ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱୀକାର କରିଛି । ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଛି । ପୂର୍ବରୁ ଏକ୍ସରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ସାଇଟ୍ ଆକ୍ସନ୍ ନେବା ସହ ଅନେକ ୟୁଜରଙ୍କୁ ବ୍ଲକ୍ କରିଛି ।
ଏକ୍ସର କହିବାନୁସାରେ, କମ୍ପାନୀ ୩୫୦୦ପୋଷ୍ଟକୁ ବ୍ଲକ୍ କରିଛି । ଏହାସହ ୬୦୦ ଆକାଉଣ୍ଟ ଡିଲିଟ୍ କରାଯାଇଛି । ଏବେ କମ୍ପାନୀ କୌଣସି ଆପତ୍ତିଜନକ ପୋଷ୍ଟକୁ ଅନୁମତି ଦେବ ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବ ।
ରିପୋର୍ଟ ଅନୁସାରେ, ବାରମ୍ବାର ଏକ୍ସ ବିରୋଧରେ ଅଭିଯୋଗ ଆସୁଥିଲା । କମ୍ପାନୀ ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁନଥିବା କୁହାଯାଉଥିଲା । ତେବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ୍ସର ଅନେକ ପୋଷ୍ଟକୁ ଚିହ୍ନଟ କରିଥିଲା । ଗ୍ରୋକ୍ ଏଆଇ ସାହାଯ୍ୟରେ ଏସମସ୍ତ କଣ୍ଟେଣ୍ଟ୍ ପ୍ରସ୍ତୁତ ହୋଇଥିଲା । ଯାହାକୁ ନେଇ ଅନେକ ଯୁଜର ସମାଲୋଚନା କରିଥିଲେ ।
ଗ୍ରୋକ୍ ହେଉଛି ଏକ ଏଆଇ ଚାଟବଟ୍ । ଯାହାକୁ ନିଜେ ଏଲନ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ପ୍ରସ୍ତୁତ କରିଥିଲା । ଏହାକୁ ଇନଷ୍ଟଲ୍ କରାଯାଇ ବ୍ୟବହାର କରିହେବ । ୟୁଜରମାନେ ଟେକ୍ସଟ୍ କମାଣ୍ଡ କିମ୍ବା ଭଏସ ପ୍ରମ୍ପଟ୍ ସାହାଯ୍ୟରେ ନିଜ କାମ କରିପାରିବେ ।
ନିକଟରେ ଗ୍ରୋକ୍ ଏଆଇ ଦ୍ୱାରା ଅନେକ ଅଶ୍ଲୀଳ କଣ୍ଟେଣ୍ଟ୍ ଏଡିଟିଂ କରାଯାଇଥିଲା । ଅନେକ ୟୁଜର ଏହି ଫିଚର୍ସର ଅପବ୍ୟବହାର କରିଥିଲେ । ମହିଳା ଏବଂ ନାବାଳିକାଙ୍କ ଫଟୋ ବ୍ୟବହାର କରି ଅଶ୍ଲୀଳ କଣ୍ଟେଟ୍ ଗ୍ରୋକ୍ ଦ୍ୱାରା ତିଆରି କରାଯାଉଥିଲା । ଯାହାକୁ ସରକାର ଗୁରୁତର ଭାବେ ନେଇଥିଲେ । ଏହାକୁ ମୋଦି ସରକାର ଗମ୍ଭୀରତାର ସହିତ ନେଇ ଏକ୍ସକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ଏହି କଡ଼ା ନିର୍ଦ୍ଦେଶ ପରେ ଏଲନ ମସ୍କଙ୍କ କମ୍ପାନୀ ତରଫରୁ ସ୍ବୀକାର କରାଯାଇଛି ।

