ବେଙ୍ଗାଲୁରୁ ଦଳାଚକଟା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ । RCB ମାର୍କେଟିଂ ହେଡ୍ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ପୋଲିସ । ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।
ଜୁନ୍ ୪ ତାରିଖରେ ବେଙ୍ଗାଲୁରୁରେ RCBର ବିଜୟ ପରେଡ୍ ପୂର୍ବରୁ ହୋଇଥିବା ଦଳାଚକଟା ମାମଲାରେ ପୋଲିସର ପ୍ରଥମ ଗିରଫଦାରୀ । ତିନି ଜଣଙ୍କୁ ହେପାଜତକୁ ନେଇ ପୋଲିସ ଏହି ମାମଲାରେ ଏକ FIR ରୁଜୁ କରିଥିଲା । ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନିଖିଲ ସୋସଲେ ମୁମ୍ବାଇ ପଳାଇବାକୁ ଚେଷ୍ଟା କରୁଥିଲେ । ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଧରି ପକାଇଥିଲା ।
ଦଳଚକଟା ଘଟଣାରେ ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ସହ କେତେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଅତିରିକ୍ତ ପୋଲିସ କମିଶନର, କ୍ରିକେଟ ଷ୍ଟାଡିୟମ ଇନଚାର୍ଜ, ଏସିପି, ସେଣ୍ଟ୍ରାଲ ଡିସିପି, ଷ୍ଟେସନ୍ ହାଉସ ଅଫିସର, ପୋଲିସ ହାଉସ ମାଷ୍ଟର ଓ କୁବନ ପାର୍କ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନୂଆ ପୋଲିସ କମିଶନର ହୋଇଛନ୍ତି ସୀମନ୍ତ କୁମାର ସିଂ । ବି. ଦୟାନନ୍ଦଙ୍କ ସ୍ଥାନରେ ୧୯୯୬ ବ୍ୟାଚର IPS ଅଫିସର ସୀମାନ୍ତ କୁମାରଙ୍କୁ ନୂଆ ପୋଲିସ କମିଶନର ଦାୟିତ୍ବ ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୨୫ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟାଇଟଲ ଜିତିବା ପରେ ବେଙ୍ଗାଲୁରୁରେ ଦଳାଚକଟା ହୋଇଥିଲା । ମଙ୍ଗଳବାର ଆରସିବିର ବିଜୟ ଉତ୍ସବ ବେଳେ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆରସିବି ଫ୍ରାଞ୍ଚାଇଜି, କାର୍ଯ୍ୟକ୍ରମ ଆୟୋଜନ କରିଥିବା ସଂସ୍ଥା ଡିଏନଏ ଓ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ପ୍ରଶାସନିକ କମିଟି ବିରୋଧରେ ବେଙ୍ଗଲୁରୁର କବନ ପାର୍କ ଥାନାରେ ଏଫଆଇଆର ରୁଜୁ ହୋଇଛି ।