ପୁରୀ : ୯୯ ବର୍ଷ ପୂରଣ କରି ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି ଦେଶର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ । ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ଅବସରରେ ବାଲୁକାକଳାରେ ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହାପି 99TH ବାର୍ଥ ଡେ ଲେଖିଛନ୍ତି । ୫ ଫୁଟ ଉଚ୍ଚତାର ଏକ ବାଲୁକା ମୂର୍ତ୍ତି ନିର୍ମାଣ କରି ଶୁଭେଛା ଜଣାଇଛନ୍ତି ।
୧୯୨୭ ମସିହା ଆଜିର ଦିନରେ ତତ୍କାଳୀନ ଅବିଭକ୍ତ ଭାରତର କରାଚୀରେ ଜନ୍ମଗ୍ରହଣ କରିଥିଲେ ଆଡଭାନୀ । ତାଙ୍କ ଜନ୍ମଦିନ ଅବସରରେ ସୁସ୍ଥତା ଓ ଦୀର୍ଘ ଜୀବନ କାମନା କରି ବିଜେପି ପକ୍ଷରୁ ସ୍ୱତନ୍ତ୍ର ହୋମଯଜ୍ଞର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଆଡଭାନୀଙ୍କ ଝିଅ ପ୍ରତିଭା ଆଡଭାନୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରମୁଖ ନିର୍ମାତା ଭାବେ ପରିଚିତ ଲାଲକୃଷ୍ଣ ଆଡଭାନୀ । ମାତ୍ର ୧୪ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଯୋଡ଼ି ହୋଇଥିଲେ ।
ଦେଶ ବିଭାଜନ ପରେ ଭାରତକୁ ଆସିଥିଲେ । ପରବର୍ତ୍ତୀ ସମୟରେ ଭାରତୀୟ ଜନସଂଘରେ ସକ୍ରିୟ ହୋଇ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୮୦ ମସିହାରେ ବିଜେପି ଗଠନ ପରେ ଦଳକୁ ଦେଶବ୍ୟାପୀ ସଂଗଠିତ କରିବାରେ ଆଡଭାନୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ୧୯୮୪ ଲୋକସଭା ନିର୍ବାଚନରେ ମାତ୍ର ଦୁଇଟି ଆସନ ଜିତିଥିବା ବିଜେପି ପରବର୍ତ୍ତୀ ଦଶନ୍ଧିରେ ଜାତୀୟ ରାଜନୀତିର ଏକ ବଡ଼ ଶକ୍ତି ଭାବେ ଉଭା ହୋଇଥିଲା । ୧୯୯୦ ମସିହାରେ ସୋମନାଥରୁ ଅଯୋଧ୍ୟା ଅଭିମୁଖେ ଆଡଭାନୀଙ୍କ ରାମ ରଥଯାତ୍ରା ଭାରତୀୟ ରାଜନୀତିରେ ଏକ ବଡ଼ ମୋଡ଼ ଆଣିଥିଲା । ଏହି ଯାତ୍ରା ରାମ ଜନ୍ମଭୂମି ଆନ୍ଦୋଳନକୁ ଜାତୀୟ ସ୍ତରରେ ଅଧିକ ଚର୍ଚ୍ଚିତ କରିଥିଲା ।
ଏହାକୁ ନେଇ ଦେଶରେ ବ୍ୟାପକ ରାଜନୈତିକ ବିତର୍କ ମଧ୍ୟ ସୃଷ୍ଟି ହୋଇଥିଲା । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଏବଂ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଆଡଭାନୀ । ସେ ଲୋକସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲା । ୨୦୨୪ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ଆଡଭାନୀ । ଦୀର୍ଘ ରାଜନୈତିକ ଜୀବନରେ ସେ ଦେଶର ଅନେକ ଐତିହାସିକ ପରିବର୍ତ୍ତନର ସାକ୍ଷୀ ରହିଛନ୍ତି । ଆଜି ତାଙ୍କ ଜୀବନର ଏହି ବିଶେଷ ମାଇଲଖୁଣ୍ଟରେ ତାଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ ପାଇଁ ଶୁଭେଚ୍ଛା ଜଣାଯାଉଛି ।
