ଗରୁଡ଼ ପୁରାଣ ହେଉଛି ହିନ୍ଦୁ ଧର୍ମର ୧୮ଟି ମହାପୁରାଣ ମଧ୍ୟରୁ ମହତ୍ତ୍ବପୂର୍ଣ୍ଣ ଗ୍ରନ୍ଥ । ଏଥିରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହନ ଗରୁଡ଼ ମଧ୍ୟରେ ହୋଇଥିବା ଆଲୋଚନା ସମ୍ବାଦ ରୂପରେ ଏହି ପୁରାଣରେ ଲେଖାଯାଇଛି । ଯେଉଁଥିରେ ଜୀବନ, ମୃତ୍ୟୁ, କର୍ମ ଏବଂ ପରଲୋକ ସହିତ ଜଡିତ ଗଭୀର ବାର୍ତ୍ତା ସମ୍ପର୍କରେ ଲେଖାଯାଇଛି । ଯାହା ଆମକୁ ଅନେକ କଥା ଶିଖାଇଥାଏ । ମୃତ୍ୟୁ ପରେ କ’ଣ ହୁଏ କେହି ଜାଣି ନଥାଆନ୍ତି । କିନ୍ତୁ ଏଥିରେ ସେହି ସବୁ ସହିତ ଜଡିତ କଥା ରହିଛି ।
ଗରୁଡ଼ ପୁରାଣରେ ମୃତ୍ୟୁ ପରେ ଆତ୍ମାର ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି । ମୃତ୍ୟୁ ଜୀବନର ସବୁଠାରୁ କଟୁ ସତ୍ୟ ବୋଲି କୁହାଯାଏ । ମୃତ୍ୟୁ ଅନିର୍ବାଯ୍ୟ । କଥାରେ ଅଛି ‘‘ମର୍ତ୍ତ୍ୟ ମଣ୍ଡଳେ ଦେହ ଭରି, ଦେବତା ହୋଇଲେ ବି ମରଇ’’ । ଜନ୍ମ ନିଶ୍ଚିତ ମାନେ ମୃତ୍ୟୁ ମଧ୍ୟ ସୁନିଶ୍ଚିତ । ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଯାଏ କିନ୍ତୁ ଆତ୍ମା ଏକ ଭିନ୍ନ ଯାତ୍ରା ଆରମ୍ଭ କରେ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି । ମୃତ୍ୟୁ ପରେ ଆତ୍ମା ସାଙ୍ଗେ ସାଙ୍ଗେ ପ୍ରସ୍ଥାନ କରେ ନାହିଁ । ବରଂ କିଛି କ୍ଷଣ ପାଇଁ ବିଶେଷ ଅବସ୍ଥାରେ ରହିଥାଏ । ହିନ୍ଦୁ ଧର୍ମରେ ମୃତ୍ୟୁର ୧୩ ଦିନକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ସମୟରେ କରାଯାଉଥିବା କର୍ମ ରୀତିନୀତି ଆତ୍ମାର ଯାତ୍ରାକୁ ସହଜ କିମ୍ବା କଷ୍ଟକର କରିପାରେ ।
ଗରୁଡ଼ ପୁରାଣ ଅନୁସାରେ ୧୩ ଦିନର ବ୍ରତ ଖୁବ୍ ମହତ୍ତ୍ବପୂର୍ଣ୍ଣ । ଯାହା ଆତ୍ମାର ପରବର୍ତ୍ତୀ ଯାତ୍ରାର ପଥକୁ ପ୍ରଶସ୍ତ କରେ । ଏହି ଦିନଗୁଡିକରେ ଆତ୍ମା ନିଜ ପରିବାରର ସଦସ୍ୟମାନଙ୍କ ପାଖରେ ଘେରି ହୋଇ ରହିଥାଏ । ଏଥିସହିତ ସେହି ଆତ୍ମା ତା’ର ପ୍ରିୟଜନମାନଙ୍କ କାର୍ଯ୍ୟ ଏବଂ ଭାବନା ଦ୍ବାରା ପ୍ରଭାବିତ ହୋଇଥାଏ ।
ମୃତ୍ୟୁର ୧୩ ଦିନରେ କରାଯାଉଥିବା ସଂସ୍କାର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ । ଯାହା ସାଂସାରିକ ବନ୍ଧନରୁ ଆତ୍ମା ମୁକ୍ତିର ପ୍ରତୀକ । ଏହି ଦିନରେ ହେଉଥିବା ପୂଜା ଆତ୍ମା ଏହି ଜଗତକୁ ଶେଷ ବିଦାୟ ଦିଏ । ଗରୁଡ଼ ପୁରାଣ ଅନୁସାରେ, ଯେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତାଙ୍କ ଶରୀରରୁ ଆତ୍ମା ଅଲଗା ହୋଇ ଏକ ଭିନ୍ନ ଯାତ୍ରା ଆରମ୍ଭ କରେ ବୋଲି ବିଶ୍ବାସ କରାଯାଏ । ମୃତ୍ୟୁ ପରେ ଆତ୍ମାକୁ ତା’ର କର୍ମ ଅନୁସାରେ ସ୍ଥାନାନ୍ତର କରାଯାଏ । ଏହା ମଧ୍ୟ ବିଶ୍ବାସ ରହି ଆସିଛି ଯେ, ଯମଦୂତମାନେ ଆତ୍ମାକୁ ଯମଲୋକକୁ ନେଇଯାଆନ୍ତି ଏବଂ ସେଠାରେ ସେମାନଙ୍କ ଭଲ ଓ ଖରାପ କର୍ମର ହିସାବ କରାଯାଏ । ଏହା ମଧ୍ୟ ବିଶ୍ବାସ କରାଯାଏ ଯେ, କିଛି ଆତ୍ମାଙ୍କୁ ତାଙ୍କ ଶବଦାହ ସହିତ ଜଡିତ କିଛି ମୁହୂର୍ତ୍ତଗୁଡିକୁ ଦେଖିବା ପାଇଁ ଫେରାଇ ଦିଆଯାଏ ।
ମୃତ୍ୟୁର ୧୩ ଦିନ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଆତ୍ମା ସେହି କିଛି ଦିନ ନିଜ ଘର ଏବଂ ପରିବାରର ନିକଟତର ରହିଥାଏ ବୋଲି ମାନ୍ୟତା ରହିଛି । ଫଳରେ ଆତ୍ମା ତା’ର ପ୍ରିୟଜନଙ୍କ ଭାବନାକୁ ଅନୁଭବ କରିପାରିବ । କିନ୍ତୁ ସେମାନଙ୍କ ସହ କଥା ହୋଇପାରିବନାହିଁ । ଆତ୍ମାର ଆସକ୍ତି ଥିବାରୁ ଧୀରେ ଧୀରେ ସେ ବଞ୍ଚିତ ହୁଏ ।
ଅନ୍ୟପଟେ ପିଣ୍ଡଦାନ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଆତ୍ମାର ଲମ୍ବା ଯାତ୍ରା ପାଇଁ ଶକ୍ତିର ଆବଶ୍ୟକତା ଥାଏ । ତେଣୁ ଏହି କର୍ମ କରିବା ଦ୍ବାରା ସେମାନଙ୍କୁ ଆଗକୁ ବଢିବାରେ ଶକ୍ତି ଯୋଗାଇବ । ଆତ୍ମାର ପରଲୋକ ଯାତ୍ରାକୁ ସାମାନ୍ୟ ସହଜ କରିବାର ଏକ ଧାର୍ମିକ ପ୍ରୟାସ ବୋଲି ବିଶ୍ବାସ କରାଯାଏ ।
