Thursday, August 27, 2026
29.9 C
Odisha

    ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ପ୍ରସଙ୍ଗ: ବିଧାନସଭାରେ ଆଗତ ହେବ ଆୟୋଗଙ୍କ ରିପୋର୍ଟ

    ଆଗକୁ ପଢନ୍ତୁ

    କଟକ : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍‌‌ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଯଥାଶୀଘ୍ର ବିଧାନସଭା ତଥା କ୍ୟାବିନେଟ୍‌‌ ବୈଠକରେ ଉପସ୍ଥାପନ କରାଯିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଯାଇଛି। ସମାଜସେବୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଙ୍ଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ଅଦାଲତ ମାମଲାର ଶୁଣାଣି ଆସନ୍ତା ୧୨କୁ ଧାର୍ଯ୍ୟ କରିଛନ୍ତି। ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଯାଇଥିବା ନେଇ ଜଣାପଡ଼ିଥିଲା। ବର୍ତ୍ତମାନ ରତ୍ନଭଣ୍ଡାର ଶ୍ରୀଜଗନ୍ନାଥ ପରିଚାଳନା କମିଟି ଅଧୀନରେ ରହିଆସୁଛି । ବାହାର ରତ୍ନଭଣ୍ଡାରର ତିନୋଟି ଚାବି ରହିଥାଏ। ଗୋଟିଏ ଚାବି ପୁରୀ ଗଜପତିଙ୍କ ନିକଟରେ ରହିଥିଲାବେଳେ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଆଉ ଏକ ଚାବି ଭଣ୍ଡାର ମେକାପଙ୍କ ନିକଟରେ ରହିଥାଏ। ରତ୍ନଭଣ୍ଡାରର ଭିତର ମରାମତି ଆବଶ୍ୟକତା ଥିବାରୁ ସେତେବେଳେ ଚାବି ଖୋଜାପଡ଼ିଲା। ଚାବି ନ ମିଳିବାରୁ ପୁରୀର ତତ୍କାଳୀନ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀରେ ଚାବି ନଥିବା କହିବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।ଜିଲ୍ଲାପାଳ ଜିଲ୍ଲା ରେକର୍ଡ଼ ରୁମ୍‌‌ରେ ରତ୍ନଭଣ୍ଡାରର ଏକ ନକଲି ଚାବି ଜଉମୁଦ ଲଫାପାରେ ରହିଥିବା କହିଥିଲେ। ଏହାକୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୧୮ ଜୁନ୍‌‌ରେ ଜଷ୍ଟିସ୍‌‌ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିସନ ବସାଇଥିଲେ। ସେହି ବର୍ଷ ନଭେମ୍ବର ୨୯ରେ କମିସନ ତାଙ୍କ ରିେପାର୍ଟ ଗୃହ ବିଭାଗକୁ ପ୍ରଦାନ କରିଥିଲେ। ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ କରି ନ ଥିଲେ। ନିୟମ ଅନୁଯାୟୀ ଏହି ରିେପାର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିବା କଥା। ବିଧାନସଭାରେ ଉକ୍ତ ରିପୋର୍ଟ ଉପସ୍ଥାପନ ନହେବାରୁ ଆବେଦନକାରୀ ଦିଲୀପ କୁମାର ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ଆଇନ ବିଭାଗ ସଚିବଙ୍କ ପକ୍ଷରୁ ୨୦୨୪ ଜୁଲାଇ ୧୦ରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା, ସେଥିରେ ଉପରୋକ୍ତ ସୂଚନା ପ୍ରଦାନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଏବଂ ହରପ୍ରିୟା ରାଉତରାୟ ମାମଲା ପରିଚାଳନା କରୁଛନ୍ତି। ତେବେ ବର୍ତ୍ତମାନର ସରକାର ଆୟୋଗଙ୍କ ପ୍ରଦତ୍ତ ଏହି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ସୁପାରିସ ରିପୋର୍ଟକୁ ବିଧାନସଭାରେ ଆଗତ କରିବା ପରେ ଏହା ସାର୍ବଜନୀନ ହୋଇପାରିବ ବୋଲି ଆଶା କରାଯାଉଛି। ତେବେ ଆସନ୍ତା ୭ ତାରିଖରୁ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାରୁ ଏଥର ଉକ୍ତ ରିପୋର୍ଟକୁ ଗୃହରେ ଉପସ୍ଥାପନ କରାଯିବ କି ନାହିଁ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    73 %
    2.2kmh
    99 %
    Thu
    30 °
    Fri
    28 °
    Sat
    28 °
    Sun
    25 °
    Mon
    23 °

    ସମ୍ବନ୍ଧିତ