ବ୍ରହ୍ମପୁର: ଘରକୁ ନୂଆବୋହୁ ଆସିଥାନ୍ତା, କିନ୍ତୁ ଘରୁ ଉଠୁଛି ସାନ ପୁଅର କୋକେଇ । ସମସ୍ତଙ୍କ ଆଖିରେ ଲୁହ । କାହା ନଜର ଲାଗିଲା କେଜାଣି ଘରେ ଏମିତି ଦୁଃଖର ବାଦଲ ଛିଡ଼ି ପଡ଼ିଲା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ାରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏମିତି କଣ ହେବାର ଥିଲା ? ଭଗବାନ କଣ ଏମିତି ନିଷ୍ଠୁର ହୋଇପାରନ୍ତି? ଏମିତି ଅନେକ କଥା ଏବେ ଶୁଣିବାକୁ ମିଳୁଛି ଜରଡ଼ା ଗାଁ ଓ ଆଖପାଖ ଅଞ୍ଚଳରେ । ଘଟଣା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ ।
ଆସନ୍ତା କାଲି ଅର୍ଥାତ ଫେବ୍ରୁଆରୀ ୧୦ ତାରିଖରେ ଜରଡ଼ା ନିବାସୀ ଦଣ୍ଡାସି ପଣ୍ଡାଙ୍କ ବଡ଼ ପୁଅ ସଞ୍ଜୟଙ୍କ ବାହାଘର ଥିଲା । ଗୁଆ ଦିଆ ଓ ନିମନ୍ତ୍ରଣ ପତ୍ର ବଣ୍ଟା ଚାଲିଥିଲା l ଘରେ ସାଜସଜ୍ଜା ଚାଲିଥିଲା । କିନ୍ତୁ ଗତ ୬ ତାରିଖରେ ଘଟିଲା ବଡ଼ ଅଘଟଣ । ସଞ୍ଜୟ ଓ ସାନ ଭାଇ ସୁବ୍ରତ ପଣ୍ଡା ବାଇକ ଯୋଗେ ଜରଡ଼ାରୁ ଚିକିଟି- ଟାମଣା ରାସ୍ତାରେ ବାଇକରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ସୁବ୍ରତ ବାଇକ ଚଳାଉ ଥାଆନ୍ତି ଓ ବଡ଼ ଭାଇ ସଞ୍ଜୟ ପଛରେ ବସିଥାନ୍ତି । ହଠାତ ସୁବ୍ରତର ଆଖି ଲାଗିଯିବାରୁ ଗୋଟିଏ ଗଛ ସହିତ ପିଟି ହୋଇଯାଇଥିଲେ ଦୁଇ ଭାଇ । ବାଇକ୍ ସହ ରାସ୍ତା ଉପରେ ଛିଟିକି ହୋଇପଡ଼ିଲେ ସଞ୍ଜୟ ଓ ସୁବ୍ରତ । ଆହତ ଅବସ୍ଥାରେ ଦୁଇ ଭାଇ ଛଟପଟ୍ ହେଉଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିକୁ ପଠାଇଥିଲେ । କିନ୍ତୁ ସାନ ଭାଇକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଖୁସିର ମୋଡ଼ ବଦଳିଗଲା ଦୁଃଖରେ । ଦୁଃଖର ସାଗରରେ ଭାସିଗଲା ପୁରା ପରିବାର ଓ ଜରଡ଼ା ଗାଁରେ l ବ୍ୟବଚ୍ଛେଦ ପରେ ଶନିବାର ଦିନ ସୁବ୍ରତର ମରଶରୀର ଗାଁକୁ ଆସିଥିଲା । ସୁବ୍ରତର ମରଶରୀର ଆସିବା ପରେ ତାଙ୍କ ଘର ସମ୍ମୁଖରେ ଲୋକାରଣ୍ୟ ହୋଇଯାଇଥିଲା । କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ ।
ଘଟଣାକୁ ନେଇ ଗୋଳନ୍ଥରା ଥାନା ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ବଡ଼ ଭାଇ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ମଧ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ କ୍ଷଣିକରେ ସବୁକିଛି ଓଲଟପାଲଟ ହୋଇଗଲା ।
ସୁବ୍ରତର ଚେହେରା ଯେପରି ସୁନ୍ଦର ଥିଲା କାମ ବି ଥିଲା ସେପରି ସୁନ୍ଦର । ତେଣୁ ସମସ୍ତଙ୍କ ଆଖିରେ ଲୁହ । ସୁବ୍ରତଙ୍କୁ ହରାଇ କେବଳ ଯେ ଘର ଲୋକ କାନ୍ଦୁଛନ୍ତି ତା ନୁହେଁ ପୁରା ଗାଁରେ ଶୋକର କଳାବାଦଲ ଖେଳିଯାଇଛି ।

