ଡେରାଡୁନ : ଉତ୍ତରାଖଣ୍ଡ ମସୁରୀରେ ବଡ଼ ଦୁର୍ଘଟଣା । ଉତ୍ତରକାଶୀରୁ ଫେରୁଥିବା ଏକ କାର୍ ଅନିୟନ୍ତ୍ରିତ ହୋଇ ଗଭୀର ଖଶଇକୁ ଖସିପଡିଥିଲା । ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ଭିତରେ ଦୁଇଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ରହିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ, ଏସଡିଆରଏଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରାଯାଉଛି ।
ଖବର ମୁତାବକ, ଦୁର୍ଘଟଣା ମସୁରୀର ଝାଡିପାଣି ସର୍ଟକଟ୍ ରାସ୍ତାରେ ହୋଇଛି । କାର୍ ଉତ୍ତରକାଶୀରୁ ଫେରୁଥିବା ବେଳେ ଏମାନେ ଗାଡ଼ି ରଖି ଦୋକାନରୁ କିଛି ଜିନିଷ କିଣିଥିଲେ । କିଣିବା ପରେ କାର୍ ଷ୍ଟାଟ୍ କରୁ କରୁ ଗାଡ଼ିଟି ଅନିନ୍ତ୍ରିତ ହୋଇ ସିଧା ଗଭୀର ଖାଇକୁ ଖସିପଡିଥିଲା । କାରରେ ୪ ଜଣ ଥିଲେ, ସମସ୍ତେ ଗାଜିଆବାଦର ବୋଲି ଜଣାପଡିଛି ।
ଘଟଣା ବିଷୟରେ ଖବର ମିଳିବା ପରେ ମସୁରୀ ଥାନା ପୋଲିସ, ଏସଡିଆରଏଫ ଏବଂ ୧୦୮ ଆମ୍ବୁଲାନ୍ସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ କରିଛି । ଘନ ଝାଡି ଏବଂ ଦୁର୍ଗମ ଅଞ୍ଚ ବୋଲି ରେସକ୍ୟୁ ଟିମ୍ ଉଦ୍ଧାର ଅଭିଯାନରେ ସମସ୍ୟା ହେଉଛି । ଏଯାଏଁ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
