Monday, August 24, 2026
24.5 C
Odisha

    ବର୍ଷା-ଖରା ଲୁଚକାଳିରେ ଚାଷୀ ହନ୍ତସନ୍ତ, ପ୍ରଭାବିତ ହେଲା ୨୦୦ ଏକର ଚାଷ ଜମି

    ଆଗକୁ ପଢନ୍ତୁ

    କେତେବେଳେ ବର୍ଷା, ତ କେତେବେଳେ ଖରା । ପାଣିପାଗର ଏଭଳି ଲୁଚକାଳି ଖେଳ ଭିତରେ ବିଳମ୍ବିତ ହୋଇଯାଇଛି ଚାଷ କାମ । ପାଣି ଅଭାବରୁ ଗଜପତି ଜିଲ୍ଲା ମୋହନା ବ୍ଲକ ଜୀରାଙ୍ଗ ପଞ୍ଚାୟତ କମଳାପୁର ଗାଁର ପ୍ରାୟ ୨୦୦ ଏକର ଚାଷ ଜମି ପ୍ରଭାବିତ ହୋଇଛି । ଉଠାଜଳ ସେଚନ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ଚାଷୀମାନେ ଜଳସେଚନ ପାଇଁ ନାକେଦମ ହେଉଛନ୍ତି । ଯେଉଁ ସମୟରେ କ୍ଷେତରେ ଧାନ ଗଛ ଲହଡ଼ି ଖେଳିବା କଥା, ସେହି ସମୟରେ ଶୁଖିଲା ପଡ଼ିଛି ଚାଷ ଜମି । ତଳି ପକାଇଥିବା ଧାନ ପାଣି ଅଭାବରୁ ଶୁଖିବାକୁ ବସିଲାଣି । ବର୍ଷା ନହେବାରୁ ଚାଷୀମାନେ ନାଳ ଓ ପୋଖରୀରୁ ମୋଟର ସାହାଯ୍ୟରେ ପାଇପ୍‌ ଯୋଗେ ପାଣି ଉଠାଇ ଚାଷ ଜମିରେ ମଡ଼ାଉଛନ୍ତି । କମଳାପୁର ଗାଁର ୬୦ରୁ ଅଧିକ ପରିବାରଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ । ଚାଷୀଙ୍କ କହିବା ଅନୁସାରେ, ଗାଁରେ ଜଳସେଚନ ସୁବିଧା ପାଇଁ ଉଠାଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା । ତେବେ ନଦୀ କୂଳରେ ନିର୍ମାଣ ହୋଇଥିବା ପମ୍ପ ହାଉସ୍‌ ବନ୍ୟା ପାଣିରେ ଭାସିଯିବା ପରେ ଏଯାଏଁ ତାହାର ମରାମତି କିମ୍ବା ପୁନଃନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି ।

    ଫଳରେ ପ୍ରତିବର୍ଷ ବର୍ଷାର ଅନିୟମିତତା ସମୟରେ ଚାଷୀମାନେ ଜଳସେଚନ ସମସ୍ୟାରେ ପଡ଼ୁଛନ୍ତି । ଏବେ ବିଲ ଶୁଖି ଫାଟି ଆଁ କରୁଥିବା ବେଳେ ଚାଷୀଙ୍କ ଚିନ୍ତା ବଢ଼ିଛି । ଗତକାଲିଠାରୁ ଗଜପତିରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ବିଳମ୍ବିତ ଚାଷ କାମକୁ ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ରହିଛି । ଲଗାଣ ବର୍ଷା ଓ ବର୍ଷା ଅଭାବ ମଧ୍ୟରେ ଚାଷୀ ପେଶି ହେଉଥିବାରୁ ତୁରନ୍ତ ଉଠାଜଳ ସେଚନ ପ୍ରକଳ୍ପର ମରାମତି କିମ୍ବା ପୁନଃନିର୍ମାଣ କରି ଚାଷ ଜମିକୁ ନିୟମିତ ଜଳସେଚନ ସୁବିଧା ଯୋଗାଇବାକୁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    96 %
    1.8kmh
    98 %
    Mon
    25 °
    Tue
    29 °
    Wed
    29 °
    Thu
    25 °
    Fri
    28 °

    ସମ୍ବନ୍ଧିତ