Sunday, April 5, 2026
25.5 C
Odisha

    ବାଂଲାଦେଶରେ ସଂଖ୍ୟାଲଘୁ ଅଧିକାରର ସୁରକ୍ଷା ପାଇଁ ଆମେରିକାର ଚିନ୍ତା ପ୍ରକଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାରର ନେତା ମହମ୍ମଦ ୟୁନୁସଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଜେକ୍ ସୁଲିଭାନ୍ ଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି କଥାବାର୍ତ୍ତା ପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଉଭୟ ନେତା ଧର୍ମ ନିର୍ବିଶେଷରେ ସମସ୍ତ ଲୋକଙ୍କ ମାନବିକ ଅଧିକାରକୁ ସମ୍ମାନ ଦେବା ଓ ସୁରକ୍ଷା ଦେବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ବାଧୀନ ସରକାର ଗାଦିଚ୍ୟୁତ ହେବା ପରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଓ ଅନ୍ୟାନ୍ୟ ଗୋଷ୍ଠୀଙ୍କ ବିରୋଧରେ ବଢ଼ୁଥିବା ହିଂସାକାଣ୍ଡକୁ ନେଇ ଭାରତ ଓ ଆମେରିକା ନିକଟରେ ଚିନ୍ତା ପ୍ରକଟ କରିଥିଲେ। ତେବେ ବାଂଲାଦେଶର କାମଚଳା ସରକାର ଏହି ରିପୋର୍ଟକୁ ଅଣଦେଖା କରିଛି।
    ୟୁନୁସ୍ ହିନ୍ଦୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏକ ସମୃଦ୍ଧ, ସ୍ଥିର ଓ ଗଣତାନ୍ତ୍ରିକ ବାଂଲାଦେଶ ପାଇଁ ଆମେରିକାର ସମର୍ଥନ ରହିବ। ଏବଂ ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ଆମେରିକା ସହାୟତା କରିବ। ତେବେ ଫୋନ୍ କଲ୍ ପରେ ୟୁନୁସଙ୍କ ମୁଖପାତ୍ର ଜାରି କରିଥିବା ବିବୃତିରେ ବାଂଲାଦେଶର ନାଗରିକଙ୍କ ଅଧିକାରର ସୁରକ୍ଷା ବିଷୟରେ କୌଣସି ଉଲ୍ଲେଖ ନାହିଁ। ବରଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସୁଲିଭାନ୍ ବାଂଲାଦେଶର ଅର୍ଥନୀତିରେ ଉନ୍ନତି ଆଣିବା ଏବଂ ରାଜନୈତିକ, ନିର୍ବାଚନୀ ଓ ଅନ୍ୟାନ୍ୟ ସଂସ୍କାରକୁ ଆଗେଇ ନେବାରେ ହୋଇଥିବା ଅଗ୍ରଗତିକୁ ସ୍ୱୀକାର କରିଛନ୍ତି ବୋଲି ଏଥିରେ କୁହାଯାଇଛି। ସମ୍ଭାବ୍ୟ ନିର୍ବାଚନ ସଂକ୍ରାନ୍ତ ଘୋଷଣା କରିଥିବାରୁ ସୁଲିଭାନ୍ ୟୁନୁସ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ନିକଟରେ ୟୁନୁସ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ସାଧାରଣ ନିର୍ବାଚନ ୨୦୨୫ ଶେଷ କିମ୍ବା ୨୦୨୬ ପ୍ରାରମ୍ଭରେ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ