Saturday, October 10, 2026
30.1 C
Odisha

    ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳିଗଲା

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ଏବେ ଏହି ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। କେବଳ ଯେ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ, ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି। ତେବେ ଏହା କ୍ରାଇମ୍‌ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

    ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ପ୍ରକୋଷ୍ଠ ଉଦ୍‌ଘାଟନ ପାଇଁ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପହଞ୍ଚିଥିଲେ। ଏହି ସମୟରେ ବେଲପାହାଡ଼ ଥାନା ଗୁମାଡ଼େରାର ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ମଧ୍ୟ ଘଟଣାସ୍ଥଳରେ ଥିଲେ। ନବ ଦାସଙ୍କୁ ଗୁଳିମାଡ଼ ହେବା ପରେ ସେ ସାମନା ସିଟ୍‌ରେ ଟଳି ପଡ଼ିଥିଲେ। ଶ୍ରୀ ପଟ୍ଟନାୟକ, ସିଦ୍ଧାର୍ଥନ‌ାଥ ଶର୍ମା ଓ ଦ୍ବାରିକାନାଥ ପଣ୍ଡା ତୁରନ୍ତ ଶ୍ରୀ ଦାସଙ୍କୁ ନେଇ ପଛସିଟ୍‌ରେ ଶୁଆଇ ଦେଇଥିଲେ। ଏହି ସମୟରେ ଶ୍ରୀ ପଟ୍ଟନାୟକ ପିନ୍ଧିଥିବା ସାର୍ଟରେ ମଧ୍ୟ ରକ୍ତ ଲାଗିଯାଇଥିଲା। ୨୦୨୩ ମସିହା ଫେବ୍ରୁଆରି ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କର ସିଆର୍‌ପିସି ଧାରା ୧୬୧ ଅନୁସାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଯେଉଁଥିରେ ଶ୍ରୀ ପଟ୍ଟନାୟକ ତାଙ୍କ ରକ୍ତଲଗା ଧଳାରଙ୍ଗର ସାର୍ଟକୁ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଦାଖଲ କରିଥିବା ବେଳେ ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ତାହାକୁ ଜବତ କରିଥିଲେ। ଜବତ ତାଲିକା କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ପଢ଼ି ଶୁଣାଯିବା ପରେ ଶ୍ରୀ ପଟ୍ଟନାୟକ ଓ ସାକ୍ଷୀମାନେ ଦସ୍ତଖତ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କର ଏହି ଜମାନବନ୍ଦିରେ ‘ମୋ ଦ୍ବାରା ରେକର୍ଡ କରାଯାଇଛି’ ସ୍ଥାନରେ ତଦନ୍ତକାରୀ ଅଧିକାରୀ ଶ୍ରୀ ଦୋରାଙ୍କର ଦସ୍ତଖତ ରହିଛି ଏବଂ ତାହା କୋର୍ଟରେ ଜମା କରାଯାଇଛି।

    ସେହି ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ‘ପ୍ରପର୍ଟି ସିଜର୍‌ ମେମୋ’ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସନ୍ଧ୍ୟା ୮ଟା ୪୫ ମିନିଟ୍‌ରେ ପ୍ରସ୍ତୁତ ହୋଇଥିବା ଏହି ମେମୋକୁ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମା‌ନେ ହିଁ ପୂରଣ କରିଥିଲେ। ଯେଉଁଥିରେ ଶୁଭେନ୍ଦୁ ପଟ୍ଟନାୟକଙ୍କ ରକ୍ତଲଗା ହଳଦିଆ ରଙ୍ଗର ହାଫ୍‌ସାର୍ଟ ଜବତ କରାଯାଇଥିବା ବେଳେ ରାସାୟନିକ ପରୀକ୍ଷା ପାଇଁ ପଠାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ହୋଇଥିବା ଭିଡିଓଗୁଡ଼ିକରେ ମଧ୍ୟ ଶ୍ରୀ ପଟ୍ଟନାୟକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ତଥା ସେଥିରେ ରକ୍ତ ଲାଗିଥିବାର ଚିତ୍ର ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ କ୍ରା‌ଇମ୍‌ବ୍ରାଞ୍ଚ ସିଆର୍‌ପିସି ୧୬୧ ବୟାନ୍‌ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇଦେଇଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅଭିଯୁକ୍ତ ଗୋପାଳ ଦାସର ଓକିଲ ନରେଶ ନାୟକ କହିଛନ୍ତି, ଶ୍ରୀ ପଟ୍ଟନାୟକଙ୍କର ସାକ୍ଷ୍ୟ ଶେଷ ହୋଇସାରିଛି। ସିଆର୍‌ପିସି ୧୬୧ରେ ରେକର୍ଡଭୁକ୍ତ ତଥ୍ୟ ଅନୁସାରେ ସେ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ନେଇ କୋର୍ଟ ସମ୍ମୁଖରେ କହିଥିଲେ ଓ ଅଦାଲତ ସମ୍ମୁଖରେ ସେ ମିଛ କହିଛନ୍ତି ବୋଲି ତାଙ୍କୁ ପରାମର୍ଶ ଦିଆଯାଇଥିବା କହିଛନ୍ତି। ସେପଟେ, ସାକ୍ଷ୍ୟଗୁଡ଼ିକର ଶୁଣାଣି ବେଳେ ଶ୍ରୀ ପଟ୍ଟନାୟକଙ୍କ ତଥ୍ୟରେ ତ୍ରୁଟି ଥିବାରୁ ମିଥ୍ୟା ସାକ୍ଷ୍ୟ ହିସାବରେ ତାଙ୍କର ସାକ୍ଷ୍ୟ ବାତିଲ୍‌ ହୋଇପାରେ ବୋଲି ଶ୍ରୀ ନାୟକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ