Monday, August 17, 2026
24.8 C
Odisha

    ପ୍ରଦର୍ଶନୀରେ ଟୁଲକିଟ ଓ ଯନ୍ତ୍ରାଂଶ ବିତରଣ କଲା କେଭିଆଇସି

    ଆଗକୁ ପଢନ୍ତୁ

    ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ କମିସନ (କେଭିଆଇସି)ଙ୍କ ପକ୍ଷରୁ ଗ୍ରାମୋଦ୍ୟୋଗ ବିକାଶ ଯୋଜନା (ଜିଭିବାଇ) ଯୋଜନା ଅନ୍ତର୍ଗତ କଟକସ୍ଥିତ ଜବାହରଲାଲ ଇନଡୋର ଷ୍ଟାଡିୟମରେ ହିତାଧିକାରୀମାନଙ୍କୁ ଯନ୍ତ୍ରାଂଶ ଓ ଟୁଲକିଟ ବଂଟନ କରାଯାଇଛି। ଏହାସହ ବୁଧବାର ଦିନ ସ୍ଥାନୀୟ ଖ୍ରୀଷ୍ଟିୟାନ ପଡ଼ିଆରେ ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପି ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର, ସ୍ଥାନୀୟ ସାଂସଦ ଭର୍ତୃହରି ମହତାବ, କେଭିଆଇସି ପୂର୍ବାଚଂଳ ସଦସ୍ୟ ମନୋଜ କୁମାର ସିଂ, ଜିଲ୍ଲପାଳ ଦତାତ୍ରେୟ ଭାଉ ସାହେବ ସିନ୍ଦେ, ଭୁବନେଶ୍ୱର ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଚିବ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

    ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀରେ ପ୍ରାୟ ପଚାଶଟି ଖଦି ଷ୍ଟଲ, ପଚାଶଟି ପିଏମଇଜିପି ଷ୍ଟଲ ପଡ଼ିଛି। ଏଥିରେ ଖଦି ଅନୁଷ୍ଠାନର ବିଭିନ୍ନ ଉତ୍ପାଦ, ଗ୍ରାମ୍ୟ ଶିଳ୍ପ ୟୁନିଟ, ପିଏମଇଜିପି, ଆରଇଜିପି, ଏସଏଫୟୁଆରଟି ଯୋଜନାର ବିଭିନ୍ନ ୟୁନିଟ ପଡିଛି। ହସ୍ତ ତନ୍ତ, ଖଦି ବୁଣା, ମାଟି ପାତ୍ର ତିଆରି, ହାତ ତିଆରି କାଗଜ ଶିଳ୍ପ ପରି ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି। ସାଧାରଣ ଜନତା ପାଇଁ ଏହି ପ୍ରଦର୍ଶନୀ ଆସନ୍ତା ୬ ଫେବ୍ରୁଆରି ପର୍ଯ୍ୟନ୍ତ ଚାଲୁ ରହିବ। ଏହି ପ୍ରଦର୍ଶନୀରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ପ୍ରଦର୍ଶନ ସହ ସ୍ଥାନୀୟ କାରିଗରମାନଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତ ଓ ଭୋକାଲ ଫର ଲୋକାଲ ମିଶନକୁ ଚରିତାର୍ଥ କରିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିବା କୁହାଯାଇଛି।

    ଜବାହର ଲାଲ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ୧୩୬ଟି ଇଲେକ୍ଟ୍ରିକ ମାଟିର ଚକା, ୫୦ଟି ମହୁ ବାକ୍ସ, ୪୦ଟି ତାଳ ଗୁଡ ପ୍ରସ୍ତୁତ ମେସିନ, ୮ଟି କାଗଜ ଥାଳି ପ୍ରସ୍ତୁତ ମେସିନ, ଗୋଟିଏ ମସଲା ପ୍ରସ୍ତୁତ ୟୁନିଟ, ଗୋଟିଏ ହାଇଡ୍ରା ମେସିନ, ଗୋଟିଏ ସବାଇ ଘାସ ମେସିନ ବିତରଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶାର ପ୍ରତି କାରିଗରଙ୍କୁ ଆତ୍ମ ନିର୍ଭର କରିବା ପାଇଁ କେଭିଆଇସି ଲକ୍ଷ୍ୟ ରଖିଥିବା କୁହାଯାଇଛି। ନିଜ କାମକୁ ସରଳ ଓ ସହଜ କରିବା ସହ ଆତ୍ମ ନିର୍ଭର ଭାରତ ସୃଷ୍ଟି କରିବାକୁ ଏହି ଯନ୍ତ୍ରପାତି ବିଶେଷ ସହାୟକ ହେବ ବୋଲି କୁହାଯାଇଛି। ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସାଂସଦ ଭର୍ତୃହରି ମହତାବ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କର ଆଦର୍ଶକୁ ଏହି ଖଦି ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖଦି ଓ ଗ୍ରାମୋଦ୍ୟୋଗକୁ ଅଭୂତପୂର୍ବ ସଫଳତା ମିଳିଛି। ଆତ୍ମ ନିର୍ଭର ଭାରତ ଅଭିଯାନରେ ପାଦେ ଆଗକୁ ଯାଇ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଏହି ପ୍ରଦର୍ଶନୀ ଯଥେଷ୍ଟ ଖୋରାକ ଯୋଗାଇବ ବୋଲି ସାଂସଦ କହିଛନ୍ତି।

    କେଭିଆଇସି ପୂର୍ବାଂଚଳ ଜୋନ ସଦସ୍ୟ ମନୋଜ କୁମାର ସିଂ କହିଛନ୍ତି ଯେ, ଓଡିଶାରେ ପ୍ରାୟ ୮୮ଟି କ୍ରିୟାଶୀଳ ଖଦି ଅନୁଷ୍ଠାନ ରହିଛି। ଗତ ପାଂଚ ବର୍ଷ ଭିତରେ ୮୬.୫୮ କୋଟି ଟଙ୍କାର ଉତ୍ପାଦ ପ୍ରସ୍ତୁତ କରାଯାଇ ୯୪.୪୦ କୋଟି ଟଙ୍କାର ବ୍ୟବସାୟ କରାଯାଇଥିବା ସୂଚନା ଦିଆଯାଇଛି। ଫଳରେ ପ୍ରାୟ ୨,୨୭୭ ବୁଣାକାର ନିଯୁକ୍ତି ସୁଯୋଗ ହାତେଇଛନ୍ତି। ଏହାଛଡା ପିଏମଇଜିପି ଅଧୀନରେ ଗତ ପାଂଚ ବର୍ଷ ଭିତରେ ୧୭,୦୫୦ ନୂଆ ଶିଳ୍ପ ପ୍ରତିଷ୍ଠା କରାଯାଇ ୧,୪୩,୧୦୯ଟି ଚାକିରି ସୁଯୋଗ ସୃଷ୍ଟି କରାଯାଇ ପାରିଛି। ଏମଡିଟିସି, କେଭିଆଇସି ଭୁବନେଶ୍ୱର ମାଧ୍ୟମରେ ୨,୪୪୪ କାରିଗରଙ୍କୁ ଅଧିକ କୁଶଳୀ କରାଯାଇ ପାରିଛି। ଖଦି ବିକାଶ ଯୋଜନା ଓ ଏସଏଫୟୁଆରଟିଆଇ ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    92 %
    3.6kmh
    100 %
    Mon
    25 °
    Tue
    25 °
    Wed
    28 °
    Thu
    27 °
    Fri
    28 °

    ସମ୍ବନ୍ଧିତ