ଭୁବନେଶ୍ୱର : ଅଗଷ୍ଟ ୯ରେ ବର୍କଲିରେ ସ୍ନାନଯାତ୍ରା ଆୟୋଜିତ । ଆମେରିକାର ବର୍କଲିରେ ‘ଅଦିନିଆ’ ସ୍ନାନଯାତ୍ରାକୁ ନେଇ ବିବାଦ। ଇସ୍କନ୍ ବିରୋଧରେ ଜଗନ୍ନାଥପ୍ରେମୀଙ୍କ ଅସନ୍ତୋଷ, କେନ୍ଦ୍ର ଓ ରାଜ୍ୟର ହସ୍ତକ୍ଷେପ ଦାବି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାରମ୍ବାର ଅନୁରୋଧ ଏବଂ ଜଗନ୍ନାଥପ୍ରେମୀଙ୍କ ପ୍ରତିବାଦ ସତ୍ତ୍ୱେ ଆମେରିକାର ବର୍କଲିରେ ଇସ୍କନ୍ ପକ୍ଷରୁ ଅଗଷ୍ଟ ୯ରେ ସ୍ନାନଯାତ୍ରା ପାଳନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୀରେ ଚଳିତବର୍ଷର ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରିବିଜେ ଶେଷ ହୋଇସାରିଥିବା ବେଳେ ବର୍କଲିରେ ପୁଣି ସ୍ନାନଯାତ୍ରା ଆୟୋଜନକୁ ପରମ୍ପରାର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି ।
ଏହା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ପ୍ରତିବାଦକାରୀମାନେ କହିଛନ୍ତି । ଏହି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ କରିବା ଦାବିରେ ଆମେରିକାରେ ରହୁଥିବା ୧୦୦ରୁ ଅଧିକ ଓଡ଼ିଆଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ଗତ ଜୁଲାଇ ୨୦ରେ ଇସ୍କନ୍ ବାର୍କେଲେ ମନ୍ଦିରକୁ ପଠାଯାଇଥିଲା । ଜଗନ୍ନାଥ କଲଚରାଲ ଆଣ୍ଡ ଏଜୁକେସନାଲ ସେଣ୍ଟର, ସାନ୍ ହୋଜେ, କାଲିଫର୍ଣ୍ଣିଆର ସଭାପତି ଡ. ସୂର୍ଯ୍ୟ ପଟ୍ଟନାୟକଙ୍କ ପକ୍ଷରୁ ଇସ୍କନ୍ ବାର୍କେଲେ ମନ୍ଦିରର ସଭାପତି ଜଗନ୍ନାଥ ସ୍ୱାମୀ ଦାସଙ୍କୁ ଇ-ମେଲ୍ ଯୋଗେ ଏହା ପଠାଯାଇଥିଲା । ଏହାସତ୍ତ୍ୱେ ଅଗଷ୍ଟ ୯ରେ ବର୍କଲିରେ ସ୍ନାନଯାତ୍ରା ଆୟୋଜିତ ହୋଇଥିବାରୁ କାଲିଫର୍ଣ୍ଣିଆରେ ବସବାସ କରୁଥିବା ବହୁ ଓଡ଼ିଆ ଏହାକୁ ବୟକଟ୍ କରିବା ସହ ପ୍ରତିବାଦ ଜଣାଇଥିବା କୁହାଯାଇଛି। ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାର ସ୍ଥାୟୀ ସମାଧାନ ପାଇଁ ପୂର୍ବରୁ ଦିଲ୍ଲୀରେ ଓଡ଼ିଆ ଫୋରମ୍ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟି ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଥିଲା । ଏବେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସ୍ତରରେ ହସ୍ତକ୍ଷେପ କରାଯାଇ ଇସ୍କନର ମାୟାପୁର କେନ୍ଦ୍ର ସହ ଆଲୋଚନା ମାଧ୍ୟମରେ ସ୍ଥାୟୀ ସମାଧାନ କରାଯାଉ ବୋଲି ଜଗନ୍ନାଥପ୍ରେମୀମାନେ ଦାବି କରିଛନ୍ତି ।
ଅନ୍ୟପଟେ, ବେଙ୍ଗାଲୁରୁ ଇସ୍କନ୍ ପକ୍ଷରୁ ପୂର୍ବରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଗଜପତି ମହାରାଜାଙ୍କ ପରାମର୍ଶ ଏବଂ ପୁରୀର ନିର୍ଦ୍ଧାରିତ ପାଞ୍ଜି ଓ ତିଥି ଅନୁସାରେ ହିଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ପାଳନ କରାଯାଉଥିବା ଏବଂ ଆଗକୁ ମଧ୍ୟ ସେହିପରି ପାଳନ କରାଯିବ ବୋଲି କୁହାଯାଇଥିବା ଦାବି କରାଯାଇଛି । ଜଗନ୍ନାଥପ୍ରେମୀମାନେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ସ୍ଥାୟୀ ଭାବେ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
