ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି ଘୁଞ୍ଚାଇବାକୁ ଓଡ଼ିଶାର ଆବେଦନ ଖାରଜ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆସନ୍ତା ୭ ତାରିଖରେ ହେବାକୁ ଥିବା ଶୁଣାଣିକୁ ଘୁଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଡଭୋକେଟ୍ ଜେନେରାଲ୍ ଉପସ୍ଥିତ ରହିପାରିବେ ନାହିଁ ଦର୍ଶାଇ ଓଡ଼ିଶା ପକ୍ଷରୁ ସମୟ ମଗାଯାଇଥିଲା । କିନ୍ତୁ ଟ୍ରିବ୍ୟୁନାଲ୍ ନିର୍ଦ୍ଧାରିତ ସମୟରେ ହିଁ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଆଡଭୋକେଟ୍ ଜେନେରାଲଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦିଆଯାଇଛି । ଟ୍ରିବ୍ୟୁନାଲଙ୍କ ରେଜିଷ୍ଟ୍ରାର ଓଡ଼ିଶାର ଓକିଲ ମହେଶ ଅଗ୍ରୱାଲଙ୍କୁ ଏହି ସୂଚନା ଦେଇଛନ୍ତି । ଟ୍ରିବ୍ୟୁନାଲ ସ୍ପଷ୍ଟ କରିଛନ୍ତି ଯେ, ଏହି ଶୁଣାଣି ମୁଖ୍ୟତଃ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ସମାଧାନ ପାଇଁ ଚାଲିଥିବା ପ୍ରୟାସର ଅଗ୍ରଗତି ସମୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ । ତେଣୁ ଏଥିପାଇଁ ଆଡଭୋକେଟ୍ ଜେନେରାଲଙ୍କ ବ୍ୟକ୍ତିଗତ ଉପସ୍ଥିତି ଜରୁରୀ ନୁହେଁ ।
ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମିଳିତ ଆବେଦନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଏହି ଆବେଦନ ହୋଇ ନଥିବାରୁ ଟ୍ରିବ୍ୟୁନାଲ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । ନିକଟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଛତିଶଗଡ଼ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ ଟ୍ରିବ୍ୟୁନାଲରେ ଓଡ଼ିଶାର ପକ୍ଷକୁ ମଜଭୁତ କରିବା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି ।

