କାଲିମେଳା: ମୋତେ ମଦ ଦେବୁନି । କିନ୍ତୁ ଅନ୍ୟମାନଙ୍କୁ ରାନ୍ଧିକି ଦେବୁ । ଏବେ ଦେଖ୍ ମୁଁ ତୋର କଣ କରୁଛି । ଏମିତି କିଛି ଭାବି ଭାବି ସ୍ବାମୀ ମନ ଭିତରେ ରାଗ କୁହୁଳୁ ଥିଲା । ଆଉ ସ୍ତ୍ରୀ ଧାନ ତଳି ଉଠାଇବାକୁ ଯାଇଥିବା ବେଳେ ସ୍ବାମୀର ଅସଲ ମୁଖା ବାହାରିଲା ।…ସଞ୍ଜ ନଇଁ ନଇଁ ଆସୁଥାଏ । ବିଲରୁ ସବୁ ଘରକୁ ଫେରୁଥାନ୍ତି । ଏତିକି ବେଳେ ସ୍ତ୍ରୀକୁ ଧରି ନେଇ ଲାଠିରେ ପିଟିଲା ସ୍ବାମୀ । ସ୍ତ୍ରୀକୁ ରାସ୍ତାରୁ ଟାଣି ନେଇ ମନ ଇଚ୍ଛା ପିଟିଲା । ଶେଷରେ ସ୍ତ୍ରୀ ଭାରତୀ କୁଞ୍ଜର ଜୀବନ ନେଇଗଲା ସ୍ବାମୀ ଭୀମା ।
ମଦ ପାଇଁ ସ୍ତ୍ରୀର ଜୀବନ ନେବାକୁ ପଛାଇଲାନି ନୃଶଂସ ସ୍ୱାମୀ । ମଦ ନଦେବାରୁ ସ୍ତ୍ରୀକୁ ଲାଠିରେ ପିଟି ପିଟି ହତ୍ୟା କରିଛି ରାକ୍ଷସ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ.ଭି -୭୯ ଥାନା ଅନ୍ତର୍ଗତ ଗିନିପାଲୀ ଗାଁରେ l ମୃତ ମହିଳା ଜଣଙ୍କ ହେଉଛନ୍ତି ୩୮ ବର୍ଷିଆ ଭାରତୀ କୁଞ୍ଜ । ଘଟଣାଟି ଘଟିଛି ଅଗଷ୍ଟ ୧୬ ତାରିଖ ଅପରାହ୍ନ ୫ଟା ସମୟରେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ବାମୀ ଭୀମା ନିଶା ଗ୍ରସ୍ତ ହୋଇ ପତ୍ନୀଙ୍କୁ ସବୁ ଦିନ ମାର ପିଟି କରେ । ଏପରିକି ଚାଷବାସ କଥା କିଛି ବୁଝୁ ନଥିଲା ଭୀମା । ବହୁ କଷ୍ଟରେ ଘରର ସମସ୍ତ ଦାୟିତ୍ବ ନେଉଥିଲେ ଭାରତୀ ।
କିନ୍ତୁ ଅଗଷ୍ଟ ୧୬ ତାରିଖ ଦିନ ଭାରତୀଙ୍କ ସହ ଏମିତି କିଛି ଘଟିବ ବୋଲି କେହି କେବେ ଭାବି ବି ନଥିଲେ । ସ୍ବାମୀ ଚାଷ ବାସରେ ସାହାଯ୍ୟ କରୁନଥିବାରୁ ଭାରତୀ ନିଜ ଜମି ଚାଷ କରିବା ପାଇଁ କିଛି ଶ୍ରମିକଙ୍କୁ ଡାକିଥିଲେ । ପରମ୍ପରା ଅନୁସାରେ ଭାରତୀ ଘରେ ମଦ ରାନ୍ଧି ଶ୍ରମିକମାନଙ୍କୁ ପିଇବାକୁ ଦେଇଥିଲେ କିନ୍ତୁ ସ୍ୱାମୀକୁ ମଦ ଦେଇନଥିଲେ । ସ୍ତ୍ରୀ ମଦ ନଦେବାରୁ ରାଗରେ ଜଳୁଥିଲା ଭୀମା । ପରେ ଧାନ ତଳି ଉଠାଇବାକୁ ଜମିକୁ ଯାଇଥିଲେ ଭାରତୀ । ଏତିକି ବେଳେ ଭୀମା ସେଠାରେ ପହଞ୍ଚି ଲାଠିରେ ପିଟି ପିଟି ଭାରତୀଙ୍କ ଜୀବନ ନେଇଗଲା ।
ଭୀମାର ଏପରି ନୃଶଂସ କାଣ୍ଡ ଦେଖି ଗ୍ରାମବାସୀ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ l ମୃତ ସ୍ତ୍ରୀ ଭାରତୀ କୁଞ୍ଜଙ୍କର ଗତକାଲି ବ୍ୟବଚ୍ଛେଦ ହୋଇଥିବା ବେଳେ ସ୍ୱାମୀ ଭିମା କୁଞ୍ଜକୁ ଏମ୍. ଭି-୭୯ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଏମ୍. ଭି -୭୯ ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।
ସାମାନ୍ୟ ମଦ ପାଇଁ ଏମିତି ଅପରାଧ କରାଇବାକୁ ପଛାଉ ନାହାନ୍ତି କିଛି ଅମଣିଷ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତାର ଜୀବନ ନେଇଗଲା ନୃଶଂସ ସ୍ବାମୀ । ମଦ ପାଇଁ କେତେ ଯେ ପରିବାର ଛାରଖାର ହୋଇଯାଉଛି, ତାର ଏଇ ହେଉଛି ଜ୍ବଳନ୍ତ ଉଦାହରଣ ।