Monday, March 30, 2026
26.9 C
Odisha

    ରାଉରକେଲାରେ ଅଟକିଛି ମାଳମାଳ ପ୍ରକଳ୍ପ: ୨୦୨୫ରେ ସରିଲାନି, ୨୦୨୬ରେ ସମ୍ଭାବନା

    ଆଗକୁ ପଢନ୍ତୁ

    ରାଉରକେଲା: ସରିଲା ବର୍ଷ ୨୦୨୫। ସହରରେ ଚାଲିଥିବା ଅନେକ ପ୍ରକଳ୍ପ ସରିଲାନି। ଅନେକ ଘୋଷଣା ହୋଇଥିଲେ ବି କାମ ଆରମ୍ଭ ହେଲାନି। ପୂର୍ବ ସରକାର ସମୟରେ ସ୍ଥିତି ଯେମିତି ଥିଲା ନୂଆ ସରକାର ଦାୟିତ୍ବ ନେବା ପରେ ମଧ୍ୟ ସେଇଆ। ତେବେ, ଅଧୁରା ପ୍ରକଳ୍ପଗୁଡ଼ିକ ଚଳିତ ବର୍ଷ (୨୦୨୬) ସରିବ ବୋଲି ଆଶା କରାଯାଉଛି। ୨୦୨୫ରେ ସରକାର ଘୋଷଣା କରିଥିବା କିଛି ପ୍ରକଳ୍ପ ଆରମ୍ଭ ହେବ ବୋଲି ସମ୍ଭାବନା କରାଯାଉଛି। ସରକାର ଓ ପ୍ରଶାସନ ଗୁରତ୍ବର ସହିତ ଆଗ୍ରହ ପ୍ରକାଶ କଲେ ୨୦୨୫ରେ ଘୋଷିତ ପ୍ରକଳ୍ପ ବାସ୍ତବ ରୂପ ନେବ, ନ ହେଲେ ସେମିତି ଘୋଷଣା‌ରେ ଅଟକିଯିବ। ରାଜନୈତିକ ଦଳଗୁଡ଼ିକର ଇଚ୍ଛାଶକ୍ତିର ଅଭାବରୁ ସହରର ପ୍ରକଳ୍ପଗୁଡ଼ିକର ସ୍ଥିତି ଏମିତି ରହିଛି ବୋଲି ଲୋକେ କହୁଛନ୍ତି। ୨୦୨୫ ମାର୍ଚ୍ଚରେ ରାସ୍ତା ଓ ଗୃହ ନିର୍ମାଣ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବେଦବ୍ୟାସ ବ୍ରାହ୍ମଣୀ ନଦୀରେ ଉପରେ ଅତ୍ୟାଧୁନିକ କାଚପୋଲ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ୪୫୦ ମିଟର ପୋଲ ପାଇଁ ବ୍ୟୟ ବରାଦ ହୋଇଥଲା ୩୫ କୋଟି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ। ପରବର୍ତ୍ତୀ ସମୟରେ କାଚପୋଲ ନୁହେଁ ସିମେଣ୍ଟ ପୋଲ ହେବ ବୋଲି କହିଥିଲେ। ହେଲେ ଘୋଷଣାର ୯ ମାସ ମଧ୍ୟରେ ଇଟା ଖଣ୍ଡିଏ ବି ପଡ଼ିଲା ନାହିଁ।
    ଜାଗା ଅଭାବରୁ ପ୍ରକଳ୍ପ କାମ ଆରମ୍ଭ ହେଲାନି
    ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ସମ୍ପ୍ରସାରଣ ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବସ୍ତରୀୟ ହସ୍ପିଟାଲ କରାଯିବା ବୋଲି ସହରବାସୀଙ୍କୁ ସ୍ବପ୍ନ ଦେଖାଯାଇଥିଲା। ଏଥିପାଇଁ ୬୬୦ ‌କୋଟି ଟଙ୍କା ମଞ୍ଜୁର ହୋଇଛି। ଜାଗା ଅଭାବରୁ ପ୍ରକଳ୍ପ କାମ ଆରମ୍ଭ ହେଲାନି। ଆଜି ପର୍ଯ୍ୟନ୍ତ ସରକାର ବିକଳ୍ପ ବ୍ୟବସ୍ଥା ମଧ୍ୟ କଲେନି। ସ୍ମାର୍ଟସିଟି ପକ୍ଷରୁ ଆରମ୍ଭ ହୋଇଥିବା ଅନେକ ପ୍ରକଳ୍ପ ୨୦୨୫ ସୁଦ୍ଧା ସରିବାକୁ ବିଭାଗୀୟ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତା’ ମଧ୍ୟ ହୋଇପାରିଲା ନାହିଁ। ଏଥିମଧ୍ୟରେ ରହିଛି ସେକ୍ଟର-୨୦ ବୈକୁଣ୍ଠଘାଟସ୍ଥ ରିକ୍ରିଏସନ୍‌ ପାର୍କ। ପ୍ରାୟ ୪୨ ଏକର ପରିମିତି ଜାଗାରେ ନିର୍ମାଣଧୀନ ପାର୍କ ରେ ଅତ୍ୟାବଧି ୨୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାନି। ତଥାପି କାମ ସରୁନି। ଯେତିକି କାମ ସରିଛି, ତା’ ମଧ୍ୟ ବଣଜଙ୍ଗଲରେ ପରିଣତ ହୋଇଛି। ବିଧାୟକ ଦୁର୍ଗାଚରଣ ତନ୍ତୀ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ। ତତ୍‌କାଳୀନ ଉନ୍ନୟନ କମିସନର ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସେହି ସମାନ କଥା କହିଥିଲେ। ଏବେ ପାର୍କର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ବାକିଥିବା ୪୦% କାମ କେବେ ସରିବ, କାହାରି ପାଖରେ ଉତ୍ତର ନାହିଁ।
    ଛେଣ୍ଡକଲୋନିସ୍ଥ ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ୍‌ ସ୍ଥିତି ବି ସମାନ। ପ୍ରାୟ ୭. ୪୯ ଏକର ପରିମିତ ଜାଗାରେ ନିର୍ମାଣାଧୀନ ପାର୍କ ତିନି ବର୍ଷ ମଧ୍ୟରେ ୭୦% କାମ ସରିଛି। ଅବଶିଷ୍ଟ ୩୦% କାମ କଚ୍ଛପ ଗତିରେ ଚାଲିଛି। ମେ’ ୨୦୨୫ ସୁଦ୍ଧା ସରିବାକୁ ଠିକାସଂସ୍ଥାକୁ ଦାଗିଦ୍‌ କରାଯାଇଥିଲା। ପାନପୋଷସ୍ଥ ଟ୍ରାଇବାଲ ମ୍ୟୁଜିୟମ୍‌ କାମ ସରିନି। ବାଲୁଘାଟସ୍ଥ ବହୁ ପ୍ରତୀକ୍ଷିତ ‌ହୋଲ୍‌ସେଲ୍‌ କୃଷକ ବଜାର, ସେକ୍ଟର-୧୩ ଓମ୍‌ଫେଡ୍‌ ଫ୍ୟାକ୍ଟ୍ରି ପାର୍ଶ୍ବରେ ଜିଲ୍ଲାର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ନିର୍ମାଣ କାମ ଅଧପନ୍ତରିଆ ପାଚେରିରେ ସୀମିତ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    24 %
    2.3kmh
    0 %
    Sun
    27 °
    Mon
    41 °
    Tue
    39 °
    Wed
    40 °
    Thu
    40 °

    ସମ୍ବନ୍ଧିତ