ ମଧ୍ୟ ପୁଲିସ ଜବତ କରିଥିବା ବଳିଆପଣ୍ଡା ଥାନା ଆଇଆଇସି ସଙ୍ଗୀତା ଦାଶ କହିଛନ୍ତି। ଅନ୍ୟପଟେ ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳର ଏକ ତାରକା ହୋଟେଲରେ ବିବାହ ଉତ୍ସବରୁ ଲୁଟ୍‌ ଘଟଣାରେ ରିତେଶ ସମ୍ପୃକ୍ତ ଥିବା ସିଟି ଡିଏସ୍‌ପି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

    ସୂଚନାଯୋଗ୍ୟ, ରାଜଧାନୀର ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ତାରକା ହୋଟେଲ୍‌ରେ ରବିବାର ଏକ କର୍ପୋରେଟ୍‌ ସଂସ୍ଥାର ଅବସରପ୍ରାପ୍ତ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ଝିଅ ଡାକ୍ତର ସଂଜନିକା ମିଶ୍ରଙ୍କ ସହ ଝାଡ଼ଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡ଼ଙ୍ଗୀଙ୍କ ବିବାହ ହେଉଥିଲା। ଏଥିରେ ଅତିଥି ବେଶରେ ପଶି ଦୁଇଜଣ ଲୁଟେରା ବିବାହମଣ୍ଡପରୁ ୨ ଲକ୍ଷ ଟଙ୍କା ଓ କନ୍ୟାର ୧୦ ଲକ୍ଷ ଟଙ୍କାର ହୀରା, ସୁନାଗହଣା ଲୁଟି ପାର୍‌ ହୋଇଯାଇଥିଲେ। ମାତ୍ର ୧୫ ମିନିଟ୍‌ ଭିତରେ ଲୁଟେରାଦ୍ବୟ ଘଟଣାସ୍ଥଳରୁ ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ ଉଠାଇ କାର୍‌ ଯୋଗେ ଛୁ’ ମାରିଥିବା ସିସିଟିଭିରେ ରହିଛି। ତେବେ ସେମାନେ ଭୁବନେଶ୍ବରରୁ ଖସିଯାଇ ପୁରୀରେ ଅନୁରୂପ ଭାବେ ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିବା ପୁଲିସ ସନ୍ଦେହ କରୁଛି। ଦୁଇଜଣଙ୍କ ମଧ୍ୟରୁ ଜଣେ ଧରାପଡ଼ିଥିବା ବେଳେ ଆଉଜଣେ ଫେରାର ହୋଇଯାଇଛି। ଏ ନେଇ ଭୁବନେଶ୍ବର ଡିସିପି ପୀନାକ ମିଶ୍ର କହିଛନ୍ତି, ସହରାଞ୍ଚଳରେ ହେଉଥିବା ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ପରିବାର ଲୋକେ ବ୍ୟସ୍ତ ଥିବାବେଳେ ଲୁଟେରା ଭଦ୍ର ବେଶରେ ସାମିଲ ହୋଇ ଲୁଟ୍‌ପାଟ୍‌ କରୁଛନ୍ତି। ତେଣୁ ସମସ୍ତେ ସତର୍କ ରହିବା ସହ ମୂଲ୍ୟବାନ ସୁନାରୁପା ଅଳଙ୍କାର ଓ ଟଙ୍କାପଇସାକୁ ନିଜ ହେପାଜତରେ ରଖନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ