Monday, May 18, 2026
30.7 C
Odisha

    ପ୍ରବାସୀ ଭାରତୀୟ ଦିବସ: ୪୫ଟି ଦେଶରୁ ୧୪୯୩ଜଣ ପ୍ରବାସୀ ପଞ୍ଜୀକରଣ ‌କଲେଣି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୮ତାରିଖରୁ ରାଜଧାନୀରେ ଆରମ୍ଭ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ୪୫ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଯୋଗଦେବେ। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପ୍ରବାସୀଙ୍କୁ ରାଜକୀୟ ଆତିଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରାୟ ୭ହଜାର ପ୍ରବାସୀ ଯୋଗଦେଇପାରନ୍ତି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୯୯୪ ଜଣ ଏଥିରେ ଯୋଗଦେବାକୁ ନାମ ପଞ୍ଜୀକରଣ କରିବା ସହ ହୋଟେଲ୍ ବୁକିଂ କରିସାରିଲେଣି। ଏଥିରୁ ୪୫ଟି ଦେଶର ୧୪୯୩ଜଣ ଥିବାବେଳେ ଭାରତର ବିଭିନ୍ନ ରାଜ୍ୟରୁ ୫୦୧ଜଣ ପଞ୍ଜୀକରଣ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ଜାଣିବାକୁ ମିଳିଛି।

    ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ପ୍ରବାସୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିବେ ସେମାନଙ୍କୁ ଯେପରି ସୁବିଧାରେ ହୋଟେଲ ରୁମ୍ ମିଳିବ ସେଥିପାଇଁ ପୁରୀ, ଭୁବନେଶ୍ବର ଓ କଟକରେ ବିଭିନ୍ନ ହୋଟେଲରେ ରୁମ୍ ରଖାଯାଇଛି। ପ୍ରବାସୀମାନେ ତାଙ୍କ ପଞ୍ଜୀକୃତ ନମ୍ବର ଦେଇ ହୋଟେଲ ରୁମ୍ ବୁକିଂ କରିପାରୁଛନ୍ତି। ସବୁ ବର୍ଗର ପ୍ରବାସୀ ଆସୁଥିଲେ ହେଁ ମୁଖ୍ୟତଃ ବୟସ୍କ ବର୍ଗ ବା ୫୦ବର୍ଷରୁ ଅଧିକ ବୟସର ପ୍ରବାସୀ ଓଡ଼ିଶା ଆସିବାକୁ ପସନ୍ଦ କରିଛନ୍ତି। ଆସିବା ନେଇ ହୋଟେଲ୍ ରୁମ୍ ବୁକ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦୮୫ଜଣଙ୍କର ବୟସ ୫୦ରୁ ଅଧିକ। ୨୦ବର୍ଷରୁ କମ୍‌ ୩୦ଜଣ, ୨୦ରୁ ୩୫ବର୍ଷର ୧୮୪ଜଣ, ୩୫ରୁ ୫୦ବର୍ଷ ମଧ୍ୟରେ ୬୯୫ଜଣ ଅଛନ୍ତି।

    ମରିସସ୍‌ ଓ ଓମାନ୍‌ରୁ ଆସୁଛନ୍ତି ଅଧିକ ପ୍ରବାସୀ
    ବୟସ୍କ ପ୍ରବାସୀଙ୍କ ମଧ୍ୟରେ ଅାଗ୍ରହ ଅଧିକ
    ବର୍ତ୍ତମାନ ସୁଦ୍ଧା ୧୯୯୪ଜଣ ହୋଟେଲ୍‌ ବୁକ୍ କଲେଣି

    ବର୍ତ୍ତମାନ ସୁଦ୍ଧା ଯେଉଁ ୧୯୯୪ଜଣ ଆସିବା ନିଶ୍ଚିତ କରିଛନ୍ତି ସେଥିରୁ ୭୧୭ଜଣ ୧୬୨ଟି ଗ୍ରୁପ୍‌ରେ ଆସୁଛନ୍ତି। ବାକି ୧୨୭୭ଜଣ ଏକାକୀ ଆସୁଛନ୍ତି। ୪୫ଟି ଦେଶରୁ ପ୍ରବାସୀ ଆସୁଥିଲେ ହେଁ ସବୁଠୁ ଅଧିକ ମରିସସ୍‌ରୁ ୩୦୮ଜଣ ଏବଂ ଓମାନ୍‌ରୁ ୩୦୪ଜଣ ଆସୁଛନ୍ତି। ସେହିପରି ୟୁଏଇରୁ ୧୫୩ଜଣ, ମାଲେସିଆରୁ ୯୩, ୟୁନାଇଟେଡ୍‌ ଷ୍ଟେଟ୍‌ସରୁ ୮୮, ୟୁକେରୁ ୭୦, କୁଏତ୍‌ରୁ ୩୭, ମିଆଁମାରରୁ ୩୩, କାନାଡ଼ାରୁ ୩୦, ଅ‌ଷ୍ଟ୍ରେଲିଆରୁ ୧୯, ଫ୍ରାନ୍ସରୁ ୧୯, ନାଇଜେରିଆରୁ ୧୭, ବାହାରିନ୍‌ରୁ ୧୭, ସାଉଦି ଆରବିଆରୁ ୧୫, ସିଙ୍ଗାପୁରରୁ ୧୫, ଶ୍ରୀଲଙ୍କାରୁ ୧୦ ଜଣ ଆସିବାକୁ ହୋଟେଲ ବୁକିଂ କରିସାରିଥିବାବେଳେ ବାକି ୩୧ଟି ଦେଶରୁ ଏକ ଅଙ୍କ ବିଶିଷ୍ଟ ପ୍ରବାସୀ ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ଋଷ୍‌, ଡେନମାର୍କ. ଫିନଲାଣ୍ଡ, ତାଇୱାନ, ନ୍ୟୁଜିଲାଣ୍ଡ, ଉଜବେକିସ୍ତାନ, ଇଥୋପିଆ ଭଳି ଦେଶରୁ ବି ପ୍ରବାସୀ ଓଡ଼ିଶା ଆସିବାକୁ ମନ ବଳାଇଛନ୍ତି।

    କେବଳ ପ୍ରବାସୀ ନୁହେଁ, ଦେଶର ବିଭିନ୍ନ ରାଜ୍ୟର ଲୋକ ବି ଏଥିରେ ଭାଗ ନେବାକୁ ଆଗ୍ରହ ଦେଖାଇଛନ୍ତି। ୨୧ଟି ରାଜ୍ୟରୁ ପ୍ରତିନିଧି ଏହି କାର୍ଯ୍ୟକ୍ରମରୁ ଯୋଗଦେବା ନେଇ ନିଶ୍ଚିତ କରିଛନ୍ତି। ସବୁଠୁ ଅଧିକ କେରଳରୁ ୬୭, କର୍ଣ୍ଣାଟକରୁ ୫୫, ମହାରାଷ୍ଟ୍ରରୁ ୪୯, ଉତ୍ତରପ୍ରଦେଶରୁ ୪୭, ଗୁଜୁରାଟରୁ ୨୩, ଦିଲ୍ଲୀରୁ ୨୨, ହରିୟାଣାରୁ ୨୨, ତେଲେଙ୍ଗାନାରୁ ୨୦, ତାମିଲନାଡ଼ୁରୁ ୧୮, ରାଜସ୍ତାନରୁ ୧୬, ପଶ୍ଚିମବଙ୍ଗରୁ ୧୧ ଜଣ ଆସିବାକୁ ନାମ ପଞ୍ଜୀକରଣ କରିବା ସହ ହୋଟେଲ ବୁକିଂ କରିଛନ୍ତି। ବାକି ରାଜ୍ୟରୁ ଏକ ଅଙ୍କ ବିଶିଷ୍ଟ ପ୍ରତିନିଧି ଆସିବାକୁ ଏବେ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮୧ଜଣ ଏଥିରେ ଯୋଗଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ପ୍ରବାସୀମାନେ ଯେପରି ତାଙ୍କର ରହଣି ମଧ୍ୟରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ ବିଷୟରେ ଅଧିକ ଜାଣିପାରିବେ, ବୁଲି ଦେଖିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ଭିତରେ ବିଭିନ୍ନ ସ୍ଥାନ ବୁଲିବା ପାଇଁ ମୁଣ୍ଡ ପିଛା ଦିନକୁ ୨ହଜାର ଟଙ୍କା, କଟକର ଏବଂ ପୁରୀର ବିଭିନ୍ନ ସ୍ଥାନ ବୁଲିବା ପାଇଁ ମୁଣ୍ଡ ପିଛା ଅଢ଼େଇ ହଜାର ଟଙ୍କାର ପ୍ୟାକେଜ୍ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    45 %
    2.2kmh
    100 %
    Mon
    41 °
    Tue
    44 °
    Wed
    46 °
    Thu
    46 °
    Fri
    44 °

    ସମ୍ବନ୍ଧିତ